କୃଷି ଉଦ୍ୟାନରେ ନିଆଁ:ଜଳିଗଲା ଲକ୍ଷାଧିକ ଟଙ୍କାର ବିହନ

ନିଆଁ ଲାଗିବା ପରେ ସୁପରିଟେଣ୍ଡେଣ୍ଟ ଛୁ ମାରିଲେ

କଲେଇପୋଷ: ବଣାଇଁ ଉପଖଣ୍ଡ ଲହୁଣିପଡ଼ା ବ୍ଲକ୍‌ ଅନ୍ତର୍ଗତ କୁଳିପୋଷ କୃଷି ଉଦ୍ୟାନରେ ଆଜି ପୂର୍ବାହ୍ନ ୧୧ଟାରେ ନିଆଁ ଲାଗିଥିଲା। ନିଆଁରେ ଅମଳ ହୋଇ ରଖା ଯାଇଥିବା ୨୦ ହେକ୍ଟରର ସୋରିଷ ଏବଂ ୫ ହେକ୍ଟର ରାଶି ବିହନ ପୋଡ଼ି ପାଉଁଶ ହୋଇଯାଇଛି। ବିହନର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବିଭାଗୀୟ କର୍ମଚାରୀ କହିଛନ୍ତି। ଅନ୍ୟପଟେ ନିଆଁ ଲାଗିବା ପରେ ଉଦ୍ୟାନ ଅଧୀକ୍ଷକ ଦୟାନିଧି ପ୍ରଧାନ ତର ତର ହୋଇ ସେ ସ୍ଥାନ ଛାଡ଼ି ଚାଲି ଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ପରେ ବିଭାଗୀୟ କର୍ମଚାରୀଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ସବୁ କିଛି ପୋଡ଼ି ଯାଇଥିବା କୁହାଯାଇଛି। ଅଧୀକ୍ଷକଙ୍କ ଏଭଳି ବେପରଓ୍ଵା ମନୋଭାବକୁ ଯୋଗୁଁ ଘଟଣାଟି ଘଟିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଆଜି ଉଦ୍ୟାନରେ ୧୫ ଜଣ ଶ୍ରମିକ କାମ କରୁଥିବା ବେଳେ ହଠାତ ବିହନ ଗଦାରେ ନିଆଁ ଲାଗି ଯାଇଥିଲା।

ଶ୍ରମିକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସଫଳ ହୋଇ ନଥିଲେ। ଦେଖୁ ଦେଖୁ ଶୁଖିଲା ବିହନରେ ନିଆଁ ଚରି ଯାଇଥିଲା। ପରେ ବିଭାଗୀୟ କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ନିଆଁଲିଭା ଗାଡ଼ି ପହଞ୍ଚିବା ବେଳକୁ ବିହନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଥିଲା। ସେପଟେ ନିଆଁ ଲାଗିବା ପରେ ବେପରଓ୍ଵା ଭାବେ ବିଭାଗୀୟ ଅଧୀକ୍ଷକ ଘଟଣା ସ୍ଥଳରୁ ଚାଲି ଯାଇଥିଲେ। ଏ ନେଇ ସ୍ଥାନୀୟ କୃଷି ବିଭାଗ ଅଧିକାରୀ ପ୍ରମୋଦ କୁମାର ସାହୁଙ୍କୁ ପଚାରିବାରୁ ନିଆଁ କିପରି ଲାଗିଥିଲା ତାହା କେହି ଜାଣି ପାରି ନଥିବା କହିଥିଲେ। ତେବେ ୨୫ ହେକ୍ଟରର ବିହନ ପୋଡ଼ି ଯାଇଥିବା ସେ ସ୍ୱୀକାର କରିଥିଲେ। ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର