ବିଲ୍‌ଡର ଗୁଳିକାଣ୍ଡ ଘଟଣା : ବ୍ୟବସାୟିକ ଶତ୍ରୁତା ପାଇଁ ନିଜେ ରଚିଥିଲେ ଡ୍ରାମା

ବିଲ୍‌ଡର ଅନ୍‌ମୋଲ, ୨ ସାର୍ପସୁଟର ସମେତ ୫ ଗିରଫ

ରାଉରକେଲା : ଜଣେ ପ୍ରତିଦ୍ବନ୍ଦ୍ବୀ ବ୍ୟବସାୟୀଙ୍କୁ ଫସାଇବାଲାଗି ସହରର ଜଣେ ବ୍ୟବସାୟୀ ନିଜ ଉପରେ ଗୁଳିମାଡ଼ ହେବାର ନାଟକ ରଚନା କରିବାର ଘଟଣାକୁ ପୁଲିସ ପର୍ଦାଫାସ କରିଛି। ଗୁଳିମାଡ଼ ନାଟକ ରଚିଥିବା ଏ ବ୍ୟବସାୟୀ ଜଣକ ହେଉଛନ୍ତି ରାଉରକେଲା ସହରର ଜଣାଶୁଣା ବିଲ୍‌ଡର ଅନ୍‌ମୋଲ ସିଂହ। ଉଲ୍ଲେଖନୀୟ ଯେ ଗତ ୧୨ ତାରିଖରେ ଅନ୍‌ମୋଲ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ଗୁଳି ତାଙ୍କ ଦେହରେ ନ ବାଜି ତାଙ୍କ କାର୍‌ରେ ବାଜିଥିଲା।

ତେବେ ଆଜି ପୁଲିସ ଅସଲ ଘଟଣାର ପର୍ଦାଫାସ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍‌ ସୂଚନା ଦେଇଛନ୍ତି ଯେ ବ୍ୟବସାୟିକ ଶତ୍ରୁତା କାରଣରୁ ନିଜେ ଅନମୋଲ୍‌ ଏହି ଗୁଳିକାଣ୍ଡ ନାଟକ କରିଥିଲେ। ସେଥିପାଇଁ ସେ ରାଉରକେଲାର ଦୁଇଜଣ ସାର୍ପସୁଟର୍‌ଙ୍କୁ ୭୦ ହଜାର ଟଙ୍କା ଭଡାରେ ଆଣିଥିଲେ। ଦୁଇ ସାର୍ପସୁଟର୍‌ଙ୍କୁ କହି ନିଜ ଇନୋଭା ଟୟୋଟା (ଓଡି୧୪ଜି-୦୦୧୦) କାର୍‌ ଉପରେ ୬ ରାଉଣ୍ଡ ଗୁଳି ଚଳାଇଲେ। ପରେ ଅଙ୍ଗରକ୍ଷୀ ପିଣ୍ଟୁ କୁମାର ରାଉତଙ୍କୁ ରାସ୍ତାରେ ପକାଇ ତାଙ୍କ ମୁଣ୍ଡକୁ ଫଟାଇଦେଲେ। ପରଦିନ ଅର୍ଥାତ୍‌ ଡିସେମ୍ବର ୧୧ ବିଲ୍‌ଡର ଅନମୋଲ୍‌ ଘଟଣାକୁ ଭିନ୍ନମୋଡ ଦେବାକୁ ଯାଇ ବ୍ରାହ୍ମଣୀତରଙ୍ଗ ଥାନାରେ ତାଙ୍କୁ ଗୁଳି ମାଡ କରାଯାଇଛି ବୋଲି ଲିଖିତ ଏତଲା ଦେଲେ। ପୁଲିସ ଘଟଣାର ତଦନ୍ତ କରି ଅନୁମୋଲ୍‌, ରାଉରକେଲାର ଦୁଇ ସାର୍ପସୁଟର ମୁସ୍ତାକ୍‌ ଆଲାମ ଓ ଦିଲୁ ଓରଫ ଦିଲ୍‌ସାଦ୍‌ ଖାଁ, ଅଙ୍ଗରକ୍ଷୀ ସପନ ଓରଫ ସାଜନ ତିୱାରୀ ଓ ଅନ୍ୟ ଜଣେ ସହଯୋଗୀ ଶିବୁ ବିଶୋଇଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ନଗଦ ୭୦ ହଜାର ଟଙ୍କା, ୩ଟି କାର୍‌ ଓ ଗୋଟିଏ ବାଇକ୍‌ ଜବତ କରିଛି।

ସମ୍ବନ୍ଧିତ ଖବର