ରାଉରକେଲା: ପୁଡ଼ୁଚେରୀର ଏକ ଧାର୍ମିକ ଅନୁଷ୍ଠାନ/ଶିକ୍ଷାନୁଷ୍ଠାନର ମାତ୍ର ଦେଢ଼ ଶହ ମିଟର ଭିତରେ ଏକ ବିଦେଶୀ ମଦ ଦୋକାନ ଖୋଲିଥିଲା। ଜଣେ ସ୍ବେଚ୍ଛାସେବୀ ଏହାକୁ ବିରୋଧକରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଜଣେ ସ୍ବେଚ୍ଛାସେବୀ। ମାମଲାର ବିଚାରକରି ଦୁଇ ଜଣ ବିଚାରକଙ୍କ ଖଣ୍ଡପୀଠ ସଂପୃକ୍ତ ମଦଦୋକାନକୁ ବନ୍ଦ କରିବାକୁ ଗତ ମାର୍ଚ୍ଚ ମାସରେ ନିର୍ଦ୍ଦେଶ ଦେଇଥିଲେ। କୌଣସି ପରିସ୍ଥିତିରେ ବି ଧାର୍ମିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନର ୧୫୦ ମିଟର ଭିତରେ ବିଦେଶୀ ମଦ ଦୋକାନ ଖୋଲିପାରିବ ନାହିଁ ବୋଲି ରାୟ ଶୁଣାଇଥିଲେ। ତେବେ ରାଉରକେଲାରେ ଏହାର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳୁଛି।
Advertisment
ସ୍ମାର୍ଟସିଟି ରାଉରକେଲାର ଅନ୍ୟତମ ବ୍ୟସ୍ତବହୁଳ ପାନପୋଷ ରୋଡ୍‌ରେ ଥିବା ଶନି ମନ୍ଦିରର ଠିକ୍‌ ସାମ୍ନାରେ ଏକ ପ୍ରିମିୟମ୍‌ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଖୋଲିଛି। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଧର୍ମୀୟ ଭାବନାକୁ କୁଠାରାଘାତକରି ମଦ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଅବିଳମ୍ବେ ଏହାକୁ ବନ୍ଦ କରି ସ୍ଥାନାନ୍ତର ପାଇଁ ଦାବି ଜୋର୍‌ ଧରିଲାଣି।
ରାଉରକେଲା ଖାତା ନଂ ୪୮/୪୨, ପ୍ଲଟ୍‌ ନଂ ୧୦/୮୪୫, ରୁପୁଟୋଲା ମୌଜାରେ ଏହି ବିଦେଶୀ ମଦ ଦୋକାନ ଆଜି ଖୋଲିଛି। ତେବେ ଏହି ଦୋକାନ ଖୋଲିବା ପୂର୍ବରୁ ଏହାକୁ ପ୍ରତିବାଦ କରାଯାଇଥିଲା। କିଛି ଦିନ ପୂର୍ବେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କମିସନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଧାର୍ମିକ ଭାବନାକୁ ଅଣଦେଖାକରି ମଦ ଦୋକାନ ସ୍ଥାପନ ପାଇଁ ଅନୁମତି ଦିଆଯାଇଥିବାରୁ ନିନ୍ଦା କରିଥିଲେ। ଯଥାଶୀଘ୍ର ନିଷ୍ପତ୍ତିରେ ପରିବର୍ତ୍ତନ କରି ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି କରିଥିଲେ। ବାସ୍ତବରେ, ମଦ ଦୋକାନ ସ୍ଥାନାନ୍ତର ହେବ ନା ନାହିଁ ତାହା ସମୟ କହିବ। ତେବେ ସ୍ପଷ୍ଟଭାବେ ନିୟମ ଉଲ୍ଲଂଘନ କରୁଥିବା ଏହି ମଦ ଦୋକାନକୁ ଅନୁମତି ମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।
ଉଲ୍ଲେଖଯୋଗ୍ୟ, ପ୍ରାୟ ବର୍ଷକ ପୂର୍ବେ ଉକ୍ତ ଜମିର ପଟ୍ଟାଧାରୀ ମଦ ଦୋକାନ ପାଇଁ ଆବେଦନ କରିଥିଲେ। ବ୍ୟାପକ ଯାଞ୍ଚପରେ ସ୍ଥାନୀୟ ଅବକାରୀ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲେ। ତେବେ ଉକ୍ତ ରିପୋର୍ଟରେ ଏଠାରେ ଥିବା ଯାବତୀୟ ନିୟମ ଉଲ୍ଲଂଘନକାରୀ ଦିଗକୁ ଉଲ୍ଳେଖ କରାଯାଇଥିଲା। ପ୍ରସ୍ତାବିତ ଦୋକାନର ଅତି ନିକଟରେ ଶନି ମନ୍ଦିର, ପେଟ୍ରୋଲ ପମ୍ପ୍‌ ଥିବା ଦର୍ଶାଯାଇଥିଲା। ନିୟମାନୁଯାୟୀ, ଏଭଳି ସ୍ଥିତିରେ ମଦ ଦୋକାନ ପାଇଁ ଅନୁମତି ମିଳିନଥାଏ। କିନ୍ତୁ ରାଜ୍ୟ ସରକାର ଚାହିଁଲେ ଅବକାରୀ ବିଭାଗ ନିୟମ କୋହଳ କରି ଅନୁମତି ଦେଇପାରିବେ। ଏହି କ୍ଷେତ୍ରରେ ମଧ୍ୟ ଠିକ୍‌ ସେଇୟା ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିବାପରେ ଏହି ଦୋକାନ ଆଜିଠାରୁ ଖୋଲିଛି। ତେବେ ଏଠାରେ ପ୍ରଶ୍ନ ଉଠେ, ଅବକାରୀ ବିଭାଗର ରିପୋର୍ଟରେ ନିୟମ ଉଲ୍ଲଂଘନ ନେଇ ସ୍ପଷ୍ଟ ଉଲ୍ଲେଖ ଥିବା ସତ୍ତ୍ବେ ଏହାକୁ ଅନୁମତି ମିଳିଲା କେମିତି? ଧର୍ମାବଲମ୍ବୀଙ୍କୁ ଧର୍ମୀୟ ଭାବନାକୁ ଅଣଦେଖା କରି ଅନୁମତି ଦିଆଯିବା ପଛରେ କାରଣ କ’ଣ? ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେଇ ଏନେଇ ପୁନର୍ବିଚାର କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।