ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ମାମଲା:ଅଭିଯୁକ୍ତ ଅଟକ

ବିଶ୍ରା: ୨୬ ତାରିଖ ସନ୍ଧ୍ୟା ୫ଟାରେ ବିଶ୍ରା ଥାନା ଠେଠେପୋଷରେ ବମ୍ବୁଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଲଳିତ ସିଂ ମୁଣ୍ଡା (୪୦) ନିର୍ମମ ହତ୍ୟା ମାମଲାରେ ଗାଁର ଦିଗାମ୍ବର ମାହାତ ଓ ତା’ ପୁଅର ସମ୍ପୃକ୍ତି ଥିବା ପୁଲିସ ସୂଚନା ଦେଇଛି। ଘଟଣା ପରେ ଦୁହେଁ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବାକୁ ପୁଲିସ ତନାଘନା ଆରମ୍ଭ କରି ଦେଇଛି। ଗାଁର ଡେରା ଜମି ପାଇଁ ଲାଗିଥିବା ଶତ୍ରୁତାରୁ ହିଁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପୁଲିସ ଆଜି ମୃତଦେହକୁ ଉଦ୍ଧାର କରି ବିଶ୍ରା ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହା ପରେ ମୃତଦେହକୁ ଏକ ଶୋଭାଯାତ୍ରାରେ ଗାଁକୁ ନିଆଯାଇଥିଲା।

ତେବେ ଭୁବନେଶ୍ୱରରେ ପଢ଼ୁଥିବା ପୁଅ ଆସିବା ପରେ ଶବ ସତ୍କାର ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ପୁଲିସ କହିବା ଅନୁସାରେ ଗତକାଲି ସନ୍ଧ୍ୟାରେ ଲଳିତ ନିଜ ବାଇକ୍‌ରେ ଜରେଇକେଲାରୁ ଠେଠେଇପୋଷକୁ ଫେରୁଥିଲେ। ଦିଗାମ୍ବର ମାହାତ ତାଙ୍କ ଘର ଆଗରେ ହିଁ ଛାତି ଓ ପେଟକୁ ଲକ୍ଷ୍ୟ କରି ତୀର ମାଡ଼ କରିଥିଲେ। ଲଳିତ ତଳେ ପଡ଼ିଯିବା ପରେ ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଲଳିତ ବୀରମିତ୍ରପୁର ବିଧାନସଭାର ପ୍ରାର୍ଥୀ ଭାବେ ଲଢ଼ିଥିବା ବେଳେ ବମ୍ବୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିବାରୁ ଅଞ୍ଚଳରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା। ତାଙ୍କ ହତ୍ୟା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର