ରାଉରକେଲା: ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ, ୪ ଗିରଫ

ରାଉରକେଲା: ବ୍ରାହ୍ମଣୀ ତରଙ୍ଗ ପୁଲିସ ଚୋରା ଚାଲାଣ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆଜି ଭୋର ପ୍ରାୟ ୫ଟାରେ କଲୁଙ୍ଗା ନିକଟସ୍ଥ ବଲଣ୍ଡା କେନାଲ ଛକରୁ ବିସ୍ଫୋରକ ସାମଗ୍ରୀ ବୋଝେଇ ବୋଲେରୋକୁ ଜବତ କରିଥିଲା। ଜବତ ବିସ୍ଫୋରକ ସାମଗ୍ରୀ ଢେଙ୍କାନାଳରୁ କଲୁଙ୍ଗା ଆସୁଥିଲା। ଏହି କାରବାରେ ସମ୍ପୃକ୍ତ କଲୁଙ୍ଗାର ବେପାରୀ ଆଲୋକ ସ୍ୱାଇଁ ଫେରାର ଅଛି। ତା’ର ବ୍ୟବସାୟୀ ସହଯୋଗୀ ଅନୀଲ ଠାକୁର, ଚିକଟମାଟିର ପ୍ରବୀଣ ଟପ୍ପୋ ଓ ବୋଲେରେ ଚାଳକ ମହାଦେବ ପାତ୍ର, ସରୋଜ ସାହୁକୁ ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୪୮୦୦ ଟି ଇଲୋକ୍ଟ୍ରୋନିକ୍‌ ଡେଟୋନେଟର, ୨୭୦୦ଟି ସୁପର ଜେଲ, ୧୭ ପ୍ୟାକେଟ୍‌ ଆମୋନିୟମ୍‌ ନାଇଟ୍ରେଟ୍‌ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

ଜବତ ବିସ୍ଫୋରକ ସାମଗ୍ରୀ ଜିଲ୍ଳାର ବିଭିନ୍ନ ଅଞ୍ଚଳର ପଥର ମାଫିଆଙ୍କୁ ଚାଲାଣ ହେଉଥିଲା। ମାଫିଆମାନେ ସେଗୁଡ଼ିକ ଚୋରାରେ ପଥର ଖାଦାନ, ପଥର କ୍ୱାରି ମାଫିଆଙ୍କକୁ ମୋଟା ଅଙ୍କରେ ବିକ୍ରି କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ କହିବାନୁଯାୟୀ, କଲୁଙ୍ଗା ଅଞ୍ଚଳର ଗିରଫ ବ୍ୟବସାୟୀ ଆଲୋକ ଗତ ୨୦୧୩ରୁ ଏହି ଚୋରା କାରବାର କରୁଥିଲା। ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚୋରାରେ ଆଣୁଥିବା ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ସହଯୋଗୀ ପ୍ରବୀଣଙ୍କ ଘରେ ମହଜୁଦ ରଖୁଥିଲାଯ ପରେ ସେ ଓ ତା’ର ବ୍ୟବସାୟୀ ସହଯୋଗୀ ଅନୀଲ ସହ ମିଶି ପଥର ମାଫିଆମାନଙ୍କୁ ଯୋଗାଣ କରୁଥିଲା।

ପୁଲିସ ସେମାନଙ୍କ ବ୍ୟବସାୟିକ କାରବାର ଉପରେ କଡା ନଜର ରଖିଥିଲା। ଏକ ବୋଲୋରୋ ଢେଙ୍କାନାଳରୁ ବିସ୍ଫୋରକ ସାମଗ୍ରୀ ବୋଝେଇ କରି କଲୁଙ୍ଗା ଆସୁଥିବା ପୁଲିସ ଖବର ପାଇଥିଲା। ବୋଲେରୋ ସହ ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ବଲଣ୍ଡା କେନାଲ ଛକ ନିକଟରେ ଲୁଚି ରହିଥିଲା। କେନାଲ ଛକ ନିକଟରେ ପହଞ୍ଚିବା ମାତ୍ରେ ପୁଲିସ ବୋଲେରୋକୁ ଅଟକାଇଥିଲା।

ସମ୍ବନ୍ଧିତ ଖବର