ରାଉରକେଲା: ଅପହରଣ ପରେ ଚାରିଦିନ ଚାରିରାତି ଧରି ଗଣଦୁଷ୍କର୍ମର ଶିକାର ହୋଇଥିବା ବଣାଇ ଅଞ୍ଚଳର ପୀଡ଼ିତା (୨୦)ଙ୍କ ବୟାନ ରେକର୍ଡ କରାଯାଇଛି। ପୀଡ଼ିତା ସଂପ୍ରତି ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଥିବା ‘ସଖୀ’ ଆଶ୍ରୟ କେନ୍ଦ୍ରରେ ଅଛନ୍ତି। ଶନିବାର ପରିବାରବର୍ଗ ରାଉରକେଲାରେ ପହଞ୍ଚିଲାପରେ ତାଙ୍କୁ ହସ୍ତାନ୍ତର କରାଯିବ। ଅପରପକ୍ଷରେ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ମାମଲାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଅପହରଣକରି ପ୍ରଥମ ଦିନ, ଅର୍ଥାତ ଗତ ୧୫ ତାରିଖରେ ରେଳ ଷ୍ଟେସନ ପାଖରେ ଥିବା ହୋଟେଲ ତାଜ୍‌ରେ ରଖିଥିଲେ। ପୁଲିସ ସେଠାରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲା। ତେବେ ହୋଟେଲ ପକ୍ଷରୁ ସବୁ ନିୟମର ଖୋଲା ଉଲ୍ଲଂଘନ କରାଯାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।
Advertisment
ହୋଟେଲରେ ରହିବାକୁ ହେଲେ, ପରିଚୟପତ୍ର ଦାଖଲ କରିବା ବାଧ୍ୟତାମୂଳକ। ତେବେ ଏହି ଘଟଣାରେ ହୋଟେଲ୍‌ରେ ସମସ୍ତଙ୍କର ପରିଚୟପତ୍ର ଦାଖଲ କରାଯାଇ ନଥିଲା। ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ଧମକଚମକ ଦେଇ ହୋଟେଲରେ ରଖିଥିଲେ। ହୋଟେଲ ପ୍ରକୋଷ୍ଠରେ ପୀଡ଼ିତାଙ୍କ ସମେତ ଦୁଇ ଅଭିଯୁକ୍ତ ବି ରହିଥିଲେ। କିନ୍ତୁ ରୁମ୍‌ ଦେବା ସମୟରେ କେବଳ ଦୁଇଜଣଙ୍କ ଆଧାରକାର୍ଡ ଯାଞ୍ଚ କରାଯାଇଥିଲା। ଯୁବତୀ ଏବଂ ଜଣେ ଅଭିଯୁକ୍ତଙ୍କ ଆଧାରକାର୍ଡ ହୋଟେଲ୍‌ରେ ଦାଖଲ ହୋଇଥିଲା। ଏମିତିକି ଏହି ହୋଟେଲର ସିସିଟିଭି ଫୁଟେଜ୍‌ ବି ଏବେ ଉଭାନ ହୋଇଯାଇଛି। ପୁଲିସ ୧୫ରୁ ୨୨ ତାରିଖ ଯାଏ ହୋଟେଲ୍‌ର ସିସିଟିଭି ଫୁଟେଜ୍‌ ମାଗିଥିଲା। କିନ୍ତୁ ସିସିଟିଭି କାର୍ଯ୍ୟକରୁ ନଥିବା କୁଆଡ଼େ ହୋଟେଲ କର୍ତ୍ତୃପକ୍ଷ କହିଥିଲେ। ତିନିଜଣ ଗୋଟିଏ ରୁମ୍‌ରେ ହିଁ ରହିଥିଲେ। ଏହାସତ୍ତ୍ବେ ହୋଟେଲ କର୍ତ୍ତୃପକ୍ଷ ସନ୍ଦେହ ନ କରିବା ପଛରେ, ଅର୍ଥଲୋଭ ମୁଖ୍ୟ କାରଣ ବୋଲି କହାଯାଉଛି। ପ୍ରଥମ ଗୋଟିଏ ଦିନ ହୋଟେଲ୍‌ରେ ରଖି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାବେଳେ ଆଉ ତିନିଦିନ ବାଲୁଘାଟର ଜଣେ ସଂପର୍କୀୟଙ୍କ ଘରେ ରଖି ତାଙ୍କୁ ଗଣଦୁଷ୍କର୍ମ କରା ଯାଇଥିଲା। ଏଣୁ ପୁଲିସ ବାଲୁଘାଟକୁ ଯାଇ ପଚରାଉଚରା କରିଥିବା ଜଣାପଡ଼ିଛି।