ବୀରମିତ୍ରପୁର: ରାଏବଗା ଥାନା କାଦବାହାଲ ପଞ୍ଚାୟତ ଅଞ୍ଚଳରେ ୨୬ ତାରିଖ ରାତିରେ ଜଣେ ବିବାହିତ ମହିଳାଙ୍କୁ ତାଙ୍କଗ୍ରାମର କିଛି ଯୁବକ ଘରେପଶି ବଳପୂର୍ବକ ଗଣଦୁଷ୍କର୍ମ କରିଥିବା ରାଏବଗା ଥାନାରେ ଅଭିଯୋଗ ହୋଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଉଛନ୍ତି ଚୁଲୁ ବାଘୱା(୩୫)।
ମିଳିଥିବା ସୂଚନା ଅନୁସାରେ, ରବିବାର ୨୬ ତାରିଖ ରାତିରେ ପୀଡ଼ିତା କରିସ୍ମା(୪୫ ଛଦ୍ମନାମ) ଘରେ ଏକା ଥିଲେ। ତାଙ୍କ ସ୍ୱାମୀ ବାହାରରାଜ୍ୟରେ କାମ କରୁଥିବା ବେଳେ କରିସ୍ମା ଘରେ ତାଙ୍କ ପୁଅ ସହିତ ରହୁଥିଲେ। ଘଟଣାଦିନ ପୁଅ ସାହିର ଅନ୍ୟଲୋକଙ୍କ ସହ ନିକଟସ୍ଥ ଗ୍ରାମରେ ଚାଲିଥିବା ଅର୍କେଷ୍ଟ୍ରା ଦେଖିବା ପାଇଁ ଯାଇଥିଲେ। ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ କରିସ୍ମା ଘରେ ଏକାଥିବା ସୁଯୋଗନେଇ ଚୁଲୁ ନିଜର କେତେଜଣ ସାଙ୍ଗଙ୍କ ସହିତ ଘରେ ପଶି ବଳପୂର୍ବକ କରିସ୍ମାକୁ ଦୁଷ୍କର୍ମ କରିବା ପରେ ତାଙ୍କ ନିକଟରେ ଥିବା ୭ ହଜାର ଟଙ୍କା ଓ ମୋବାଇଲ୍ ଫୋନ୍ ନେଇ ପଳାଇ ଯାଇଥିଲେ।
ସକାଳେ କରିସ୍ମା ଘଟଣା ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାରଲୋକେ ରାଏବଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ପାଇବା ପରେ ରାଏବଗା ଥାନାଧିକାରୀ କୃପା ବାଗ ପୁଲିସ ଦଳ ସହ ଚଢ଼ଉକରି ଅଭିଯୁକ୍ତ ଚୁଲୁଙ୍କୁ ଗିରଫ କରିଥିଲେ। ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଡାକ୍ତରୀମାଇନା କରାଇ ଆଜି କୋର୍ଟଚାଲାଣ କରାଯାଇଛି।