ରାଉରକେଲା: ବହୁ ପ୍ରତୀକ୍ଷିତ ବେଦବ୍ୟାସ ଝୁଲାପୋଲ ଖୁବ୍ଶୀଘ୍ର ନିର୍ମାଣ ହେବାକୁ ଯାଉଛି। ସହରବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ରାଜ୍ୟ ସ୍ବତନ୍ତ୍ର ସଚିବ ମୁଖ୍ୟଯନ୍ତ୍ରୀ (ପୋଲ)ଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ବେଦବ୍ୟାସ ଝୁଲାପୋଲ ନିର୍ମାଣ କାମ କାର୍ଯ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ସ୍ବତନ୍ତ୍ର ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରସ୍ତାବିତ ପ୍ରକଳ୍ପର ବିସ୍ତୃତ ତଥ୍ୟ ଦେବାକୁ ଉଲ୍ଲେଖ କରାଯାଇଛି। ପୁରୁଣା ଛେଣ୍ଡ ତ୍ରିବେଣୀ (ହାଡପକା) ଘାଟଠାରୁ ବେଦବ୍ୟାସ ମନ୍ଦିର ପର୍ଯ୍ୟନ୍ତ ଝୁଲା ପୋଲ ପାଇଁ ବେଦବ୍ୟାସ ପୀଠ ବିକାଶ ମଞ୍ଚ ଦାବି କରିଆସୁଥିଲା। କେବଳ ବିକାଶମଞ୍ଚ ନୁହେଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଏକାଧିକାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଗତ ୧୦ ବର୍ଷ ମଧ୍ୟରେ ବିଜେଡି ସରକାର ଅନୁମତି ନ ଦେବାରୁ ଏଭଳି ଝୁଲାପୋଲ ନିର୍ମାଣ କାମ ହୋଇପାରି ନଥିଲା। ବେଦବ୍ୟାସ ପୀଠ ବିକାଶ ମଞ୍ଚର ଆବାହକ ବଦ୍ରୀନାରାୟଣ ପାଢ଼ୀ, ଯୁଗ୍ମ ଆବାହକ ବିଭୂତି ଭୂଷଣ ଦାସ ଓ ଅନ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପୂର୍ତ୍ତବିଭାଗ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଓ ବିଜେପି ଓଡ଼ିଶା ମୁଖପାତ୍ର ଧୀରେନ ସେନାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ୨୦୨୩ ଜାନୁଆରି ୨୬ରେ ବେଦବ୍ୟାସପୀଠ ବିକାଶ ମଞ୍ଚ ପକ୍ଷରୁ ବେଦବ୍ୟାସ ଝୁଲାପୋଲ ନିର୍ମାଣ, ଶଙ୍ଖ, କୋଏଲ ଓ ବ୍ରାହ୍ମଣୀ ମିଳିତ ହୋଇ ଇଂରାଜୀ ଅକ୍ଷର ୱାଇ ନେଉଥିବା ଜଳପ୍ରବାହ ତଥା ବାଲୁକା ଅଞ୍ଚଳର ଉଭୟ ପାର୍ଶ୍ବରେ ଅନ୍ୟୁନ୍ ୧୦ କି.ମି. ନଦୀବନ୍ଧ, ରାସ୍ତା, ପଥର ବନ୍ଧ ଓ ପାହାଚ ନିର୍ମାଣ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୫୦୦ ବ୍ୟକ୍ତିଙ୍କ ଦସ୍ତଖତ ସମ୍ମଳିତ ପତ୍ର ପଠାଯାଇଥବଲା। ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତିଙ୍କ ସହ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କୁ ସାକ୍ଷାତ କରି ଝୁଲାପୋଲ ନିର୍ମାଣ ପାଇଁ ଅନୁରୋଧ କରିଥିଲେ।
ମୁଖ୍ୟଯନ୍ତ୍ରୀଙ୍କୁ ଚିଠିଲେଖିଲେ ସ୍ବତନ୍ତ୍ର ସଚିବ; ବେଦବ୍ୟାସରେ ନିର୍ମାଣ ହେବ ଝୁଲାପୋଲ
/sambad/media/post_attachments/wp-content/uploads/2024/08/1b8d6b39-780e-4c12-b9b2-82cdd155b5ce.jpg)