ଭାଇରାଲ୍‌ ହେଲା ହୃଦୟବିଦାରକ ଚିତ୍ର, ଭୋକ ବିକଳରେ ପଡ଼ିଥିବା ଅଇଁଠା ପତ୍ର ଚାଟି ପେଟ ପୂରାଉଛି କୁନି ଶିଶୁ

ସୁନ୍ଦରଗଡ଼: ଏମିତି ଏକ ଦୃଶ୍ୟ… ଯାହା ଆପଣଙ୍କ ଆଖିରେ ହୁଏତ ଲୁହ ଆଣିଦେଇପାରେ । ଖଣି ଖାଦାନ ଭରା ସୁନ୍ଦରଗଡ଼ କୋଇଡ଼ାରୁ ଆସିଛି ଦାରିଦ୍ର୍ୟର କରୁଣ କାହାଣୀ । ମାଟି ଭିତରେ କେତେ ଅମୂଲ୍ୟ ସଂପଦ ଭରି ରହିଛି ହେଲେ ମାଟି ଉପରେ ରହୁଥିବା ଲୋକଙ୍କ ପେଟ ପୋଡ଼ିଯାଉଛି । ଛୋଟିଆ ପୁଙ୍ଗୁଳା ଛୁଆଟିଏ, ରାସ୍ତା କଡ଼ରେ ପଡିଥିବା ଅଇଁଠା ପତ୍ରକୁ ଚାଟି ଖାଇଯାଉଛି । ଏହି ଗୋଟିଏ ଚିତ୍ର  ସରକାରଙ୍କ ଶହ ଶହ ଯୋଜନା ଉପରେ ହଜାରେ ପ୍ରଶ୍ନ ଛିଡ଼ା କରୁଛି? ଏମିତି କ’ଣ ପରିସ୍ଥିତି ହେଲା ଯେ, ଏହି କୁନି ଛୁଆଟି ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟି ପେଟର ଭୋକ ମେଣ୍ଟାଇଲା । ବେଶ କିଛି ଦିନ ହେବ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଦୃଶ୍ୟ ।

ଭିଡିଓଟି ନଜରକୁ ଆସିବା ପରେ ଘଟଣା ପଛର ସତ୍ୟାସତ୍ୟ ଜାଣିବା ପାଇଁ କୋଇଡାର ତାଡୁଗୋଠ ଗାଁରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି । ଆଉ ସେଠାରେ ଯାହା ଦେଖିଲେ, ତାହା ବିଶ୍ୱାସ ନ ହେଲା ଭଳି । ଖଣି ଖାଦାନ ଭରା ଅଞ୍ଚଳରେ ଥିଲା ଠିକ ନଗଡ଼ା ଭଳି ଚିତ୍ର । ଏହି ପଡ଼ାରେ ୧୦ରୁ ୧୨ଟି ପରିବାର ବସବାସ କରନ୍ତି । ସେଠାକାର ଜଣେ ବାସିନ୍ଦା ରାବଣ ମୁଣ୍ଡାଙ୍କ ତିନି ଛୁଆଙ୍କୁ ନେଇ ତେଲ ଲୁଣର ସଂସାର ।  ଖାଦ୍ୟ ଅଭାବ ଯୋଗୁ ଦିନକୁ ଓଳିଏ ଖାଇବାକୁ ନ ପାଇ ଅପପୁଷ୍ଟିର ଶିକାର ହୋଇଛନ୍ତି । କିଛି ମାସ ହେବ ରାବଣଙ୍କ ସ୍ତ୍ରୀଙ୍କ ଦେହାନ୍ତ ପରେ ଏବେ ପିଲାଙ୍କ ଦାୟିତ୍ୱ ରାବଣ ଉପରେ ପଡ଼ିଛି । ହେଲେ ବାହାରକୁ କାମ ପାଇଁ ନ ଗଲେ ତିନି ପିଲାଙ୍କ ମୁହଁରେ ଆହାର ଦେବେ କିପରି ? ତେଣୁ ପିଲାଙ୍କୁ ଘରେ ଛାଡ଼ି ସେ କାମରେ ଯାଇଥିବା ବେଳେ ଭୋକର ଦାଉରେ ଜଳୁଥିଲେ ତିନି ପିଲା ।

ଆଉ ପେଟର ଜ୍ୱଳା ସହି ନପାରି କୁନି ଶିଶୁଟି ରାସ୍ତାକଡ଼ରେ ଭୋଜି ପରେ ଫୋପାଡି ଦେଇଥିବା ପତ୍ର ଚାଟି ଖାଇଥିଲା ।  ଏ ନେଇ ପିଲାର ବାପାକୁ ପଚାରିବାରୁ ସେ କହିଛନ୍ତି, ଛୁଆଙ୍କୁ ଛାଡ଼ି କାମ କରିବାକୁ ଗଲେ ସେମାନେ ଏଣେ ତେଣେ ବୁଲାବୁଲି କରୁଛନ୍ତି । ତେଣୁ ଏବେ କାମ ଧନ୍ଦା ଛାଡ଼ି ଛୁଆଙ୍କୁ ଜଗି ରହିଛନ୍ତି । ପଞ୍ଚାୟତରୁ ମିଳୁଥିବା ଚାଉଳ ଓ ଜାଳେଣୀ କାଠ ବିକ୍ରି କରି ପରିବାର ଚଳାଉଛନ୍ତି । ତାଡୁଗୋଠ ଗାଁର ଉପର ମୁଣ୍ଡରେ ଲୁହା ଖଣି ଥିଲେ ମଧ୍ୟ କୌଣସି ସୁବିଧା ମିଳୁ ନଥିବାରୁ ମହିଳା ସମେତ ଛୁଆଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ସେହିପରି ପଡ଼ାର ମହିଳାମାନେ ଅଭିଯୋଗ କରିଛନ୍ତି, ଅଙ୍ଗନୱାଡି କେନ୍ଦ୍ରରେ ଛତୁଆଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦୁଇରୁ ତିନି ମାସରେ ଥରେ ମିଳେ ।

ସମ୍ବନ୍ଧିତ ଖବର