ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଲାଗି ରହିଛି ବର୍ଷା। ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ସାରା ରାତି ବର୍ଷିଥିବାବେଳେ ଜିଲ୍ଲା ସଦର ମହକୁମାର ସ୍ଥିତି ବେହାଲ୍ ହୋଇଯାଇଛି। ମୁଖ୍ୟ ରାସ୍ତାକୁ ଛାଡି ଅନ୍ୟ ସମସ୍ତ ପଡା, ବସ୍ତି ପାଣିରେ ଉବୁଟୁବୁ ହୋଇଥିବା ଦେଖିବାକୁ ମିଳିଛି। ବହୁ ଘରେ ପାଣି ପଶି ଯାଇଥିବାବେଳେ ରାସ୍ତାରେ ଆଣ୍ଠୁଏ ପାଣି ବହିଚାଲିଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ସିଡିଏମଓ ଅଫିସରେ ପାଣି ପଶିଥିବା ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଥିବା ଜଣାପାଇଛି।
ସହରର ରିଜେଣ୍ଟ ମାର୍କେଟ, ରାଣୀବଗିଚା, ରଙ୍ଗାଢିପା, ଅରଣ୍ଯନଗର, ସୁନାରୀପଡା, ନିରଞ୍ଜନ ନଗର ପାଣି ଘେରରେ ରହିଛି।। ଘରେ ପାଣି ପଶିଥିବାରୁ ରାତିରୁ ଲୋକେ ସାରା ରାତି କଲବଲ ହୋଇଛନ୍ତି। ପାଣି ନିଷ୍କାସନ ହୋଇ ନପାରିବାରୁ ଘରେ ଘରେ ରନ୍ଧାବଢା ବନ୍ଦ ହୋଇଯାଇଛି।। ଫଳରେ ଲୋକେ ଅଖିଆ ରାତି କାଟିଥିବାବେଳେ ସକାଳେ ମଧ୍ୟ ସ୍ଥିତି ସୁଧୁରି ନାହିଁ। ସହରରେ ମଦର ଡ୍ରେନ୍ ଅଧାପନ୍ତରିଆ ହୋଇ ପଡିଥିବାରୁ ବର୍ଷାଜଳ ନିଷ୍କାସନ ହୋଇ ନପାରି ଏପରି ଅବସ୍ଥା ସୃଷ୍ଟି ହୋଇଛି। ପାଣି ଘେରରେ ଲୋକେ କଲବଲ ହେଉଥିଲେ ବି ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ହୋଇପାରିନାହିଁ। ପୌର ଅଧ୍ୟକ୍ଷା ତନୟା ମିଶ୍ର ଓ ଟିମ୍ ସ୍ଥିତିର ଅନୁଧ୍ୟାନ କରିଛନ୍ତି। କିନ୍ତୁ ଏଯାଏ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଯୁଦ୍ଧକାଳୀନଭିତ୍ତିରେ ପାଣି ନିଷ୍କାସନ ଓ ପ୍ରଭାବିତ ଲୋକଙ୍କୁ ତତ୍କାଳ ରିଲିଫ୍ ଯୋଗାଇବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Untitled-17.png)