ସାରନଗରୀ: ହାତୀବନ୍ଧା ପଞ୍ଚାୟତରେ ଦୀର୍ଘ ୩୫ ବର୍ଷ ଧରି ରହି ଆସିଥିବା ବିଜୟ ଲୁଗୁନ(୩୫) ଏବେ ବେସାହାରା। ହାତୀବନ୍ଧା ପଞ୍ଚାୟତର ମଦନଟୋଲାରେ ବାସ କରୁଥିବା ବିଜୟଙ୍କ ପରିବାରରେ କେହିନାହିଁ। ବିଜୟଙ୍କ ମା’ଙ୍କ ବହୁଦିନରୁ ମୃତ୍ୟୁ ହୋଇଯାଇଛି। ବାପା ଫ୍ରାନ୍‌ସିସ କାଠକାଟି ଏଣେତେଣେ ଦିନମଜୁରିଆ ଭାବେ କାମକରି ୩ ପୁଅଙ୍କୁ ବଡ଼ କରାଇଥିଲେ। ବିଜୟଙ୍କ ବଡ଼ ଓ ସାନଭାଇ ବିଭାହୋଇ ଅଲଗା ଘରସଂସାର କରିଛନ୍ତି। ସ୍ତ୍ରୀ ମରିଯିବା ପରେ ଫ୍ରାନ୍‌ସିସ ଏବେ ଭିକ୍ଷାବୃତ୍ତି କରି ନିଜର ଗୁଜରାଣ ମେଣ୍ଟାଉଥିବାବେଳେ ବିଜୟ ବିଭା ନହୋଇ ସମ୍ପୂର୍ଣ୍ଣ ବେସାହାରା ଅବସ୍ଥାରେ ଭଙ୍ଗାଦଦରା ଘରେ ପଡ଼ି ରହିଛନ୍ତି।

Advertisment

ଘର ଖଣ୍ଡେ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭକରି ତହସିଲ ଅଫିସ, ବିଡିଓଙ୍କୁ ଯେତେ ଗୁହାରିକଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ବିଜୟ ଅଭିଯୋଗ କରିଛନ୍ତି। ବିଜୟ ଦିନମଜୁରିଆ ଭାବେ କାମ କରୁଥିବାବେଳେ କେବେ କାମ ନ ମିଳିଲେ ଭୋକଉପାସରେ ରହୁଛନ୍ତି। ସେଥିରେ ଘରକରିବା ସମ୍ଭବନୁହେଁ। ବିଜୟଙ୍କ ଦୁଃଖ ଦେଖି ନପାରି ଘର ଖଣ୍ଡେ ପାଇଁ ସ୍ଥାନୀୟ ୱାର୍ଡସଭ୍ୟା ନର୍ମଦା ମହାପାତ୍ର ସରପଞ୍ଚ ଓ ବିଧାୟକଙ୍କୁ ଅବଗତ କରିଥିଲେ ମଧ୍ୟ କେହି ତାଙ୍କ ସମସ୍ୟା ଶୁଣୁ ନଥିବା କହିଛନ୍ତି ବିଜୟ। ଝାଟିମାଟି ଘରେ ଜରିପାଲ ଘୋଡ଼େଇ ରହୁଥିବା ବିଜୟ ସରକାରୀ ଘରଖଣ୍ଡେ ପାଇଁ ଚାତକ ପରି ଚାହିଁଛନ୍ତି।