ରାଉରକେଲା: ରାଜ୍ୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତାରେ ରାଉରକେଲା କ୍ରୀଡ଼ା ଛାତ୍ରାବାସ ଓ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି । ଶନିବାର ଉଭୟ ସେମିଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ସେମିଫାଇନାଲରେ ରାଉରକେଲା କ୍ରୀଡ଼ା ଛାତ୍ରାବାସ ୫-୧ ଗୋଲ୍ରେ ଖୋର୍ଦ୍ଧାକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ସେମିଫାଇନାଲରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ୪-୨ ଗୋଲରେ ସୁନ୍ଦରଗଡ଼କୁ ପରାସ୍ତକରି ଫାଇନାଲ ପ୍ରବେଶ କରିଥିଲା। ରବିବାର ଅପରାହ୍ନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ।
ଅପରପକ୍ଷରେ ଶନିବାରଠାରୁ ରାଜ୍ୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ମୋଟ୍ ୮ଟି ମ୍ୟାଚ୍ ଖେଳାଯାଇଥିଲା। ଓଡ଼ିଶା ସେକ୍ରେଟାରିଏଟ୍ ସିଧାସଳଖ ୯-୦ ଗୋଲରେ ଗଞ୍ଜାମକୁ ପରାସ୍ତ କରିଥିବାବେଳେ ଏସ୍ଏମ୍ଏସ୍ ହକି ଏକାଡେମୀ ୪-୦ ଗୋଲରେ ରାୟଗଡ଼ା, ଓଡ଼ିଶା ପୁଲିସ ୧୦-୦ ଗୋଲ୍ରେ କୋରାପୁଟ, ଗାଙ୍ଗପୁର ହକି ଆସୋସିଏସନ ୮-୦ ଗୋଲ୍ରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ୧୧-୦ ଗୋଲରେ ଅନୁଗୁଳ, ଦେବଗଡ଼ ୭-୦ ଗୋଲରେ କେନ୍ଦ୍ରାପଡ଼ା, ରାଉରକେଲା କ୍ରୀଡ଼ା ଛାତ୍ରାବାସ ୬-୦ ଗୋଲରେ ସମ୍ବଲପୁର ଓ ଢେଙ୍କାନାଳ ୧୩-୧ ଗୋଲ୍ରେ ଗଜପତିକୁ ପରାସ୍ତ କରିଛି। ବିଜେତା ଦଳଗୁଡ଼ିକ ରବିବାର କ୍ବାର୍ଟରଫାଇନାଲ ମ୍ୟାଚ୍ରେ ମୁହାଁମୁହିଁ ହେବେ।