ପୂଜାସ୍ଥଳରେ ହୋମ୍‌ ଗାର୍ଡଙ୍କୁ ହତ୍ୟା : ବଳି ବୋଦା ମୁଣ୍ଡ ନିକଟରୁ ଶବ ଉଦ୍ଧାର, ପୂଜକଙ୍କ ସମେତ ୩ ଥାନାରେ ଅଟକ

ବାଲିଶଙ୍କରା/ସୁନ୍ଦରଗଡ଼ : ତଳସରା ଥାନାର ଜଣେ ହୋମ୍‌ ଗାର୍ଡ ନବୀନ ଚନ୍ଦ୍ର ମହାକୁଡ଼ (୫୯)ଙ୍କ ମୃତଦେହ ସ୍ଥାନୀୟ ଏକ ପୂଜାସ୍ଥଳରୁ ଉଦ୍ଧାର ହୋଇଛି। ଭଲ ଫସଲ ଆଶାରେ ଗ୍ରାମ ଦେବତୀଙ୍କ ନିକଟରେ ଆୟୋଜିତ ପାରମ୍ପରିକ ଡେମ୍ବୁଲ୍‌ (କାଦୁଅ ପୂଜା)ରେ ପଶୁ ବଳି ଦିଆଯାଇଥିବା ସ୍ଥାନରେ ନିହତ ହୋମ୍‌ ଗାର୍ଡ଼ଙ୍କ ଶବ ମିଳିଥିବା ବେଳେ ହତ୍ୟାକାଣ୍ଡ ସମ୍ପର୍କରେ ବିଭିନ୍ନ କଥା ଶୁଣାଯାଉଛି। ବଳି ପଶୁର ମୁଣ୍ଡ ନେବାକୁ କେନ୍ଦ୍ର କରି ସେଠାରେ ସଂଘଟିତ ଗଣ୍ଡଗୋଳରେ ଏହି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି। ପୂର୍ବ ଶତ୍ରୁତାରୁ ତାଙ୍କର ଜୀବନ ଯାଇଥିବା ଆଉ କେତେକ କହୁଛନ୍ତି। ସୁନ୍ଦରଗଡ଼ ଏସ୍‌ଡିପିଓ ବଳଭଦ୍ର ଦୀପ୍‌ଙ୍କ ନେତୃତ୍ୱରେ ତଳସରା ପୁଲିସ୍‌ ଶବ ଜବତ କରି ତଦନ୍ତ କରୁଛି। ପୂଜା ବେଳେ ଉପସ୍ଥିତ ପୂଜକ (କାଲୋ) ମୋତି ମାଝୀଙ୍କ ସମେତ ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ପୀଠରେ ଥିବା ଅନ୍ୟାନ୍ୟ ଗ୍ରାମବାସୀ ଫେରାର୍‌ ହୋଇଯାଇଛନ୍ତି।

ବାଲିଶଙ୍କରା ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆଜି ଡେମ୍ବୁଲ ପୂଜା ଅନୁଷ୍ଠିତ ହୋଇଥିଲା। ତଳସରାରେ ଗ୍ରାମ ଦେବୀ ପୂଜା ବେଳେ ଅନେକ ପଶୁଙ୍କୁ ବଳି ଦିଆଯାଇଥିଲା। ପୂଜାସ୍ଥଳରେ ପଶୁ ବଳି ଦିଆଯାଏ। ବଳି ପଶୁର ମୁଣ୍ଡ ପୂଜକ (କାଲୋ) ରଖିଥାନ୍ତି। ପୂଜା ଶେଷରେ ପଶୁଙ୍କ ମୁଣ୍ଡଗୁଡ଼ିକୁ ନେବା ପାଇଁ ଆଜି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ତଳସରା ଥାନା ହୋମ୍‌ ଗାର୍ଡ ତଥା ଗ୍ରାମର ମୁଖିଆ ନବୀନ ଚନ୍ଦ୍ର ମହାକୁଡ଼ କୁଆଡ଼େ ବୋଦା ମୁଣ୍ଡ ନେବାକୁ ଜିଦ୍‌ ଧରିଥିଲେ। ଏଥିପାଇଁ ଅନ୍ୟମାନଙ୍କ ସହିତ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପଶୁ ବଳିରେ ବ୍ୟବହୃତ ଫାର୍ସାରେ କେହି ତାଙ୍କ ବେକକୁ ଚୋଟ ପକାଇଥିଲା। ଫାର୍ସାଟି ମୃତ ନବୀନଙ୍କ ବେକରେ ଲାଗିଥିବା ବେଳେ ବଳି ପଡ଼ିଥିବା ପଶୁଙ୍କ ମୁଣ୍ଡ ନିକଟରେ ତାହା ପଡ଼ି ରହିଥିଲା। ପଶୁଙ୍କ କଟା ମୁଣ୍ଡ ପାଇଁ ନବୀନଙ୍କୁ ହତ୍ୟା କରାଯିବା ଘଟଣାକୁ ଅନେକ ଗ୍ରାମବାସୀ ବିଶ୍ୱାସ କରି ପାରୁନାହାନ୍ତି। ସେମାନଙ୍କ କହିବା ଅନୁସାରେ ନବୀନ ନିଜେ ଗାଁର ମୁଖିଆ ଥିବାରୁ କଟା ମୁଣ୍ଡ ନେବା ତାଙ୍କ ଅଧିକାର। ତେଣୁ ବଳି ପଶୁର ମୁଣ୍ଡ ନେବାକୁ ପୂଜକଙ୍କ ସହିତ ଝଗଡ଼ା କରିବା ଆବଶ୍ୟକ ନଥିଲା। ପୂର୍ବ ଶତ୍ରୁତାରୁ ହୁଏତ କେହି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି। ସୁନ୍ଦରଗଡ଼ ଏସ୍‌ଡିପିଓ ଶ୍ରୀ ଦୀପ୍‌ ଗ୍ରାମ ଦେବତୀ ପୂଜା ବେଳେ ଉପସ୍ଥିତ ଗ୍ରାମବାସୀଙ୍କୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଜମି ବେହୁଡ଼ା ଓ ଧାନ ରୁଆ ପୂର୍ବରୁ ବାଲିଶଙ୍କରା ଅଞ୍ଚଳରେ ଡେମ୍ବୁଲ ପୂଜା ହୁଏ। ଗ୍ରାମର ପୂଜକ ଗ୍ରାମ ଦେବତୀ ପୂଜାର ଗୋଟିଏ ଦିନ ପୂର୍ବରୁ ପ୍ରତ୍ୟେକ ଲୋକଙ୍କ ଘରୁ ଚାଉଳ ସଂଗ୍ରହ କରନ୍ତି। ନିର୍ଧାରିତ ଦିନ ଡେମ୍ବୁଲ ପୂଜା ପାଇଁ ଗ୍ରାମର ସମସ୍ତ ପୁରୁଷ ଚାଷୀ ନଡ଼ିଆ, ସିନ୍ଦୁର, ଧୂପ, ମନ୍ଦାର ଫୁଲ ଓ ମାନସିକ ଅନୁସାରେ ପଶୁ ଧରି ଗ୍ରାମ ଦେବତୀ ପୀଠରେ ପହଞ୍ଚନ୍ତି। ଡେମ୍ବୁଲ ପୂଜାରେ ମାନସିକ ନାମରେ ପଶୁଗୁଡ଼ିକୁ ବଳି ଦିଆଯାଏ। ପଶୁର ମୁଣ୍ଡ ଅଂଶକୁ କାଲୋ ନେଉଥିବା ବେଳେ ଗଣ୍ଡିକୁ ଚାଷୀ ନେଇ ଜମି ପାଖରେ ରୋଷେଇ କରି ପ୍ରସାଦ ରୂପେ ଗ୍ରହଣ କରେ। ଏହି ପୂଜା ନହେବା ପର୍ଯ୍ୟନ୍ତ ଧାନ ରୁଆ ହୁଏ ନାହିଁ।

ସମ୍ବନ୍ଧିତ ଖବର