ରାଉରକେଲା ହୋଟେଲ୍‌ରେ ନିଆଁ ଲାଗି ସାତ ଜଣ ଆହତ

ରାଉରକେଲା: ରବିବାର ସକାଳ ପ୍ରାୟ ୭ଟା ବେଳେ ପାନପୋଷ ଅନ୍ତର୍ଗତ ଗାନ୍ଧୀଛକରେ ଥିବା ଗୋଟାଏ ହୋଟେଲ୍‌ରେ ନିଆଁ ଲାଗିଯିବାରୁ ମାଲିକଙ୍କ ସମେତ ସାତ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ରାଉରକେଲା ସହରର ଅନ୍ୟତମ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ‘ପଞ୍ଚମ’ ନାମକ ହୋଟେଲ୍‌ରେ ସକାଳ ଜଳଖିଆ ତିଆରି ଚାଲିଥିବା ବେଳେ ଏଲ୍‌ପିଜି ସିଲିଣ୍ଡର୍‌ରୁ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ହଠାତ୍‌ ନିଆଁ ଚରିଯିବାରୁ ହୋଟେଲ୍‌ରେ ପଡ଼ିଥିବା ଟେବୁଲ୍‌, ଚେୟାର୍‌, କୁଲର୍‌, ପଙ୍ଖା ଏବଂ ରୋଷେଇବାସ ସାମଗ୍ରୀ ପୋଡ଼ି ଅଙ୍ଗାର ହୋଇଯାଇଛି।

ନିଆଁ ପ୍ରକୋପରେ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ୪୨ ବର୍ଷିୟ ପ୍ରଦୀପ ମହାକୁଡ଼, ୪୨ ପଦ୍ମନ ବେହେରା, ୪୦ ବର୍ଷିୟ କମଳନାଥ ଗିରି, ୫୦ ବର୍ଷିୟ ଲୁଟୁ ଦତ୍ତ, ୪୫ ବର୍ଷିୟ ଅଲେଖ ମହାପାତ୍ର, ୬୦ ବର୍ଷିୟ ଗ୍ରାହକ ଟେଲ୍‌ସା ଟପ୍ପୋ ଓ ହୋଟେଲ୍‌ ମାଲିକ। ପାଞ୍ଚ ଜଣ ହୋଟେଲ୍‌ର କର୍ମଚାରୀ ଓ ମାଲିକ ଏବଂ ସେ ଗ୍ରାହକଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା ନିମନ୍ତେ ହୋଟେଲ୍‌ ମାଲିକଙ୍କୁ ସେଠାରୁ ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ୍‌କୁ ନିଆ ଯାଇଛି।

ଘଟନାସ୍ଥଳରେ ଦୁଇଟି ଦମକଳ ପହଞ୍ଚି ପ୍ରାୟ ୧୦/୧୫ ମିନିଟ୍‌ ମଧ୍ୟରେ ନିଆଁ ଲିଭାଇ ଦେଇଥିଲେ।

 

ସମ୍ବନ୍ଧିତ ଖବର