ସୁନ୍ଦରଗଡ଼: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ୬ଟି ବ୍ଲକ୍ କୋଇଡ଼ା, ଲହୁଣୀପଡ଼ା, ହେମଗିର, କୁତ୍ରା, କୁଆରମୁଣ୍ଡା ଓ ରାଜଗାଙ୍ଗପୁର ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି ତାଲିମ ବ୍ୟବସ୍ଥା କରାଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଗତ ଦୁଇ ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୫୦ ଜଣ ପ୍ରାର୍ଥୀ ଏହି ସୁଯୋଗ ପାଇଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଖଣି ପ୍ରଭାବିତ ବ୍ଲକର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନଙ୍କୁ ସେଠାରେ ପଢ଼ିବାର ସୁଯୋଗ ଦିଆଯାଉଛି।
୨୦୨୨-୨୩ ଶିକ୍ଷାବର୍ଷ ଲାଗି ଏହି ଶିକ୍ଷାନୁଷ୍ଠାନରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀମାନେ ଏଠାରେ ମାଗଣାରେ ନାମ ଲେଖାଇ ପାରିବେ ବୋଲି ଅଧ୍ୟକ୍ଷ ସୁରେଶ କୁମାର ଏକନାଥ କହିଛନ୍ତି। ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ପ୍ରମାଣପତ୍ର ସହିତ ବାସସ୍ଥାନ ପ୍ରମାଣପତ୍ର ସାଙ୍ଗରେ ନେଇ ସିଧାସଳଖ ବଲାଙ୍ଗୀରସ୍ଥିତ ଏହି ଶିକ୍ଷାନୁଷ୍ଠାନରେ ପହଞ୍ଚି ନାମ ଲେଖାଇ ପାରିବେ। ନାମ ଲେଖାଇବାର ଶେଷ ତାରିଖ ଜୁଲାଇ ୩୧ ରହିଛି ବୋଲି ଏକନାଥ ସୂଚନା ଦେଇଛନ୍ତି। ଏହି ପାଠ୍ୟକ୍ରମର ସମ୍ପୂର୍ଣ୍ଣ ଅବଧି ଲାଗି ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ କୋର୍ସ ଫି, ହଷ୍ଟେଲ ଏବଂ ଖାଇବା ପିଇବା ବାବଦ ସମସ୍ତ ଖର୍ଚ୍ଚ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବହନ କରାଯାଉଛି।
୨୦୨୦-୨୧ ଶିକ୍ଷା ବର୍ଷରେ ଜିଲ୍ଲାର ୧୦ ଜଣ ପ୍ରାର୍ଥୀ ଏହି କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ ନାମ ଲେଖାଇଥିବା ବେଳେ ୨୦୨୧-୨୨ରେ ୪୦ ଜଣ ପ୍ରାର୍ଥୀ ନାମ ଲେଖାଇବାର ସୁଯୋଗ ପାଇଛନ୍ତି। ଶିକ୍ଷାନୁଷ୍ଠାନରେ ହସ୍ପିଟାଲିଟି ଆଣ୍ଡ ହୋଟେଲ ଆଡମିନିଷ୍ଟ୍ରେସନ ବିଷୟରେ ତିନି ବର୍ଷିଆ ଡିଗ୍ରୀ, ଫୁଡ୍ ପ୍ରଡକ୍ସନ, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସ, ହାଉସ୍ କିପିଂ, ଫ୍ରଣ୍ଟ ଅଫିସ ଅପରେସନ, ବେକେରି ଏବଂ କନଫେକ୍ସନେରିରେ ଦେଢ଼ ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ରହିଛି। ସେହିପରି ଫୁଡ୍ ପ୍ରଡକ୍ସନ ଓ ପାଟିସେରି, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସରେ ୬ ମାସିଆ ସାର୍ଟିଫିକେଟ କୋର୍ସ ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/a31af068-d56e-4615-b2e6-a46c34873b8b.jpg)