ଫାଇଲ୍ ଭିତରେ ୪୯୩ କୋଟିର ଇବ୍ ବ୍ୟାରେଜ: ୧୯୮୦ରୁ ୨୦୨୩ ସ୍ବପ୍ନ ଦେଖା ସରୁନାହିଁ

ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସକୁ ବର୍ଷେ ପରେ ବି ଆରମ୍ଭ ହେଲାନି ନିର୍ମାଣ

ସୁନ୍ଦରଗଡ଼: ୧୯୮୦ରୁ ୨୦୨୩, ସୁନ୍ଦରଗଡ଼ର ବହୁ ପ୍ରତୀକ୍ଷିତ ଇବ୍‌ ବ୍ୟାରେଜରୁ ଜମିକୁ ପାଣି, ଘରକୁ ପାନୀୟ ଜଳ, ମାଛ ଚାଷ, ଉଦବେଗଜନକ ଭାବେ ହ୍ରାସ ପାଉଥିବା ଭୂତଳ ଜଳସ୍ତର ବୃଦ୍ଧିର ଉଲ୍ଲସିତ ସ୍ବପ୍ନ ଦେଖି ଦେଖି ବିତିଗଲାଣି ୪୩ ବର୍ଷ। ଏହା ମଧ୍ୟରେ ଇବନଦୀର ବହୁ ପାଣି ବହି ଯାଇ ମହାନଦୀରେ ମିଶିଲାଣି। କ୍ରମଶଃ ଇବ୍‌ ଶୁଖିଲା ପଡ଼ିଲାଣି। ଖରାଦିନେ ନଦୀର ଉପରମୁଣ୍ଡ ଛତିଶଗଡ଼ ସୀମାନ୍ତ ବାଲିଶଙ୍କରାର ତେଲିଯୋରଠାରୁ ଶେଷ ମୁଣ୍ଡ ସଦର ବ୍ଲକ୍‌ ଭଷ୍ମା ଯାଏଁ ୭୦ କିଲୋମିଟର ଓ ପଡ଼ୋଶୀ ଝାରସୁଗୁଡ଼ା ଜିଲ୍ଲା‌ ପାଣି ପାଇଁ ଡହଳବିକଳ ହେଲେଣି। କିନ୍ତୁ ବନ୍ଧ ନିର୍ମାଣ ହୋଇପାରୁନି। ସବୁଠାରୁ ବଡ଼ କଥା ହେଲା, ୨୦୨୨ ଜାନୁଆରି ୧୦ ତାରିଖରେ ନଦୀର କୋପସିଂହା ଓ କୁଡ଼ାବଗା ଠାରେ ୪୯୩ କୋଟିର ବନ୍ଧ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ସୁନ୍ଦରଗଡ଼ ପୌରାଞ୍ଚଳ ସହ ସୁନ୍ଦରଗଡ଼ ସଦର ବ୍ଲକ୍, ଲେଫ୍ରିପଡ଼ା, ବାଲିଶଙ୍କରା ଓ ଟାଙ୍ଗରପାଲି ବ୍ଲକର ୪୭ ହଜାର ଲୋକ ସିଧାସଳଖ ଉପକୃତ ହେବେ। ଏହାସହିତ ୪୮୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ଉପରୋକ୍ତ ବ୍ଲକଗୁଡ଼ିକରେ ଘରେ ଘରେ ପାନୀୟ ଜଳଯୋଗାଣ ସୁବିଧା ହୋଇପାରିବ ଓ ବ୍ୟାରେଜରେ ମାଛ ଚାଷ କରି ଲୋକେ ଜୀବିକା ନିର୍ବାହ କରିପାରିବେ। କେବଳ ସେତିକି ନୁହେଁ, ଦୁଇ ବ୍ୟାରେଜ ଉପରେ ବ୍ରିଜ କରାଯାଉଥିବାରୁ ଲେଫ୍ରିପଡ଼ା ଓ ଟାଙ୍ଗରପାଲି ବ୍ଲକର ଲୋକମାନେ ରାଉରକେଲା ସହିତ ସିଧାସଳଖ ସଡ଼କ ଯୋଗାଯୋଗ ସୁବିଧା ପାଇବେ ବୋଲି କୁହାଯାଇଥିଲା। ୨ ବର୍ଷରେ ଦୁଇଟି ବନ୍ଧ କାମ ଶେଷ ହେବ ବୋଲି ଜଳସେଚନ ବିଭାଗ ସଭାରେ ଘୋଷଣା କରିଥିଲା। କିନ୍ତୁ ଶିଳାନ୍ୟାସକୁ ବର୍ଷେ ବିତିଯିବା ପରେ ମଧ୍ୟ ନିର୍ମାଣର ନାମଗନ୍ଧ ନାହିଁ। ଉଲ୍ଲେଖଯୋଗ୍ୟ,
୧୯୮୦ରେ ବାଲିଶଙ୍କରା ବ୍ଲକ୍‌ କଟନିଡିହିଠାରେ ଯୁଗୀଯୁଗେନର ଦୁଇ ପାହାଡ଼ ମଝି ଇବନଦୀରେ ୧୨ ଶହ କୋଟି ବ୍ୟୟରେ ବୃହତ ବନ୍ଧ ତିଆରି ପାଇଁ ଯୋଜନା କରିଥିଲେ ସରକାର। କିନ୍ତୁ ସ୍ଥାନୀୟ ଅଧିବାସୀଙ୍କ ପ୍ରତିବାଦ, ଖାସ କରି ତତ୍କାଳୀନ ମନ୍ତ୍ରୀ ଗଜାଧର ମାଝୀଙ୍କ ତୀବ୍ର ବିରୋଧ ପରେ ବନ୍ଧ ବାତିଲ ହୋଇଯାଇଥିଲା। ତା’ ପରଠାରୁ ଇବରେ ବନ୍ଧ ନିର୍ମାଣ କଥା ଏକ ପ୍ରକାର ଭୁଲିଗଲେ ସରକାର। ଅନ୍ୟପଟେ ୨୦୦୭ରୁ ନଦୀର ଉପରମୁଣ୍ଡ‌ରେ ଛତିଶଗଡ଼ ସରକାର ବନ୍ଧ ପରେ ବନ୍ଧ ବାନ୍ଧି ଇବ୍‌ ପାଣିକୁ ଅଟକାଇ ରଖିବା ଆରମ୍ଭ କରିଥିଲା। ୨୦୦୭ରେ ଛତିଶଗଡ଼ ଜଳସମ୍ପଦ ବିଭାଗ କୁନକୁରିଠାରୁ ୩୦ କିଲୋମିଟର ଦୂର ଗୁଲ୍ଲୁ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ଶେଷ କରିବା ପରେ ଓଡ଼ିଶା ସୀମାରୁ ୨୦ କିଲୋମିଟର ଦୂର କତେବିରାଠାରେ ୧୫ କୋଟି ଅଟକଳରେ ଏକ ଆନିକଟ ନିର୍ମାଣ କରିଛି। ଇବନଦୀରେ ଛତିଶଗଡ଼ର କବଜାର ସମ୍ପର୍କରେ ଓଡ଼ିଶା ସରକାର ଅବଗତ ଥାଇ ମଧ୍ୟ ନିରବ ରହିଥିଲେ। ତେବେ ସୁନ୍ଦରଗଡ଼ ପୌରାଞ୍ଚଳରେ ପାନୀୟ ଜଳ ସଂକଟ ଦେଖାଦେବା ଓ ବର୍ଷର ୬ ମାସ ନଦୀ ଶୁଖିଲା ପଡ଼ିବାରୁ ଚିନ୍ତିତ ସୁନ୍ଦରଗଡ଼ବାସୀ ବନ୍ଧ ପାଇଁ ଦାବି ଉଠାଇଥିଲେ। ତତ୍କାଳୀନ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ୨୦୦୯ରେ ଏଥିପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ ପ୍ରାୟ ୧୦ ହଜାର ହେକ୍ଟର ଜମିରେ ଜଳସେଚନ ଓ ପାନୀୟ ଜଳ ସଂକଟ ଦୂର କରିବା ପାଇଁ ୨୦୧୦/୧୧ରେ କୋପସିଙ୍ଗା ଠାରେ ୪ ଶହ କୋଟିର ବ୍ୟାରେଜ ପ୍ରକଳ୍ପକୁ ଜଳସମ୍ପଦ ବିଭାଗ ଅନୁମୋଦନ କରିଥିଲା। କିନ୍ତୁ ବିଭିନ୍ନ ବାଦବିବାଦ ମଧ୍ୟରେ ପ୍ରକଳ୍ପ ବାତିଲ ହୋଇଗଲା। ତା’ ପରଠାରୁ ବିଭିନ୍ନ ସମୟରେ ଇବରେ ବନ୍ଧ, ଆନିକଟ ପାଇଁ ଯୋଜନା, ସର୍ଭେ, ଡିପିଆର, ଅନୁମୋଦନ ପ୍ରକ୍ରିୟା ମଧ୍ୟରେ ବର୍ଷ ପରେ ବର୍ଷ ଗଡ଼ି ଚାଲିଲା। ଗତ ୨୦୨୧ରେ ସୁନ୍ଦରଗଡ଼ବାସୀଙ୍କ ତରଫରୁ ବିଧାୟିକା କୁସୁମ ଟେଟେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଦୋହରାଇଥିଲେ। ଏହା ପରେ ୨୦୨୧ ସେପ୍ଟେମ୍ବରରେ ଅର୍ଥ ମଞ୍ଜୁର କରି ବନ୍ଧ ନିର୍ମାଣର ଆଶାକୁ ଉଜ୍ବଳ କରିଥିଲେ। କିନ୍ତୁ ଏଯାଏଁ ତାହା ଫାଇଲ ଭିତରେ ପଡ଼ି ରହିଛି।

ସମ୍ବନ୍ଧିତ ଖବର