ରାଉରକେଲା: ରାଜ୍ୟରେ ବେକାବୁ ସ୍ଥିତିରେ ରହିଛି କରୋନା ସଂକ୍ରମଣ। ସେହିଭଳି ଅଧିକ ପ୍ରଭାବିତ ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ସୁନ୍ଦରଗଡ଼। ଆଉ ସୁନ୍ଦରଗଡ଼ ଜିଲ୍ଲାର ମୋଟ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ କେବଳ ଚିହ୍ନଟ ହେଉଛନ୍ତି ରାଉରକେଲାରୁ। ତେଣୁ, କେମିତି ସଂକ୍ରମଣର ଚେନ କୁ କିଭଳି ରୋକାଯିବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ ସ୍ଥାନୀୟ ପ୍ରଶାସନ ସମସ୍ତେ ଚିନ୍ତିତ। ସେପଟେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବାକୁ ମାର୍ଗଦର୍ଶିକା ଜାରି କରି କଡାକଡି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି କରିଚାଲିଛନ୍ତି।

Advertisment

publive-image

ସେହିଭଳି ସଟଡାଉନ ଓ ନାଇଟ କର୍ଫ୍ୟୁ ଭଳି ପଦକ୍ଷେପ ନିଆଯାଉଛି। ହେଲେ, ଆରଏସପି ପରିଚାଳିତ ଆଇଜିଏଚ କର୍ତ୍ତୃପକ୍ଷ କିନ୍ତୁ ଏ କ୍ଷେତ୍ରରେ ଘୋର ଅବହେଳା କରି ପୁରାପୁରି ବେଫିକର ବସିଛନ୍ତି। ଆଇଜିଏଚ ସ୍ଥିତ କୋଭିଡ ଟିକାକରଣ କେନ୍ଦ୍ରକୁ ଟୀକା ନେବାକୁ ଆସୁଥିବା ଲୋକଙ୍କ ଗହଳି ଓ ବିକଳ ହୋଇ ଧାଡ଼ିବାନ୍ଧି ଘଣ୍ଟାଘଣ୍ଟା ଧରି ଛିଡା ରହିବା ଦୃଶ୍ୟ ହିଁ ବୟାନ କରୁଛି ଏଠାରେ କେମିତି ପାଳନ ହେଉଛି ସରକାରଙ୍କ କୋଭିଡ ଗାଇଡ଼ଲାଇନ। ଗୋଟିଏପଟେ ସାମାଜିକ ଦୂରତା କୁ କେନ୍ଦ୍ରରୁ ନେଇ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପ୍ରାଧାନ୍ୟ ଦେଉଥିବା ବେଳେ ଏଥିପ୍ରତି କେତେ ସଜାଗ ଓ ତତ୍ପର ଅଛନ୍ତି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିଚାଳିତ ଆଇଜିଏଚ କର୍ତ୍ତୃପକ୍ଷ ? ଇଏ ହେଉଛି ତା'ର ଜ୍ୱଳନ୍ତ ଉଦାହରଣ।
ପ୍ରଶ୍ନ ଉଠୁଛି ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ରହିଛି ତା'କୁ ବେଖାତିର କରି ଏଭଳି ସିନେମା ହଲ ଷ୍ଟାଇଲରେ ରାତି ୩ ଟା' ରୁ ଲାଇନ ଲଗାଇ ଓ ଚିଠା ପ୍ରସ୍ତୁତ କରି ଟିକା ଦେବା ପ୍ରକ୍ରିୟା ଆପଣେଇବା ପାଇଁ କିଏ ଅନୁମତି ଦେଲା ? ଏହାଦ୍ୱାରା କରୋନା ନିୟନ୍ତ୍ରଣ ହେବ ନା' ଅଧିକ ସଂକ୍ରମଣକୁ ଆମନ୍ତ୍ରଣ କରିବ ? ଅନ୍ୟପକ୍ଷରେ ରାତି ୩ ଟା ରୁ ଘରୁ ଆସି ବରିଷ୍ଠ ନାଗରିକ ସେଠାରେ ଡେରା ପକାଇ ପୂର୍ବାହ୍ନ ୮ ଟା ପର୍ଯ୍ୟନ୍ତ ଚାତକ ଭଳି ଅପେକ୍ଷା କରିବା ପୁଣି ଟିକାଦେବା ପ୍ରକ୍ରିୟା ଆରମ୍ଭ ହେଲାମାତ୍ରେ ଠେଲାପେଲାର ଶିକାର ହୋଇ ଫେରିବା କି ' ପ୍ରକାର ବ୍ୟବସ୍ଥା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମ ପର୍ଯାୟରେ କେବଳ ବରିଷ୍ଠ ନାଗରିକଙ୍କ ପାଇଁ ଟିକାକରଣ ଉଦ୍ଧିଷ୍ଟ ଥିଲା। ପରେ ୪୫ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ସାମିଲ କରାଗଲା।

ଏବେ ପୁଣି ମଇ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକାଦେବାର କାର୍ଯ୍ୟକ୍ରମ ସ୍ଥିର ହେଲାଣି। ଯେଉଁଠି ଏତିକିରେ ଅସମ୍ଭାଳ, ସେତେବେଳେ କିଭଳି ପରିସ୍ଥିତି ଉପୁଜିବ ତା'ହା ସହଜରେ ଅନୁମେୟ। ଏନେଇ କର୍ତ୍ତୃପକ୍ଷଙ୍କୁ ବରିଷ୍ଠ ନାଗରିକ ଅଭିଯୋଗ କରିବାପରେ ଏମିତି କିଛି ମିଳିଥିଲା ଉତ୍ତର.. "ଯାହାକୁ ଅଭିଯୋଗ କରିବା କଥା କର, ଏଠି ବନ୍ଦ ହୋଇଗଲେ ଆମେ ଟିକେ ଶାନ୍ତିରେ ନିଶ୍ୱାସ ମାରିବୁ"। ଏଭଳି ସ୍ଥିତି କେବଳ ଆଇଜିଏଚରେ ନୁହେଁ, ବରଂ ସମାନ ଅବସ୍ଥା ଦେଖିବାକୁ ମିଳୁଛି ସେକ୍ଟର-୬ ସ୍ଥିତ ହେଲଥ ସେଣ୍ଟର ଓ ଅନ୍ୟାନ୍ୟ ସରକାରୀ ଟିକାକରଣ କେନ୍ଦ୍ରରେ। ପ୍ରଶ୍ନ ଉଠୁଛି ଟୀକାକରଣ ଯୋଜନା କରୋନା ନିରାକରଣ ପାଇଁ ନା' ଅଧିକରୁ ଅଧିକ ସଂକ୍ରମଣକୁ ଆମନ୍ତ୍ରଣ ପାଇଁ।