କୋଇଡ଼ା: ରାଜ୍ୟ ଓ ଦେଶକୁ ଲୁହାପଥର ଯୋଗାଇ ଦେଶ ତଥା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ରଖିଥିବା କୋଇଡ଼ା ପାଇଁ ଏବେ ବେଆଇନ ପାର୍କିଂ କାଳ ପାଲଟିଛି। ଏହି ବେଆଇନ ପାର୍କିଂ ପାଇଁ ମଧ୍ୟ ଭିନ୍ନ ଭିନ୍ନ କାରଣ ରହିଛି। ଲୋଡିଂଠାରୁ ଅଧିକ ଗାଡ଼ିଙ୍କ ଗମନାଗମନ, କୌଣସି ପାର୍କିଂ ବ୍ୟବସ୍ଥା ନ ରହିବା ତଥା କୌଣସି ଖଣି ଠିକ୍ ଭାବେ ନିଜ ପାର୍କିଂକୁ ବ୍ୟବହାର ନ କରିବା ଭଳି ଅନେକ କାରଣ ହେତୁ ଦୈନନ୍ଦିନ ସଡ଼କ ଦୁର୍ଘଟଣାରେ ଜୀବନହାନି ଘଟୁଛି।
ତେବେ ଏ ଜାମ୍‌ କିଂବା ବେଆଇନ ପାର୍କିଂ କେବଳ ଯେ କୋଇଡ଼ାରେ ହେଉଛି ତାହା ନୁହେଁ, ଏହି କାମ ଖଣ୍ଡାଧାରର ଓଡ଼ିଶା ଖଣିନିଗମ ପରିଚାଳିତ କୁର୍ମିତର ଲୌହଖଣିରେ ମଧ୍ୟ୍ୟ ହେଉଛି। ଯାହାଫଳରେ ବରସୁଆଁରୁ ଟିଙ୍କୋ ଘାଟି ସମେତ ଟେନ୍‌ସା କୋଇଡ଼ା ଆଦି ଅଂଚଳକୁ ଗମନାଗମନରେ ବାଧା ସୃଷ୍ଟିହେଉଛି। ସ୍କୁଲକଲେଜ ଛାତ୍ରଛାତ୍ରୀ ସ୍କୁଲକଲେଜ ଯିବାରୁ ବଞ୍ଚିତ ହେଉଥିବାବେଳେ ରୋଗୀ ବାଟରେ ମରିବାକୁ ବାଧ୍ୟ ହେଉଛନ୍ତି। ଜିନ୍ଦଲ ଖଣି ଯୋଗୁ ଜିରୋ ପଏଣ୍ଟ ଅଞ୍ଚଳ ଜାମ୍‌ ରହୁଛି ଓ ପିଟିଏ ଏବଂ ଗୀତାରାଣୀ ଖଣି ପାଇଁ ରାଇକଳା ଛକ ଜାମ୍‌ ରହୁଛି। ଅନ୍ୟପକ୍ଷରେ ସମାନ ପରିସ୍ଥିତି ରାଜାମୁଣ୍ଡା-ପାଣିକୋଇଲି ୫୨୦ ନମ୍ବର ରାଜପଥରେ କଲତାଠାରୁ କୁସୁମଢି ରୁଙ୍ଗଟା କମଣ୍ଡ ଷ୍ଟିଲ ପ୍ଲାଣ୍ଟ, ଜେଏସ୍‌ଡବ୍ଲ୍ୟୁ ନାରାୟଣପୋଷି ଖଣି ଏବଂ ରେଙ୍ଗାଲବେଢ଼ାର ଇଏସ୍‌ଏଲ୍‌ ବେଦାନ୍ତ ଲୌହଖଣି ପାଇଁ ପଡ଼ୋଶୀ ଜିଲ୍ଲା ଗୁଆଲି ପର୍ଯ୍ୟନ୍ତ ରାସ୍ତା ଉପରେ ଗାଡ଼ିମାନଙ୍କ ଲମ୍ବା ଦୁଇ ତିନିଧାଡ଼ି ଦେଖିବାକୁ ମିଳିଥାଏ।
ସମାନ ସ୍ଥିତି ଏବେ ମାଲଦା ପଞ୍ଚାୟତର ରୁଙ୍ଗଟା ଓରାଘାଟ, ସାନଇନ୍ଦୁପୁର ଖଣି, ସାଗାସାହିର ଆର୍ସେଲର ମିତ୍ତଲ ଲୌହଖଣି, ଗଣୁଆ ପଟ୍ଟାବେଡ଼ାର ଏମ୍‌ଜି ମହାନ୍ତି ଖଣି ଓ ଜେଏସ୍‌ଡବ୍ଲ୍ୟୁ ଖଣି ଯୋଗୁ ସୃଷ୍ଟିହୋଇଛି। ଏଥିପାଇଁ କୋଇଡ଼ା ଖଣି ମଣ୍ଡଳରେ ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟିହୋଇ ଦୈନନ୍ଦିନ ଧନଜୀବନ ହାନି ଘଟୁଥିଲେ ହେଁ ଜିଲ୍ଲା ପ୍ରଶାସନ ଚୁପ୍ ରହୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ଏହି ଖଣି ଅଞ୍ଚଳରେ କେବେ ହେଲେ ଅମାନିଆଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନଜିର ନାହିଁ।
କୋଇଡ଼ା ଖଣି ଅଞ୍ଚଳରେ କେବଳ ଟେନ୍‌ସା ଠାରେ ଗୋଟିଏ ପାର୍କିଂ ବ୍ୟବସ୍ଥା କରି ପ୍ରଶାସନ ନିଜ ଦାୟିତ୍ୱ ସାରିଦେଇଛି। ତେବେ ବର୍ଷା ଏବଂ ଶୀତଦିନେ ଘନକୁହୁଡି ଫଳରେ ରାତ୍ରି ସମୟରେ ଅଧିକରୁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ବେଆଇନ୍ ପାର୍କିଂ ନିଶ୍ଚିତ ରୂପେ ମୁଣ୍ଡବ୍ୟଥାର କାରଣ ପାଲଟିବା ସହିତ ବହୁ ସମୟରେ ଧନଜୀବନ ହାନି ଘଟୁଛି। ୟା ପାଇଁ ନିୟମ କଡ଼ାକଡ଼ି ଭାବେ ପାଳନ ହେବା ଦରକାର ଓ ଖଣି ଅଞ୍ଚଳରେ ବେଶି ପାର୍କିଂ ବ୍ୟବସ୍ଥା ପାଇଁ ବିଧାନସଭାରେ ସେ ଦାବି ଉପସ୍ଥାପନ କରିବେ ବୋଲି ନିଜ ପ୍ରତିକ୍ରିୟାରେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି।