ରାଉରକେଲା: ରାଉରକେଲାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଉଦିତନଗର ପଡ଼ିଆଠାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଵା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

Advertisment

ଏହି ଅବସରରେ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ଜିଲ୍ଲାପାଳ କହିଥିଲେ ଯେ, ବିଭିନ୍ନତା ମଧ୍ୟରେ ଏକତା ଭାରତର ନିଦର୍ଶନ।  ଦେଶରେ ଅନେକ ଭାଷା ସଂପ୍ରଦାୟର ଲୋକ ବସବାସ କରୁଛନ୍ତି। ପରସ୍ପର ଭିତରେ ଥିବା ଭାଇଚାରା ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି। ଏହି କଷ୍ଟଲଵ୍ଧ ସ୍ବାଧୀନତାକୁ ବଜାୟ ରଖିବା ପାଇଁ ଆମ ସମସ୍ତଙ୍କର ବିଶେଷ କରି ଯୁବପୀଢିର ପରମ କର୍ତ୍ତବ୍ୟ ଓ ଦାୟିତ୍ୱ। ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ।

ସେ କହିଥିଲେ ଯେ  ୨୦୨୩ ରେ ପୁରୁଷ ହକି ବିଶ୍ୱକପ୍ ରାଉରକେଲାରେ ସଫଳତା ର ସହିତ ଆୟୋଜନ ପରେ   ରାଉରକେଲା କ୍ରୀଡା ହବ ହୋଇପାରିଛି। ଏଠାରୁ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ସହିତ ରାଉରକେଲା ପାଇଁ ଗୌରବ ଆଣିଛନ୍ତି।  ନିକଟରେ ସମାପ୍ତ ହୋଇଥିବା ପ୍ୟାରିସ ଅଲିମ୍ପିକରେ ଭାରତୀୟ  ହକି ଦଳ କାସ୍ୟ ପଦକ ହାସଲ କରିଛିି ଏହି ଦଳରେ  ପାନପୋଷ ସ୍ପୋର୍ଟ ହୋଷ୍ଟଲର  ଛାତ୍ର ଅମିତ ରୋହିଦାସ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ।  ଏହା ରାଉରକେଲା ପାଇଁ ଗର୍ବ ଓ ଗୌରବର କଥା।

ଏହି ଅବସରରେ ଭାରତର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା  ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗୀୟ ବଂଶୀଧର ଦ୍ବିବେଦୀଙ୍କ ପତ୍ନୀ ଦମୟନ୍ତୀ ଦ୍ବିବେଦୀ ଓ ସ୍ବର୍ଗୀୟ ବିଶ୍ବନାଥ ପ୍ରଧାନଙ୍କ ପତ୍ନୀ ପାର୍ବତୀ ପ୍ରଧାନଙ୍କୁ ସମ୍ମାନୀତ କରା ଯାଇଥିଲା।
ରିଜର୍ଭ ପୋଲିସର ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପ୍ୟାରେଡ ହୋଇଥିଲା। ପ୍ୟାରେଡରେ ୪୫ ଦଳ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲାର କ୍ରୀଡ଼ା ପ୍ରତିଭା, ପୁଲିସ ଓ ଅନ୍ୟ ବିଭାଗର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହା ବ୍ୟତୀତ ଶ୍ରୀ ମହାଜନ ରାଉରକେଲା ମୁଖ୍ୟଜେଲର ଅନ୍ତେବାସୀ ଓ ରାଉରକେଲା ସରକାରୀ ଚିକିତ୍ସାଳୟର  ରୋଗୀମାନଙ୍କୁ ଫଳ ଓ ମିଷ୍ଟା ନ୍ନ ବଣ୍ଟନ କରିଥିଲେ।

ଏହି ସମାରୋହରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି, ରାଉରକେଲା ଡିଆଇଜି ବ୍ରିଜେଶ କୁମାର ରାୟ, ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ , ରାଉରକେଲା ମହାନଗର ନିଗମର ଯୁଗ୍ମ କମିଶନର ପଲ୍ଲବୀ ନାୟକ , ଡେପୁଟି କମିଶନର ଅନୀତା ନାୟକ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।

ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଓ ମହେନ୍ଦ୍ର ମିଶ୍ର ପରିଚାଳନା କରିଥିଲେ।