ହକିର ଗଡ଼ ସୁନ୍ଦରଗଡ଼ ଦେଶକୁ ଗୌରବାନ୍ଵିତ କରିଛି: ମନ୍ତ୍ରୀ

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ

ସୁନ୍ଦରଗଡ଼: ‘ଦେଶର ସ୍ବାଧୀନତା ଆନ୍ଦୋଳନରେ ସୁନ୍ଦରଗଡ଼ର ଯେତିକି ଅବଦାନ ରହିଛି, ସ୍ଵାଧୀନ ଭାରତ ଗଠନରେ ଏ ଜିଲ୍ଲାର ସରଳ ମଣିଷମାନଙ୍କ ଭୂମିକା ସେତିକି ରହିଛି। କ୍ରୀଡ଼ାକ୍ଷେତ୍ରରେ ଜିଲ୍ଲା ସାରା ଦେଶକୁ ଚମତ୍କୃତ କରିଛି। ହକିର ଗଡ଼ ସୁନ୍ଦରଗଡ଼ର ଖେଳାଳି ଦେଶକୁ ଗୌରଵାନ୍ଵିତ କରିଛନ୍ତି’। ଆଜି ସୁନ୍ଦରଗଡ଼ ପୁଲିସ ଵାରାକ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୫ତମ ସ୍ଵାଧୀନତା ଦିବସରେ ମୁଖ୍ୟ ଅତିଥି ଭାଵେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ ତଥା ଶିକ୍ଷାମନ୍ତ୍ରୀ ଡ. ଅରୁଣ ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ଅବସରରେ ଉଦଵୋଧନ ଦେଇ ଏହା କହିଛନ୍ତି।

ମୁଖ୍ୟ ଅତିଥି ମନ୍ତ୍ରୀ ଡ. ସାହୁ ମିଳିତ ପ୍ୟାରେଡରେ ଅଭିଵାଦନ ଗ୍ରହଣ କରିଥିଲେ। ନିଜ ବକ୍ତଵ୍ୟରେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ବିକାଶ, ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମେତ ଵହୁ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରି ରାଜ୍ୟ ତଥା ଦେଶକୁ ଆଗେଇ ନେବାକୁ ସମସ୍ତଙ୍କ ନିଷ୍ଠାପର ଭାଗିଦାରି ପାଇଁ ଆହ୍ବାନ ଜଣାଇଥିଲେ। ଏହାପରେ ଜିଲ୍ଲାର ଚର୍ଚ୍ଚିତ ଶ୍ମଶାନବନ୍ଧୁ ସିଦ୍ଧାନ୍ତ ପଣ୍ଡା, ଶିଶିର ଚୌଧୁରୀ, କମଲେଶ ନଥାନି, ମନୋଜ ତ୍ରିପାଠୀଙ୍କ ସମେତ ଜିଲ୍ଲାର କୃତୀ ସନ୍ତାନମାନଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବ ପରେ ପୁଲିସ ବାରାକରେ ଇ- ପାଠାଗାରକୁ ମନ୍ତ୍ରୀ ଉଦଘାଟନ କରିଥିଲେ।

ସମ୍ବନ୍ଧିତ ଖବର