ରାଉରକେଲା: ଚଳିତ ପୁରୁଷ ହକି ବିଶ୍ବକପରେ ଭାରତୀୟ ଦଳ କ୍ବାର୍ଟର ଫାଇନାଲରୁ ବାଦ୍ ପଡ଼ିବାପରେ ଗୁରୁବାରଠାରୁ ନବମ ସ୍ଥାନ ପାଇଁ ଲଢ଼େଇ ଆରମ୍ଭ କରିଛି। ଆଜି ରାଉରକେଲାସ୍ଥ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜାପାନ ବିପକ୍ଷ ମ୍ୟାଚ୍କୁ ଭାରତ ୮-୦ ଗୋଲ୍ରେ ଏକତରଫାଭାବେ ଜିତି ନେଇଛି। ଭାରତୀୟ ଦଳ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଏହି ମ୍ୟାଚ୍କୁ ଜିତିଲାପରେ ଭାରତ ନବମ ସ୍ଥାନରେ ରହିବ।
/sambad/media/post_attachments/wp-content/uploads/2023/01/Mandeep-Singh-in-action-against-Japan-scaled.jpg)
ଆଜି ସନ୍ଧ୍ୟାରେ ଏଠାରେ ଖେଳାଯାଇଥିବା ଜାପାନ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଥିଲେ। ମ୍ୟାଚ୍ର ପ୍ରଥମ ଓ ଦ୍ବିତୀୟ କ୍ବାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ଦ୍ବିତୀୟାର୍ଦ୍ଧ ସୁଦ୍ଧା ଭାରତ ତିନିଟି ପେନାଲଟି କର୍ଣ୍ଣର ସୁଯୋଗ ପାଇଥିଲେ ମଧ୍ୟ ଗୋଲ୍ ପରିବର୍ତ୍ତନ କରିପାରନଥିଲା। ତେବେ ତୃତୀୟ କ୍ବାର୍ଟରରେ ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ମିଳିଥିବା ପେନାଲଟି କର୍ଣ୍ଣରର ସଦୁପଯୋଗ କରି ଗୋଲ୍ ବର୍ଷା କରିଥିଲା। ମ୍ୟାଚ୍ର ୩୩ତମ ମିନିଟ୍ରେ ମନଦୀପ ସିଂହ ଏକ ପେନାଲଟି କର୍ଣ୍ଣରକୁ ସୁନ୍ଦର ଗୋଲ୍ରେ ପରିବର୍ତ୍ତନ କରିଥିଲେ। ଏହାପରେ ଅଭିଶେକ(୩୬ ଓ ୪୪ ମିନିଟ୍) ଓ ହରମନପ୍ରୀତ ସିଂହ(୪୬ ଓ ୫୯ ମିନିଟ୍)ଙ୍କ ଦୁଇଟି ଲେଖାଏଁ ଗୋଲ୍ ଏବଂ ବିବେକ ସାଗର ପ୍ରସାଦ(୪୦), ମନପ୍ରୀତ ସିଂହ(୫୯) ଓ ସୁଖଜିତ ସିଂହ(୫୯)ଙ୍କ ଗୋଟିଏ ଲେଖାଏ ଗୋଲ୍ ବଳରେ ୮-୦ରେ ଆଗୁଆ ରହିଥିଲା। ଜାପାନ ତିନିଟି ପେନାଲଟି କର୍ଣ୍ଣର ସୁଯୋଗ ପାଇଥିଲେ ମଧ୍ୟ ତାକୁ ହାତଛଡ଼ା କରିଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ଅଭିଶେକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଆଜି ରାଉରକେଲାରେ ମୋଟ୍ ଚାରୋଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ମାଲେସିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ଦକ୍ଷିଣ ଆଫ୍ରିକା ୬-୩ ଗୋଲ୍ରେ ଜିତି ନେଇଥିଲା। ୱେଲ୍ସ ଓ ଫ୍ରାନ୍ସ ମ୍ୟାଚ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା ମ୍ୟାଚ୍ ଶେଷ ସୁଦ୍ଧା ଉଭୟ ଦଳ ଦୁଇଟି ଲେଖାଏ ଗୋଲ୍ ଦେବାରୁ ସ୍କୋର ୨-୨ରେ ରହିଥିଲା। ତେବେ ସୁଟ୍ଆଉଟ୍ରେ ୱେଲସ୍ ୨-୧ରେ ଜିତି ନେଇଥିଲା। ଆଜି ଆର୍ଜେଣ୍ଟିନା ଚମତ୍କାର ବିଜୟ ହାସଲ କରିଛି। ମ୍ୟାଚ୍ ସାରା ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରି ଏକତରଫାଭାବେ ୮-୦ ଗୋଲ୍ରେ ଚିଲିକୁ ପରାସ୍ତ କରିଛି।
ଅମିତ ରୋହିଦାସ(ଉପଅଧିନାୟକ)ଙ୍କ ପ୍ରତିକ୍ରିୟା
‘ଆଜି ଦଳ ଉତ୍ସାହଜନକ ପ୍ରଦର୍ଶନ କରିଛି। ପ୍ରଥମ ଓ ଦ୍ବିତୀୟ କ୍ବାର୍ଟରରେ ଆମେ ଅନେକ ସୁଯୋଗ ପାଇଥିଲେ ମଧ୍ୟ ତାକୁ ହାତଛଡ଼ା କଲୁ। ଏହାପରେ ରଣକୌଶଳରେ ପରିବର୍ତ୍ତନକରି ତୃତୀୟ କ୍ବାର୍ଟରରେ ପଡ଼ିଆକୁ ଓହ୍ଲାଇଥିଲୁ। ଦଳଗତ ପ୍ରଦର୍ଶନ ବଳରେ ଫଳାଫଳ ଆମ ସପକ୍ଷରେ ଆସିଲା। ଆଗାମୀ ଦିନରେ ପ୍ରୋ-ଲିଗ୍ ଓ ଏସିଆନ ଗେମ୍ସ ରହିଛି। ଉଭୟ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରୟାସ କରିବୁ। ଏସିଆନ ଗେମ୍ସ ଦଳ ପାଇଁ ବେଶ୍ ମହତ୍ତ୍ବପୂର୍ଣ୍ଣ। ଚଳିତ ବିଶ୍ବକପ୍ରେ ଯେଉଁ ସବୁ ତ୍ରୁଟିବିଚ୍ୟୁତି ଦେଖିବାକୁ ମିଳିଲା; ସେଥିରେ ପରିବର୍ତ୍ତନ ଆଣିବୁ।
/sambad/media/post_attachments/wp-content/uploads/2023/01/Harmanpreet-takes-a-shot-against-Japan-scaled-e1674749913508.jpg)
ଶୁଭେଚ୍ଛା ଜଣାଇଲେ ଦିଲୀପ ତିର୍କି
ସୁନ୍ଦରଗଡ଼ ମାଟିର କିମ୍ବଦନ୍ତୀ ହକି ତାରକା ତଥା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଭାରତର ଏକତରଫା ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ତିର୍କି ଟ୍ବିଟ୍ କରି ଜଣାଇଛନ୍ତି, ଏସିଆନ ହେବିୱେଟ୍ ଜାପାନକୁ ୮-୦ ବ୍ୟବଧାନରେ ପରାସ୍ତକରି ଆମ ଦଳ ପୁଣିଥରେ ବିଜୟଧାରାକୁ ଫେରିଛି। ଆଗାମୀ ୨୮ରେ ଖେଳାଯିବାକୁ ଥିବା ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚ୍ ପାଇଁ ଶୁଭକାମନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Action-from-the-match-between-India-and-Japan.jpg)