ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପର ଭାଗ୍ୟ ବଦଳୁନି। ରାଉରକେଲା ଗସ୍ତ ଅବସରରେ ତତ୍କାଳୀନ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ବର୍ତ୍ତମାନର ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଶିଳ୍ପର ବିକାଶକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଥିଲେ। କିନ୍ତୁ ଏସବୁ ପ୍ରତିଶ୍ରୁତି ସେହି ପ୍ରତିଶ୍ରୁତିରେ ରହି ଯାଇଛି। ବିଡମ୍ବନା, ଆଜି ପର୍ଯ୍ୟନ୍ତ ସରକାର ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି। ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ବଣିକ ସଂଘ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ। ଉପସ୍ଥିତ ଥିଲେ ବଣିକ ସଂଘ ଓ ଜିଲ୍ଲାର ଶିଳ୍ପପତି। ଜିଲ୍ଲାରେ ରୁଗ୍ଣ ସ୍ଥିତିରେ ଚାଲୁଥିବା ଶିଳ୍ପ ଓ ବନ୍ଦ ପଡିଥିବା ଶିଳ୍ପଗୁଡ଼ିକ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ବଣିକ ସଂଘର ପ୍ରତିନିଧିମାନେ ଶିଳ୍ପମନ୍ତ୍ରୀଙ୍କୁ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଅବଗତ କରାଇଥିଲେ। ମନ୍ତ୍ରୀ ଶ୍ରୀ ଦେବ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସରକାରଙ୍କ ପକ୍ଷରୁ ସହଯୋଗ କରାଯିବ ମଧ୍ୟ ଆଶ୍ବାସନା ଦେଇଛନ୍ତି। କିନ୍ତୁ ପୂର୍ବ ଶିଳ୍ପମନ୍ତ୍ରୀଙ୍କ ଦିବ୍ୟଶଙ୍କର ପରି ଶ୍ରୀ ଦେବଙ୍କ ପ୍ରତିଶ୍ରୁତି କେବଳ କାଗଜପତ୍ରରେ ସୀମିତ ରହିଯାଇଛି। ଏହାକୁ ନେଇ ଅନେକ ଶିଳ୍ପପତିଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। କାରଣ ବିଗତରେ ଅନେକ ଶିଳ୍ପମନ୍ତ୍ରୀ ରାଉରକେଲା ଗସ୍ତରେ ଆସିଛନ୍ତି।
ଜିଲ୍ଲାରେ ଶିଳ୍ପର ବିକାଶକୁ ନେଇ ଏମିତି ଅନେକ କଥା କହି ଚାଲି ଯାଇଛନ୍ତି। ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହେଉଛି, କିନ୍ତୁ ନୂଆ ଶିଳ୍ପ ଖୋଲୁନି। କଲୁଙ୍ଗା ଶିଳ୍ପାଞ୍ଚଳ, ରାଉରକେଲା ଶିଳ୍ପାଞ୍ଚଳ ସମେତ ପ୍ରତ୍ୟେକ ବ୍ଲକରେ ଗଢ଼ି ଉଠିଥିବା ଶିଳ୍ପକାରଖାନାକୁ ଦେଖିଲେ ବାରି ହୋଇ ପଡୁଛି। ସୁନ୍ଦରଗଡ଼ରେ ପରିଚାଳନାତ ତ୍ରୁଟି , ବ୍ୟାଙ୍କ ଋଣ ବୋଝ, ବର୍ଦ୍ଧିତ ବିଦ୍ୟୁତ୍ ବିଲ୍ ମାଡ଼, ଆବଶ୍ୟକ କଞ୍ଚାମାଲ ଅଭାବରୁ ବର୍ଷ ବର୍ଷ ଧରି ଚାଲିଥିବା ପ୍ରାୟ ୧୫୦୦ରୁ ଅଧିକ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ତାଲା ଝୁଲୁଛି। ଯେଉଁ କେତୋଟି ଚାଲିଛି, ତା’ର ସ୍ଥିତି ମଧ୍ୟ ଦୟନୀୟ। ମହାମାରୀ କରୋନା ମାଡ଼ରେ ରୁଗ୍ଣ ସ୍ଥିତିରେ ଚାଲିଥିବା ଏସବୁ କାରଖାନାଗୁଡ଼ିକ ସ୍ଥିତି ଆହୁରି ସଙ୍ଗିନ ହୋଇ ପଡିଛି। ଜିଲ୍ଲାର ପ୍ରାୟ ୪୫ରୁ ଅଧିକ ସ୍ପଞ୍ଜ କାରଖାନାଗୁଡ଼ିକ ମଧ୍ୟରୁ ୬୫% ବନ୍ଦ ପଡିଛି। ମାତ୍ରାଧିକ ବିଜୁଳି ବିଲ୍ ଓ ଠିକ୍ ଆବଶ୍ୟକ କଞ୍ଚାମାଲ ଅଭାବରୁ ଅବଶିଷ୍ଟ ଶିଳ୍ପ କାରଖାନା ମଧ୍ୟରୁ ଅଧିକାଂଶ ଗୋଟିଏ ପରେ ଗୋଟିଏ ବନ୍ଦ ହେବାକୁ ବସିଛି। ତେବେ ଶିଳ୍ପକୁ ପ୍ରାଥମିକତା ଦିଆଯାଉଥିବା କଥା କହୁଥିବା ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଉନାହାନ୍ତି। ସେପଟେ ଶିଳ୍ପ ଉପରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ସୁନ୍ଦରଗଡ଼ ଜିଲ୍ଲାର ଲକ୍ଷାଧିକ ଶ୍ରମିକ କର୍ମସଂସ୍ଥାନ ହରାଇଛନ୍ତି। ସେମିତି ରୁଗ୍ଣସ୍ଥିତିରେ ଚାଲିଥିବା କାରଖାନା ଅଧିକାଂଶ ଶ୍ରମିକଙ୍କୁ ଛଟେଇ କରିବାରୁ ଜିଲ୍ଲାର ଶ୍ରମିକଙ୍କ ଆର୍ଥିକ ସ୍ଥିତି ଆହୁରି ଦୟନୀୟ ହୋଇପଡିଛି।
ଜିଲ୍ଲାରେ ପ୍ରାୟ ୨ ହଜାର ୫୦୦ରୁ ଅଧିକ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପଞ୍ଜିକୃତ ହୋଇଛି। ୪୦୦ରୁ ଅଧିକ ଶିଳ୍ପରେ ତାଲା ଝୁଲୁଛି। ସେମିତି ସୁନ୍ଦରଗଡ଼ ସଦର, ରାଜଗାଙ୍ଗପୁର, କୁତ୍ରା, ବଡଗାଁ, ହେମଗିରି, ଟାଙ୍ଗରପାଲି, ବାଲିଶଙ୍କରା, ଲେଫ୍ରିପଡା, ସବ୍ଡେଗାରେ ମୋଟ ୧୫୦୦ରୁ ଅଧିକ ଛୋଟ, ବଡ କଳକାରଖାନା ରହିଛି। ୮ଟି ବ୍ଲକ ଯଥା ବଣାଇଗଡ, କୋଇଡା, ଗୁରୁଣ୍ଡିଆ, ଲହୁଣିପଡା, ଲାଠିକଟା, କୁଆରମୁଣ୍ଡା, ନୂଆଗାଁ ଓ ବିଶ୍ରା ବ୍ଲକରେ ମୋଟ ୧୨୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ରହିଛି। ଏଥିରୁ ୮୦୦ରୁ ଅଧିକ ଯେନତେନ ପ୍ରକାରେ ଚାଲୁଥିବାବେଳେ ପ୍ରାୟ ୭୦୦ ଶିଳ୍ପ କାଖାନା ବନ୍ଦ ପଡିଛି।