ରାଉରକେଲାରେ ଆଇପିଏଲ୍‌ ଜୁଆ : ଅନ୍‌ଲାଇନ୍‌ରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ବେଆଇନ କାରବାର, ୩ ଗିରଫ

ସୁନ୍ଦରଗଡ଼ : ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌) ଜାରି ରହିଥିବା ବେଳେ ଏବେ ସହରର ଗଳି କନ୍ଦିରେ ଚାଲିଛି ଆଇପିଏଲ୍‌ ବେଟିଂ ର‍୍ୟାକେଟ୍‌। ମନ ପସନ୍ଦର ଖେଳାଳି ଓ ଦଳଙ୍କ ପାଇଁ ଦୈନିକ ବାଜି ଲାଗୁଛି ଲକ୍ଷ ଲକ୍ଷ ଟଙ୍କା। ଏପରି ଏକ ର‍୍ୟାକେଟ ଧରାପଡିଛି ରାଉରକେଲା ପୋଲିସ ହାତରେ। ରାଉରକେଲାରେ ଜୁଆ ଖେଳୁଥିବା ବେଳେ ପୋଲିସ ୩ ଜୁଆ ବେପାରୀଙ୍କୁ ଗିରଫ କହିବା ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ ଆଇପିଏଲ୍‌-୧୧ ଆରମ୍ଭରୁ ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ଏହି ଜୁଆଖେଳ ଜାରି ରହିଛି। ଅଧିକ ଅର୍ଥ ରୋଜଗାର ଲୋଭରେ ଯୁବକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀମାନେ ଏଥିରେ ସାମିଲ ହୋଇ ଜୁଆ ଖେଳୁଛନ୍ତି। ଧରା ନ ପଡିବା ପାଇଁ ଗୁପ୍ତଭାବେ ଏହା ଚାଲୁଛି। କୌଣସି ସୂତ୍ରରୁ ଖବର ପାଇଁ ପୁଲିସ ସଦଳବଳେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍‌ ହୋଇଯାଇଛନ୍ତି।

ରାଉରକେଲାରେ ଧରାପଡ଼ିଥିବା ଆଇପିଏଲ୍‌ ବେଟିଂ ନାଗପୁରରୁ ନିୟନ୍ତ୍ରିତ ହେଉଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ନିଜ ମନପସନ୍ଦର ଖେଳାଳୀଙ୍କ ପାଇଁ ଜଣେ ବ୍ୟକ୍ତି ୧୦ ହଜାରରୁ ୨୦ ହଜାର ଟଙ୍କାର ବାଜି ଲଗାଉଛନ୍ତି। ନେଣଦେଣ ତଥ୍ୟ ଧରା ନପଡ଼ିବା ପାଇଁ ସମସ୍ତ କାରବାର ନଗଦ ଆକାରରେ ଚାଲୁଛି। ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ପ୍ଲାଣ୍ଟ ସାଇଟ୍‌ ଥାନା ପୁଲିସ୍‌ କାବୁ କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଘଟଣାସ୍ଥଳରୁ ପୁଲିସ୍‌ ୯ ଲକ୍ଷ ୪ ହଜାର ଟଙ୍କା, ୩ଟି ଏଲ୍‌ଇଡ଼ି ଟିଭି, ଗୋଟିଏ ଲେନୋଭୋ ଲ୍ୟାପ୍‌ଟପ୍‌, ୩୩ଟି ଦାମୀ ମୋବାଇଲ୍‌ ଫୋନ୍‌, ୨ଟି କାଲ୍‌କୁଲେଟର୍‌, ୩ଟି କଲମ, ଟଙ୍କା ହିସାବ କରାଯାଇଥିବା ୬ ଫର୍ଦ୍ଦ କାଗଜ ଓ ଗୋଟିଏ ହିସାବ ଖାତା ଜବତ କରିଛି।

ଏପଟେ କ୍ରିକେଟ ପଡ଼ିଆରେ ବ୍ୟାଟସମ୍ୟାନ ରନ୍‌ ବର୍ଷା କରୁଥିବା ବେଳେ ଅନ୍ୟପଟେ ଅନଲାଇନ୍‌ ସଟ୍ଟାବଜାରରେ ହେଉଛି ଟଙ୍କା ବର୍ଷା । ଗୋଟିଏ ପଟେ ପଡିଆରେ ଛକା ଚୌକା ମାଡରେ ସ୍କୋର ଆଗକୁ ବଢୁଛି, ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଚାଲିଛନ୍ତି ସଟ୍ଟା ବେପାରୀ।

ସମ୍ବନ୍ଧିତ ଖବର