ରାଉରକେଲା: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ପରେ ଭୁବନେଶ୍ୱରରେ ଘରକୁ ଘର ବୁଲି ବିଜୁଳି ସଂଯୋଗ ଆଦି ଯାଞ୍ଚ କରିବାକୁ ସରକାରୀ ଆଇଟିଆଇରୁ ନିଆଯାଇଥିବା ଜଣେ ଛାତ୍ର ଫେରିବା ବାଟରେ ଟ୍ରେନ୍ରୁ ଖସିପଡ଼ି ମୃତ୍ୟୁ ବରଣ କରିବା ଯୋଗୁଁ ଶୁକ୍ରବାର ଦିନ ସମ୍ପୃକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଉତ୍ତେଜିତ ଛାତ୍ରଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇବା ସହ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଏବଂ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପାଇଁ ଦାବି କରିଥିଲେ।
ଆଇଟିଆଇ ପକ୍ଷରୁ ମୃତ ଛାତ୍ର ଭାସ୍କର ସାହୁଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର ଚେକ୍ ଓ ଚାକିରି ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି।
ବୁଧବାର ଦିନ ଭାସ୍କର ଭୁବନେଶ୍ୱରୁ ଫେରିବା ବାଟରେ ରାଜଗାଙ୍ଗପୁର ଓ କାଂଶବାହଲ ମଧ୍ୟରେ ଇଣ୍ଟର୍ସିଟି ଏକ୍ସପ୍ରେସ୍ରୁ ଖସିପଡ଼ିଥିଲେ। ତାଙ୍କୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସ୍କୁ ଡାକିଥିଲେ ମଧ୍ୟ ଆମ୍ବୁଲାନ୍ସ୍ ଆସିବାକୁ ମନା କରି ଦେଲା ଓ ଭାସ୍କରଙ୍କର ସେଠାରେ ମୃତ୍ୟୁ ବୋଲି ସେମାନେ ଅଭିଯୋଗ କରିଛନ୍ତି।