ବଣାଇଁଗଡ଼: ଲହୁଣୀପଡା ଥାନା ଅନ୍ତର୍ଗତ ସାଧୁବାହାଲ ଗ୍ରାମରେ ଗତ୧୦ ତାରିଖ ରାତିରେ ଜଳଧର ଦେହୁରୀ ମୃତ୍ୟୁ ରହସ୍ୟ ପୁଲିସ ପର୍ଦାଫାସ କରିଛି। ପୁଲିସ ତଦନ୍ତ କରି ମୃତ ଜଳଧରଙ୍କ ପତ୍ନୀ ସୁକୁମାରୀ ଦେହୁରୀ, ଶାଶୁ କାମିନି ପାତ୍ର ଓ ସୁକୁମାରୀର ପ୍ରେମିକ ସତ୍ୟନାରାୟଣ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣାରୁ ପ୍ରକାଶ ଯେ, ଗତ ୧୦ ତାରିଖ ସୁକୁମାରୀ ନିଜ ପ୍ରେମିକ ସତ୍ୟନାରାୟଣ ରାଉତର ପ୍ରରୋଚନାରେ ନିଜ ମାଆ କାମିନି ପାତ୍ରଙ୍କ ସହ ଜଳଧରକୁ ବେକରେ ରଶିଦେଇ ହତ୍ୟା କରିବା ଘଟଣାକୁ ଭିନ୍ନ ମୋଡ଼ ଦେଇଥିଲେ। ସଂଧ୍ୟା ୮ଟାରେ ଜଳଧରକୁ ହତ୍ୟା କରିବା ପରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ମୃତଦେହ ଆଣି ସଙ୍ଗେ ସଙ୍ଗେ ଫେରାଇ ନେଇ ପୁଲିସକୁ ଚକମା ଦେଇଥିଲେ। ଏ ସଂକ୍ରାନ୍ତରେ ଗ୍ରାମରେ ଖବର ଦେଇ ଜଳଧରର ମୃତ୍ୟୁ ହୃଦଘାତ ଜନିତ ବୋଲି ପ୍ରଚାର କରିଥିଲେ। ପରଦିନ ସକାଳେ ପୁଲିସ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବାପରେ ଲହୁଣୀପଡା ଥାନା ଅଧିକାରୀ ପଦ୍ମାସିନୀ ମେହେର ତଦନ୍ତ ପାଇଁ ଏକ ଟିମ୍ ବିଭିନ୍ନ ଅଞ୍ଚଳକୁ ପଠାଇ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତିତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତଦନ୍ତ ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା। ମୃତ ଜଳଧର ଏବଂ ସୁକୁମାରୀ ଭଲପାଇ ବିବାହ କରିଥିଲେ। ବିବାହର ଇତିମଧ୍ୟରେ ୧୩ବର୍ଷ ଅତିବାହିତ ହୋଇଥିବାବେଳେ ସେମାନଙ୍କର ଦୁଇଟି ଝିଅ ଅଛନ୍ତି। ଇତି ମଧ୍ୟରେ ସୁକୁମାରୀଙ୍କର ସତ୍ୟନାରାୟଣ ରାଉତଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏ ଘଟଣା ଜଳଧର ଜାଣିବା ପରେ ତାକୁ ସୁକୁମାରୀ ଏବଂ ତାଙ୍କ ପାଖରେ ରହୁଥିବା ସୁକୁମାରୀର ମାଆ କାମିନି ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଚ୍ଛଦ ପଟ୍ଟରେ ରହି ପ୍ରେମିକ ସତ୍ୟନାରାୟଣ ହତ୍ୟାକାଣ୍ଡର ପୃଷ୍ଠଭୂମି ତିଆରି କରିଥିଲା। ଘଟଣା ସଂପର୍କରେ ଜଣାପଡ଼ିବା ପରେ ପୁଲିସ ଅପମୃତ୍ୟୁ ମାମଲା ୩/୨୦୧୮କୁ ହତ୍ୟା ମାମଲା ୩୧/୨୦୧୮ରେ ପରିବର୍ତ୍ତିତ କରି ଆଜି ତିନି ଅଭିଯୁକ୍ତ ସୁକୁମାରୀ, କାମିନି ଏବଂ ସତ୍ୟନାରୟଣଙ୍କୁ ବଣାଇଁ କୋର୍ଟ ଚାଲାଣ କରିଥିବା ପ୍ରକାଶ।