ରାଉରକେଲା: କାର୍ଯ୍ୟକ୍ଷେତ୍ରରେ ଅନିୟମିତତା କରିବା ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ର ଜଣେ ଅଧିକାରୀଙ୍କୁ ମହଙ୍ଗାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଆର୍‌ଏସ୍‌ପି ସହରସେବା ବିଭାଗର କନିଷ୍ଠ ମ୍ୟାନେଜର ତଥା ଜବରଦଖଲ ଉଚ୍ଛେଦ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅବସ୍ଥାପିତ ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କୁ ନିଳମ୍ବିତ କରାଯାଇଛି। ଏହାସହ ଏହି ଅନିୟମିତତାରେ ସଂଶ୍ଲିଷ୍ଟଥିବା ଅଭିଯୋଗରେ ଅନ୍ୟ ଜଣେ କର୍ମଚାରୀ ବିଷ୍ଣୁ ମହନ୍ତଙ୍କୁ କୋକ୍‌ ଓଭେନ ବିଭାଗକୁ ବଦଳି କରାଯାଇଛି। ନିର୍ଦ୍ଦିଷ୍ଟ କେଉଁ କାରଣରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ସ୍ପଷ୍ଟ ହୋଇନି। ତେବେ ପଦବିର ଖୋଲା ଉଲ୍ଲଂଘନକରି ବ୍ୟାପକ ଦୁର୍ନୀତି କରିଥିବା କୁହାଯାଉଛି।
ଦୁଇ ଅଭିଯୁକ୍ତ ଶ୍ରୀ ପଣ୍ଡା ଓ ମହନ୍ତ ଆର୍‌ଏସ୍‌ପି ସହରସେବା ବିଭାଗରେ କାର୍ଯ୍ୟରତ ଥିଲେ। ଜବରଦଖଲ ଉଚ୍ଛେଦଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ତାଙ୍କୁ ମିଳିଥିଲା। ଉଲ୍ଲେଖଯୋଗ୍ୟ, ଆର୍‌ଏସ୍‌ପିର ବହୁମୂଲ୍ୟ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। କେଉଁଠାରେ ଅନୈତିକଭାବେ ବାସଗୃହ ନିର୍ମାଣ କରାଯାଉଛି ତ ପୁଣି କେଉଁଠାରେ ଜମି ଜବରଦଖଲକରି ଦୋକାନ ଗୃହ ନିର୍ମାଣ ହେଉଛି। ଜବରଦଖଲକାରୀ ବିଭିନ୍ନ ସମୟରେ ଏହି ବିଭାଗର କର୍ତ୍ତୃପକ୍ଷଙ୍କ ସହ ଅସାଧୁ ମେଣ୍ଟକରି ହାତଗୁଞ୍ଜା ଦେଇ ଜମି ହାତେଇଥାନ୍ତି। ସମ୍ଭବତଃ ଏଭଳି ଏକ ସଙ୍ଗୀନ ଅଭିଯୋଗ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆସିଥିଲା। ଏନେଇ ଅଭିଯୋଗ ହେବାପରେ ତଥା ବ୍ୟାପକ ଛାନ୍‌ଭିନ୍‌ପରେ ବଡ଼ଧରଣର ଅନିୟମିତତା ହୋଇଥିବା ପ୍ରମାଣିତ ହୋଇଥିଲା। ଏହାକୁ ଆଧାରକରି ଗତ ୧୬ ତାରିଖରେ ମାନବସମ୍ବଳ ବିଭାଗର ଇଡି ତରୁଣ ମିଶ୍ର କାର୍ଯ୍ୟାନୁଷ୍ଠାନ ନେଇଥିଲେ। ପ୍ରକାଶଥାଉକି, ଶ୍ରୀ ପଣ୍ଡା ଦୀର୍ଘବର୍ଷ ହେଲା ସହରସେବା ବିଭାଗରେ କାର୍ଯ୍ୟରତ। ତେବେ ଗତ ୨୦୧୮ ମସିହାରେ ଏକ ଘଟଣା କ୍ରମରେ ସେଲ୍‌ ମୁଖ୍ୟ ଭିଜିଲାନ୍ସ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପଣ୍ଡାଙ୍କୁ ସହରସେବା ବିଭାଗରୁ ନିୟୁ-ପ୍ଲେଟ୍‌ମିଲ ବିଭାଗକୁ ବଦଳି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ, ଅର୍ଥାତ୍‌ ୨୦୨୧ ମସିହାରେ ତାଙ୍କୁ ନିର୍ଭିକ ସାହସୀ କର୍ମଚାରୀ ଅବିହିତ କରି ପୁନର୍ବାର ସହରସେବା ବିଭାଗକୁ ଫେରାଇ ଅଣାଯାଇଥିଲା। ୨୦୨୨ ମସିହାରେ ତାଙ୍କୁ ଅଧିକାରୀ ଭାବେ ପଦୋନ୍ନତି ଦେଇ ଜବରଦଖଲ ଉଚ୍ଛେଦ ଦାୟିତ୍ୱରେ ଅବସ୍ଥାପିତ କରାଯାଇଥିଲା। କେଉଁ କାରଣରୁ ଭିଜିଲାନ୍ସ ଅଧିକାରୀଙ୍କ ନିର୍ଦ୍ଦେଶାନାମାକୁ ବେଖାତିର୍‌କରି ସଂପୂର୍ଣ୍ଣ ଅନୈତିକଭାବେ ଶ୍ରୀ ପଣ୍ଡାଙ୍କୁ ସହରସେବା ବିଭାଗକୁ ଫେରାଇ ଅଣାଯାଇଥିଲା, ତାହା ଏବେ ବି ରହସ୍ୟଭିତରେ।

Advertisment

ସୂଚନାଯୋଗ୍ୟ, ୨୦୦୫-୦୬ ମସିହାରେ ଲାଞ୍ଚ କାରବାର ଯୋଗୁଁ ସହରସେବା ବିଭାଗର ପୂର୍ବତନ ବରିଷ୍ଠ ମ୍ୟାନେଜର ଦୁର୍ଯ୍ୟୋଧନ ସାହୁ ନିଲମ୍ବିତ ହୋଇଥିଲେ। ଇସ୍ପାତ ଜେନେରାଲ ହସପିଟାଲ ପାଖ ଛକରେ ଥିବା ଦୋକାନ ଆବଣ୍ଟନ ମାମଲାରେ ସେ ଛନ୍ଦି ହୋଇଥିଲେ। ଏନେଇ ପଚାରିବାରୁ ଆର୍‌ଏସ୍‌ପି ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି, ଦୁଇଜଣଙ୍କ ନାଁରେ ଅନିୟମିତତା ଅଭିଯୋଗ ଆସିଥିଲା। ଏହାକୁ ଭିତ୍ତିକରି ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଅନ୍ୟଜଣଙ୍କୁ ବଦଳି କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।