ସୁନ୍ଦରଗଡ଼ରେ ରାଜ୍ୟସ୍ତରୀୟ ବରିଷ୍ଠ କବାଡ଼ି, ପୁରୁଷରେ କଟକ ଓ ମହିଳାରେ ଇଷ୍ଟ କୋଷ୍ଟ ରେଲୱେ ଚାମ୍ପିଅନ୍ 

ସୁନ୍ଦରଗଡ଼ : ସୁନ୍ଦରଗଡ଼ କବାଡ଼ି ଇତିହାସ ଫର୍ଦ୍ଦରେ ଯୋଡ଼ି ହୋଇଯାଇଛି ଏକ ସ୍ୱର୍ଣୀମ ଅଧ୍ୟାୟ। ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରେ ରାଜ୍ୟସ୍ତରୀୟ ବରିଷ୍ଠ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତା ନଭେମ୍ବର ୨୬ରୁ ଆରମ୍ଭ ହୋଇ ରବିବାର ସମାପିତ ହୋଇଯାଇଛି। ଏଥିରେ ପରୁଷ ବର୍ଗରେ କଟକ ଦଳ ମ୍ୟାଚକୁ ଏକତରଫା ଭାବେ ନିଜ ଆଡ଼କୁ ଟାଣି ନେଇ ଓଡ଼ିଶା ପୁଲିସ ଦଳକୁ ଧରାଶାୟୀ କରିଥିଲା। ସେହିପରି ମହିଳା ବର୍ଗରେ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଇଷ୍ଟ କୋଷ୍ଟ ରେଲୱେ ଦଳ ଢେଙ୍କାନାଳ ଦଳକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା। ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ, ସୁନ୍ଦରଗଡ଼ ପ୍ରଶାସନ ଓ ଓଡ଼ିଶା କବାଡ଼ି ସଂଘର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୨୮ ଟି ପୁରୁଷ ଦଳ ଏବଂ ୧୯ ଟି ମହିଳା ଦଳର ହଜାରେ ଖେଳାଳି ଓ ଶତାଧିକ କ୍ରୀଡ଼ା ଅଧିକାରୀ ଭାଗ ନେଇଥିଲେ । ଖାଲି ପଡ଼ିଆ ପରିବର୍ତ୍ତେ ଆକର୍ଷଣୀୟ ମ୍ୟାଟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ଦେଖିବାକୁ କ୍ରୀଡ଼ାପ୍ରେମୀଙ୍କ ଭିଡ଼ ଜମିଥିଲା ।

ପ୍ରଥମ ପର୍ଯ୍ୟାୟରେ ଲିଗ୍ ଭିତ୍ତିରେ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହୋଇ ପରେ ନକ୍ ଆଉଟ୍ ଭିତ୍ତିରେ ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ସେହି ପର୍ଯ୍ୟାୟରୁ ସେମିଫାଇନାଲ ଓ ଫାଇନାଲ ପାଇଁ ଦଳ ଚୟନ ହୋଇଥିଲେ । ପୁରସ୍କାର ସ୍ୱରୂପ କବାଡ଼ି ଇତିହାସରେ ପ୍ରଥମ ଥର ପାଇଁ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଚାମ୍ପିଅନ୍ ଦଳ କଟକ ଓ ଇଷ୍ଟକୋଷ୍ଟ ରେଲୱେ ଦଳକୁ ବିଜୟ ଟ୍ରଫି ସହ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ମହିଳା ବର୍ଗ ଉପବିଜେତା ଢେଙ୍କାନାଳ ଦଳ ଓ ପୁରୁଷ ବର୍ଗ ଉପବିଜେତା ଓଡ଼ିଶା ପୁଲିସ ଦଳ ରନର୍ସ୍ ଅପ୍ ଟ୍ରଫି ସହିତ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ଲାଭ କରିଥିଲେ। ସେହିପରି ପୁରୁଷ ସେମିଫାଇନାଲରେ ପରାଜିତ ସମ୍ବଲପୁର ଓ ନୂଆପଡ଼ା ଦଳ ଏବଂ ମହିଳା ସେମିଫାଇନାଲରେ ପରାଜିତ ଯାଜପୁର ଓ କେନ୍ଦ୍ରାପଡା ଦଳକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ ଟୋକିଓ ପାରାଅଲିମ୍ପିକର ବ୍ୟାଡମିଣ୍ଟନ ସ୍ଵର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତ ଯୋଗ ଦେଇ ପ୍ରତିଯୋଗୀ ଓ ଆୟୋଜକ କମିଟିକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଶ୍ରୀ ଭଗତ ଗ୍ରାମାଞ୍ଚଳର ଖେଳାଳିମାନଙ୍କୁ ଆଗକୁ ବଢ଼ିବାକୁ ସବୁସ୍ତରରେ ସୁଯୋଗ ଦେବାକୁ ଆହ୍ବାନ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଓଡ଼ିଶା କବାଡ଼ି ସଂଘ ସାଧାରଣ ସମ୍ପାଦକ ଅଜୟ ବେହେରା, ଫାଓ ଉପସଭାପତି ରବି ନାରାୟଣ ପଣ୍ଡା, ଯୁବ ନେତା ବୈକୁଣ୍ଠ ନାଏକ ଓ ସଂସଦ ଉପସଭାପତି ଚିତ୍ତରଞ୍ଜନ ବହିଦାର, ପୌଷ ଚନ୍ଦ୍ର ପଟେଲ, ରାଧାମୋହନ ନାଏକ, ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ଯୋଗ ଦେଇଥିଲେ। ଏହି ଅବସରରେ କରୋନା କାଳରେ ଶହ ଶହ ଶବ ସତ୍କାର କରି ଅଭୂତପୂର୍ବ ମାନିବକତା ଦେଖାଇଥିବା ‘ଶ୍ମଶାନ ବନ୍ଧୁ’ଙ୍କ ସମେତ ପ୍ରାକ୍ତନ ଖେଳାଳି ଜ୍ଞାନରଞ୍ଜନ ହୋତା, ଆନନ୍ଦ ମିଶ୍ର, ବିର୍ସା ମୁଣ୍ଡା କ୍ଲବ୍, ଜୟ ଦୁର୍ଗା କ୍ଳବ୍, ଗାନ୍ଧୀ କ୍ଲବ୍, ସମାଜସେବୀ ବେଣୁ ମାଧବ ତ୍ରିପାଠୀ, ହିମାଂଶୁ ଷଡ଼ଙ୍ଗୀ, ସାମାଜିକକର୍ମୀ ରାଜେନ୍ଦ୍ର ପଣ୍ଡା, ଖେଳ ସଂଗଠକ ରାଜା ପଟ୍ଟନାୟକ ଓ ଜିଲ୍ଲାର ପ୍ରଥମ ଆନ୍ତର୍ଜାତୀୟ କବାଡ଼ି ରେଫରି ଅରବିନ୍ଦ ପାତ୍ରଙ୍କୁ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରୀଡ଼ା ସଂସଦ ସାଧାରଣ ସଂପାଦକ ଶ୍ରୀ ଭୋଳ ସ୍ଵାଗତ ସମ୍ଭାଷଣ ଓ କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ସଂସଦ କାଉନସିଲ ସଦସ୍ୟ ବିଶ୍ବରଂଜନ ହୋତା ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂସଦ ସହ ସଂପାଦକ ଜୟଦେବ ପାତ୍ର, ଉପସଭାପତି ରାଜେନ୍ଦ୍ର ମହାନ୍ତି, ସଦସ୍ୟ ଆଶିଷ ଦେ, ବିଭୁଦତ୍ତ ବେହେରା, ପ୍ରସାଦ ନାଏକ, ଅକ୍ଷୟ ନାଏକ, ଅଶ୍ଵିନୀ ଭୋଳ, ବିମଳ ବୋଷ, ଅଶୋକ ବରାଇ, ରୋମାଞ୍ଚ ଭାଇସାଲ, ସୂରଜ ଭାଇସାଲ୍, ଅଜୟ ବହିଦାର, ଅନିଲ ବହିଦାର, କ୍ରୀଡ଼ାପ୍ରେମୀ ଶ୍ୟାମ ନନ୍ଦନ ସହାୟ, ମନୋଜ ଧଳ ରାଜେନ୍ଦ୍ର ପଣ୍ଡା, ରାଜା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସଂସଦର କବାଡି ସଂପାଦକ ପ୍ରଶାନ୍ତ କୁମାର ପଟେଲ ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର