ରାଉରକେଲା: ଆସନ୍ତା ୨୮ ତାରିଖରୁ ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ହକି ଇଣ୍ଡିଆ ଲିଗ୍‌। ଏହି ପ୍ରତିଯୋଗିତା ପାଇଁ ଦର୍ଶକଙ୍କ ମହଲରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସାଙ୍ଗକୁ ସଂପୂର୍ଣ୍ଣ ମାଗଣାରେ ଦର୍ଶକ କ୍ରିକେଟ୍‌ ମ୍ୟାଚ୍‌ ଉପଭୋଗ କରିବାର ସୁଯୋଗ ପାଇବେ। 

Advertisment

ଏସବୁ ଭିତରେ ଆଜି ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ‌୍ ଦଳ ରାଉରକେଲାରେ ପହଞ୍ଚିଛନ୍ତି। ଦଳର ସମସ୍ତ ଖେଳାଳିଙ୍କ ସମେତ କୋଚ୍‌, ସପୋର୍ଟ‌୍ ଷ୍ଟାଫ୍‌ ଆଜି ସଂଧ୍ୟାରେ ରାଉରକେଲାରେ ପହଞ୍ଚିଛନ୍ତି। ଖେଳାଳିମାନେ ଭୁବନେଶ୍ବରରୁ ବିମାନରେ ଆସି ଅପରାହ୍ନ ପ୍ରାୟ ୫ଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସିଧାସଳଖ ବିଶ୍ବକପ୍‌ ହକି ଗ୍ରାମ ମେ’ ଫେୟାର ହୋଟେଲକୁ ଯାଇଥିଲେ। ଖେଳାଳିଙ୍କୁ ସେଠାରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ତିଳକ ଲଗାଇ ଫୁଲମାଳ ପିନ୍ଧାଇ ସ୍ବାଗତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, କଳିଙ୍ଗ ଲାନ୍‌ସର୍ସ‌୍‌ ତା’ର ପ୍ରଥମ ମ୍ୟାଚ୍‌ ୩୦ ତାରିଖରେ ୟୁପି ରୁଦ୍ରସ୍‌ ବିପକ୍ଷରେ ଖେଳିବ। ପ୍ରତିଯୋଗିତାର ଅନ୍ୟତମ ଦଳ ଟିମ୍‌ ଗୋନାସିକା ମଧ୍ୟ ରାଉରକେଲାରେ ପହଞ୍ଚିସାରିଛି। ଏହି ଦଳର ଭାରତୀୟ ଖେଳାଳି ପହଞ୍ଚିଥିବାବେଳେ ଦୁଇ ଦିନ ଭିତରେ ବିଦେଶୀ ଖେଳାଳି ପହଞ୍ଚିବେ। ଏହାସହ ଅନ୍ୟ ୬ଟି ଦଳ ମଧ୍ୟ ଆସନ୍ତା ୩/୪ ଦିନ ଭିତରେ ପହଞ୍ଚିବେବୋଲି ସୂଚନା ମିଳିଛି।