ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ କମଳ ଲାକ୍ରା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପସଭାପତି ଭାବେ ବିଜୁ ଜନତା ଦଳର କମଳ ଲାକ୍ରା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ପୂର୍ବାହ୍ନରେ ସ୍ଥାନୀୟ ବିକାଶ ଭବନରେ ଅନୁଷ୍ଠିତ ନିର୍ବାଚନରେ ନିର୍ବାଚନ ଅଧିକାରୀ ତାଙ୍କ ନାମ ଘୋଷଣା କରିଥିଲେ। ସକାଳେ ଦଳର ସଭାପତି ନବୀନ ପଟ୍ଟନାୟକ ଶ୍ରୀ ଲାକ୍ରାଙ୍କ ନାମରେ ମୋହର ମାରିବା ପରେ ଏକ ମୁଦା ଲଫାପା ଧରି ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇ ବିକାଶ ଭବନକୁ ପଶିଥିଲେ। ପରେ ଶ୍ରୀ ଲାକ୍ରା ଦଳର ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ ନ କରିବାରୁ ଶ୍ରୀ ଲାକ୍ରାଙ୍କୁ ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚିତ ଘୋଷଣା କରାଗଲା।

ଗୁରୁଣ୍ଡିଆ-ଖ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ କମଳ ଜଣେ ସେନା କର୍ମଚାରୀ ଭାବେ ୨୦୧୪ ଅବସର ନେବା ପରେ ନିଜ ଜନ୍ମ ଗାଁ ବାଙ୍କିରେ ରହି ସମାଜସେବାରେ ମନ ଦେଇ ଲୋକଙ୍କ ନିକଟତର ହୋଇଥିଲେ। ସେ ଭାରତୀୟ ହକି ଦଳର ପୂର୍ବତନ ଉପ ଅଧିନାୟକ ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କ କାକା। ଶ୍ରୀ ଲାକ୍ରା ଉପସଭାପତି ନିର୍ବାଚିତ ହେବା ପରେ ଦଳର ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇ, ଜିଲ୍ଲା ସଭାପତି ବିନୟ ଟପ୍ପୋ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ କୁନ୍ତି ପ୍ରଧାନ, ଉପ ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ, ବରିଷ୍ଠ ନେତା ସନ୍ତୋଷ ଅମାତ ଓ ହରଜେନ୍ଦ୍ର ସିଂ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର