କୋଇଡ଼ା: ପ୍ରାକୃତିକ ସମ୍ପଦରେ ଭରପୁର ଜିଲାର କୋଇଡ଼ା ଅଂଚଳର ବିକାଶ ପାଇଁ ସରକାରଙ୍କ ଆନ୍ତରିକ ଉଦ୍ୟମ ନାହିଁ। ରାଜ୍ୟ ସରକାର ଖଣି ଅଂଚଳରୁ କୋଟି କୋଟି ଟଙ୍କା ରାଜସ୍ବ ପାଉଥିବାବେଳେ ଏହି ଅଂଚଳର ବିକାଶ ଦିଗଟିକୁ ଭୁଲି ଯାଇଛନ୍ତି। ଫଳରେ କୋଇଡ଼ା ବ୍ଲକ୍ବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ସେହିପରି ଏଠାରେ ଖୋଲାଯାଇଥିବା ଖଣି ଖାଦାନର ମାଲିକମାନେ ୫୦୦୦ କୋଟି ଟଙ୍କାର ମୁନାଫା କମାଉଥିବାବେଳେ ବିକାଶ ପାଇଁ ଚିନ୍ତା କରିବାକୁ ଏମାନଙ୍କ ପାଖରେ ସମୟ ନାହିଁ।
ସବୁଠାରୁ ବଡ଼ କଥା ଦୀର୍ଘ ୫୦ ବର୍ଷ ଖଣି ଖନନ କଲା ପରେ ପୁଣି ୫୦ ବର୍ଷ ପାଇଁ ଖଣି କମ୍ପାନିମାନେ ଲିଜ୍ ନେଇ କାର୍ଯ୍ୟରତ ହେଲେ ଅଞ୍ଚଳ ଲୋକଙ୍କ ପାଇଁ ସାମାନ୍ୟ ବିଦ୍ୟାଳୟ କି ସ୍ୱାସ୍ଥ୍ୟ ସୁବିଧା ଦେଇ ପାରିଲେ ନାହିଁ । ଫଳରେ ଭାଗ୍ୟକୁ ଆଦରି ଏଠାକାର ଭୂମିପୁତ୍ରମାନେ ପଡ଼ିରହଛନ୍ତି। ଚୋରା ଖଣି କାରବାରରେ ଲିପ୍ତ ରହୁଥିବା ଖଣି ମାଫିଆ ଓ ବ୍ୟବସାୟୀମାନଙ୍କୁ ଛାଡ଼ି ଦେଲେ ବାକି ସମସ୍ତେ ନିମ୍ନମାନର ଜୀବନ ଜିଉଁଥିବା ଜଣାପଡ଼ିଛି। ଏହି ଅଂଚଳରେ ସମସ୍ୟାରେ ଏତେ ଭରପୁର ଯେ କେଉଁଠାରୁ ଆରମ୍ଭ କରାଯିବ ତାହା ମଧ୍ୟ କଷ୍ଟକର ହୋଇଛି। ଖଣି ତଥା ଜିଲାର ଲାଇଫ୍ ଲାଇନ୍ ବୋଲାଉଥିବା ୨୧୫/୫୨୦ ନମ୍ବର ଜାତୀୟ ରାଜପଥ ଓ କୋଇଡା କଲେଇପୋଷ ଅବସ୍ଥା କଥା କହିଲେ ନ ସରେ, ତ୍ରୁଟିପୂର୍ଣ୍ଣ ଶୋଚନୀୟ ରାସ୍ତା ପାଇଁ ଦୁର୍ଘଟଣା ରେ ଦୈନନ୍ଦିନ ଯାଉଛି ଜୀବନ। ବିଭିନ୍ନ ସମୟରେ ବିଭାଗୀୟ କତୃର୍ପକ୍ଷଙ୍କୁ ଜଣାଇଲେ ମଧ୍ୟ ଏହାର କିଛି ପ୍ରଭାବ ପଡ଼ିନାହିଁ। ରାସ୍ତା ଅବସ୍ଥା ପାଇଁ ଏଠାରେ ରାସ୍ତାଜାମ୍ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଜିଲାରେ ବହୁ ଖଣି ଖାଦାନ, କ୍ରସର, କଳକାରଖାନା ଖୋଲୁଥିବାବେଳେ ଏହି ରାସ୍ତା ଦେଇ ବହୁ ସଂଖ୍ୟାରେ ଭାରୀଯାନ ଚଳାଚଳ କରୁଛି। ସବୁବେଳେ ଧୂଳି ଉଡ଼ି ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ରାସ୍ତାଜାମ୍ ଯୋଗୁ ଏହି ଅଂଚଳରେ ରହୁଥିବା ୫୦ ହଜାରରୁ ଅଧିକ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ଧୂଳିଧୂଆଁରେ ଅଣନିଶ୍ବାସୀ ହୋଇପଡ଼ିଥିବା ଏ ଅଞ୍ଚଳରେ ଯକ୍ଷ୍ମା ସମେତ ଶ୍ଵାସଜନିତ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଉଛନ୍ତି , କେବଳ ଏତିକି ନୁହେଁ ଧୂଳିଧୂଆଁ ପାଇଁ ସମଗ୍ର ସବୁଜ ବନାନୀ ଲାଲ୍ ରଙ୍ଗରେ ବୋଳି ହୋଇଯାଇଛି ହେଲେ ପ୍ରଦୁଷଣ ବିଭାଗ କେବଳ ଖଣି ଜନଶୁଣାଣି ପାଇଁ ଥିବା ପରିଲକ୍ଷିତ ହୋଇଛି।
ସେହିପରି କୋଇଡ଼ା ବ୍ଲକ୍ ବିଭିନ୍ନ ପଞ୍ଚାୟତରେ ସରକାରୀ ଯୋଜନା ଅପହଞ୍ଚ ହୋଇଛି। ଅଧିକାଂଶ ଗ୍ରାମକୁ ବିଜୁଳି ଆଲୁଅ ସଂଯୋଗ ହୋଇନଥିବା ବେଳେ ଗ୍ରାମର ୮୦ ଭାଗ ବାସିନ୍ଦା ଝାଟିମାଟି ଘରେ ବସବାସ କରିବାକୁ ବାଧ୍ୟ ହେଉଛନ୍ତି। ସଂଯୋଗୀକରଣ ବ୍ୟବସ୍ଥା ନ ଥିବାରୁ ସୀମାନ୍ତ ଗାଁ ମାନଙ୍କରେ ଯୋଗାଣ ସାମଗ୍ରୀ ପାଇବା ନେଇ ସ୍ଥାନୀୟ ଲୋକମାନେ ବହୁ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ଯେଉଁ ଅଞ୍ଚଳରେ ୩୦ ରୁ ଊର୍ଦ୍ଧ୍ଵ କମ୍ପାନିମାନେ ଅବସ୍ଥାପିତ ଯେଉଁ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଗଠିତ ସେ ଅଞ୍ଚଳର ଶିଶୁ ଅଇଁଠା ପତ୍ର ଚାଟିବା ପାଇଁ ବାଧ୍ୟ ହେଉଥିବାବେଳେ ଏଠାକାର ନିରୀହ ଆଦିବାସୀ ଘୁଷୁରି ସହିତ ଗୋଟିଏ ତୁଠରେ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି। ସମସ୍ତ ଖଣି ମାନଙ୍କରେ ୯୫% ଶ୍ରମିକ, ଠିକାଦାର, ପରିବହନ ସଂସ୍ଥା ବାହାର ଜିଲ୍ଲା ତଥା ରାଜ୍ୟର ନିୟୋଜିତ ହେଉଥିବାବେଳେ ଖଣି ଅଞ୍ଚଳର ଭୂମିପୁତ୍ରମାନଙ୍କ ଭାଗ୍ୟରେ କେବଳ ଦାଦନ, ଦାରିଦ୍ର୍ୟ, ଦୁର୍ଘଟଣା, ଦୁଃଖ ଭୋଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ !