ଝିଅର ପ୍ରେମିକକୁ ହତ୍ୟା: ଅଭିଯୁକ୍ତ ବାପାର ଆତ୍ମସମର୍ପଣ

ବଡ଼ଗାଁ/କୁତ୍ରା : ଝିଅର ଚୋରା ପ୍ରେମକୁ ବିରୋଧ କରି ଆସୁଥିଲେ ବାପା। ଏଥିପାଇଁ ଝିଅକୁ ଅନେକବାର ତାଗିଦ୍‌ କରିଥିଲେ। ଏପରିକି ଝିଅ ପଛରେ ନପଡ଼ିବାକୁ ପ୍ରେମିକକୁ ବି ଧମକ ଦେଇଥିଲେ। ମାତ୍ର କୌଣସି ସୁଫଳ ନମିଳିବାରୁ ଶେଷରେ ଝିଅର ପ୍ରେମିକକୁ ହତ୍ୟା କରି ଅଭିଯୁକ୍ତ ବାପା ପୁଲିସ ହାତରେ ଧରା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ପୁଲିସ ସୂଚନାନୁସାରେ, ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ପଞ୍ଚରା ପଞ୍ଚାୟତ ଦାଣ୍ଡଜମିରା ଗାଁର ହିମାଂଶୁ ବେହେରା (୨୪)ଙ୍କର ସେହି ପଞ୍ଚାୟତ କୁସୁମଡେଗୀର ଯୋହନ ତିର୍କୀଙ୍କ ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାକୁ ଯୋହନ ବିରୋଧ କରି ଆସୁଥିଲେ। ହେଲେ ପ୍ରେମାନ୍ଧ ଝିଅ ଓ ପ୍ରେମିକ ହିମାଂଶୁ ଉପରେ ଏହାର କାଣିଚାଏ ବି ପ୍ରଭାବ ପଡ଼ି ନଥିଲା। ଶେଷରେ ଯୋହନ ହିମାଂଶୁଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।

ଯୋଜନା ମୁତାବକ ଗତକାଲି ଘରେ ନୂଆଁଖିଆ ହେଉଥିବାରୁ ହିମାଂଶୁକୁ ଡାକିବା ଲାଗି ଯୋହନ ତାଙ୍କ ଝିଅକୁ କହିଥିଲେ। ବାପାଙ୍କ ଛଳନାକୁ ବୁଝି ନପାରି ଝିଅ ଫୋନ୍‌ କରି ହିମାଂଶୁକୁ ଡାକିଥିଲା। ହିମାଂଶୁ ବି ଆଗପଛ ନଭାବି ସନ୍ଧ୍ୟା ସାଢ଼େ ୭ଟାରେ ବାଇକ୍‌ରେ ବାହାରି ପଡ଼ିଥିଲା। କୁସୁମଡେଗୀ ଚର୍ଚ୍ଚ ପାଖ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଝିଅ ଅପେକ୍ଷା କରିଥିଲା ହିମାଂଶୁଙ୍କୁ। ହିମାଂଶୁ ସେଠାରେ ପହଞ୍ଚିବା କ୍ଷଣି ବାପା ଯୋହନ ଓ ସହଯୋଗୀ ଅତର୍କିତ ଆକ୍ରମଣ କରିବା ସହିତ ଛାତି, ପେଟ ଓ ଯୌନାଙ୍ଗରେ ବାରମ୍ବାର ଛୁରି ଭୁଷିବା ଫଳରେ ହିମାଂଶୁ ଟଳି ପଡ଼ିଥିଲେ। ହିମାଂଶୁ ମରିଯିବା ପରେ ଯୋହନ ରାତିରେ ବଡ଼ଗାଁ ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର