ଦିନ ମଜୁରିଆ ପରିବାରର ଦୁଃଖ: ଦାଦନ ନେଲା ୨ପୁଅର ଜୀବନ

ମେଙ୍ଗାଲୁରୁ ନିକଟରେ ସମୁଦ୍ରରେ ମାଛ ଧରୁଥିଲା ବେଲେ ଜୀବନ ହାରିଲେ ୨ ଭାଇ

ସୁନ୍ଦରଗଡ଼: ଭିଟାମାଟିରେ କାମ ନମିଳିବାରୁ ପେଟ ପାଳିବା ପାଇଁ କର୍ଣ୍ଣାଟକର ମେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିବା ୨ ଭାଇ ସମୁଦ୍ରରେ ବୁଡ଼ି ମରି ଯାଇଛନ୍ତି। ଗତ ଜାନୁଆରି ୩ରେ ବଡ଼ ପୁଅର ମୃତ୍ୟୁ ହୋଇଥିବା ବେଳେ ଗତ ଅଗଷ୍ଟ ୨୫ରେ ଦ୍ୱିତୀୟ ପୁତ୍ର ରାଜୁ ରଣାର ଜୀବନ ଯାଇଥିଲା। ରୋଜଗାରିଆ ପୁଅ ଦ୍ୱୟଙ୍କ ବିୟୋଗରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବାପା ରାମସିଓ ରାଣା।

ଏଭଳି ଖବର ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ସରବାହାଲରୁ ଆସିଛି। ସୂଚନା ଅନୁସାରେ ରାମସିଓଙ୍କ ବଡ଼ପୁଅ ବିରଜୁ ରାଣା(୨୭) ୨ ବର୍ଷ ତଳେ ମେଙ୍ଗାଲୁରୁ ଯାଇଥିଲେ। ସେଠାରେ ସେ ଏକ ମାଛଧରା ସଂସ୍ଥାରେ କାମ କରୁଥିଲେ। ଦୁଃଖର ବିଷୟ ବିରଜୁ ଗତ ଜାନୁଆରି ୩ରେ ଅନ୍ୟଦିନ ଭଳି ସାଙ୍ଗମାନଙ୍କ ସହିତ ମାଛ ଧରିବାକୁ ସମୁଦ୍ର ଭିତରକୁ ପ୍ରବେଶ କରିଥିଲେ। ମାତ୍ର ୨ଟି ଡଙ୍ଗା ମଧ୍ୟରେ ଧକ୍କା ହେବାରୁ ବିରଜୁ ଖସି ପଡ଼ି ଯାଇଥିଲେ। ସାଙ୍ଗମାନେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲା। ପରେ ସେମାନେ ଘଟଣା ସମ୍ପର୍କରେ ମାଲିକଙ୍କୁ କହିଥିଲେ। ପରିବାର ପକ୍ଷରୁ ମାଲିକଙ୍କୁ ଯୋଗାଯୋଗ ହୋଇଛି। ବିରଜୁଙ୍କ ମୃତଦେହ ଉଦ୍ଧାର କରାଯାଇ ନାହିଁ ବୋଲି ମାଲିକ କହିଛି।

ଘଟଣା ସମ୍ପର୍କରେ ଲୁହଭରା କଣ୍ଠରେ ପିତା ରାମସିଓ କୁହନ୍ତି, ତାଙ୍କର ୬ଜଣ ପୁଅ ଝିଅ। ୨ ଝିଅଙ୍କ ବାହା ଘର ସରିଛି। ବଡ଼ ପୁଅ ଓ ଦ୍ୱିତୀୟ ପୁଅଙ୍କ ମୃତ୍ୟୁ ହେବା ପରେ ଏବେ ୧୨ ରୁ ୧୪ ବର୍ଷର ୨ଟି ପୁଅ ଅଛନ୍ତି। ଦିନ ମଜୁରିଆ ରାମସିଓ ସ୍ତ୍ରୀ ଓ ୨ ପିଲାଙ୍କୁ ଖାଇବା ଯୋଗାଇବା ଅସମର୍ଥ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର