ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଵିଶ୍ରା ଥାନା ଅନ୍ତର୍ଗତ କଦଳୀଵାହଲ ଗ୍ରାମରେ ଜଣେ ମହିଳାଙ୍କୁ ଲୁହା ପାଇପରେ ପିଟି ପିଟି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ହତ୍ୟାକାରୀ ଅନୀଲ ଖାଲକୋକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ହତ୍ୟାକାରୀକୁ ୨ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜରିମାନା ନଦେଲେ ହତ୍ୟାକାରୀ ଅଧିକ ଏକମାସ ସଶ୍ରମ କାରାଦଣ୍ଡ ଭୋଗିବ।

Advertisment

ରାଉରକେଲା ଏଡିଜେ ୧ ଭି ସୁଜାତା ଏହି ଦଣ୍ଡ ବିଧାନର ଶୁଣାଣି କରିଛନ୍ତି। ୨୦୧୭ ମସିହା ଜୁନ ୨୪ ତାରିଖରେ ଅନିଲ ଖାଲକୋ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ହେଉଥିବା ପାରିବାରିକ ଗଣ୍ଡଗୋଳକୁ ସମାଧାନ କରିବାକୁ ଯାଇଥିବା କଦଳୀଵାହଲ ଗ୍ରାମର ସୁରେଇ କିସପଟାଙ୍କୁ ଅନୀଲ ଖାଲକୋ ଲୁହା ପାଇପରେ ପିଟି ଗୁରୁତର ଆହତ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୁରେଇ ମୃତ୍ୟୁ ବରଣ କରିବା ପରେ ୨୦୧୭ ମସିହା ଜୁନ ୨୭ ତାରିଖ ଵିଶ୍ରା ଥାନାରେ ମନୋଜ କୁଜୁର ଅଭିଯୋଗ କରିଥିଲେ।

ଏହି ହତ୍ୟା ଘଟଣାରେ ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାଉରକେଲା ଏଡିଜେ ୧ ହତ୍ୟାକାରୀ ଅନୀଲ ଖାଲକୋକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର କ୍ୟାଡ଼ର ସ୍ବରୁପ ରଞ୍ଜନ ରଥ ସୂଚନା ଦେଇଛନ୍ତି।