ରାଉରକେଲା : ସଂପ୍ରତି ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତେବେ ନିର୍ଦ୍ଦିଷ୍ଟ ଏଇ ଗୋଟିଏ ପ୍ରକଳ୍ପ ବ୍ୟତୀତ ନିକଟ ଅତୀତରେ ‘ହକିର ଗଡ଼ ସୁନ୍ଦରଗଡ଼’ରେ ହକିର ବିକାଶ ପାଇଁ ଅନ୍ୟ ଗୋଟିଏ ବି ପ୍ରକଳ୍ପ ବା ଭିତ୍ତିଭୂମିର ବିକାଶ କରାଯାଇନାହିଁ। ଗତ ୭-୮ ବର୍ଷ ହେଲା ହକିର ବିକାଶ ପାଇଁ ଜିଲ୍ଲାବାସୀଙ୍କୁ ସୁନେଲି ସ୍ବପ୍ନ ଦେଖାଇ ପ୍ରକାରାନ୍ତରେ ଏହି ମାଟିରୁ ବିନାଶ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ହକି ଉତ୍କର୍ଷ ସ୍ଥାନାନ୍ତରଠାରୁ ଆରମ୍ଭକରି ରାଉରକେଲାରେ ହେଉଥିବା କନିଷ୍ଠ/ବରିଷ୍ଠ ଚୟନ ଶିବିର ସ୍ଥାନାନ୍ତର, ପୁଣି ନାଭାଲ ଟାଟା ଏକାଡେମୀ ହାତରେ ଉଦୀୟମାନ ହକି ତାରକାଙ୍କୁ ଟେକି ଦେବା ହେଉ ଅବା ଜିଲ୍ଲାର ପ୍ରଶିକ୍ଷକଙ୍କୁ କ୍ରମାଗତ ଅଣଦେଖା- ଜିଲ୍ଲା ସ୍ବାର୍ଥ ବିରୋଧରେ ଏହିପରି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆ ଚାଲିଛି। ଜିଲ୍ଲାରେ ହକିର ଭିତ୍ତିଭୂମି ବିକାଶ ମଧ୍ୟ କେବଳ ଘୋଷଣାରେ ସୀମିତ ରହିଛି।
ଜିଲ୍ଲାର ସମସ୍ତ ହକି ସୁବିଧା ଏବେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଏଠାକାର ଛାତ୍ରାବାସର ମୌଳିକ ଆବଶ୍ୟକତାକୁ ମଧ୍ୟ ପୂରଣ କରାଯାଉନି। ଏକାଧିକ ହକି ତାରକା ଖେଳାଳିଙ୍କୁ ତିଆରିଥିବା ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ହକି ଭିତ୍ତିଭୂମି ନଗଣ୍ୟ। ଏହି ଛାତ୍ରାବାସର ନିଜସ୍ବ ଆଷ୍ଟ୍ରୋଟର୍ଫ୍ ନାହିଁ। ୨୦୦୦ ମସିହାରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ସ୍ଥାପିତ ହୋଇଥିଲା। ସ୍ଥାପନାକୁ ଦୁଇ ଦଶନ୍ଧି ବିତିସାରିଥିଲେ ମଧ୍ୟ ଏଠାରେ ଆଷ୍ଟ୍ରୋଟର୍ଫ୍ ଲାଗିନପାରିବା ଓ କ୍ରୀଡ଼ା ଛାତ୍ରାବାସ ଖେଳାଳିମାନେ ‘ସାଇର ଆଷ୍ଟ୍ରୋର୍ଟଫ୍ରେ ଅଭ୍ୟାସ କରିବା ବିଡ଼ମ୍ବନା ବ୍ୟତୀତ ଅନ୍ୟ କିଛି ହୋଇନପାରେ। ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ୍ ଆୟୋଜନ ବେଳେ ନୂଆ ଆଷ୍ଟ୍ରୋର୍ଟଫ୍ ଲଗାଯାଇଥିଲା। ଏଣୁ ସେଠାରେ ପୂର୍ବରୁ ଲାଗିଥିବା ଆଷ୍ଟ୍ରୋଟର୍ଫକୁ ସୁନ୍ଦରଗଡ଼ ଛାତ୍ରାବାସ ପାଇଁ ପଠାଯାଇଥିଲା। ଏହି ପୁରୁଣା ଆଷ୍ଟ୍ରୋଟର୍ଫ୍ ଗତ ପ୍ରାୟ ୨ ବର୍ଷ ହେଲା ସୁନ୍ଦରଗଡ଼ରେ ଆସି ପହଞ୍ଚିସାରିଛି; କିନ୍ତୁ ଏଯାଏଁ ନଲାଗି ପଡ଼ି ରହିଛି। ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଥିବା ଆଷ୍ଟ୍ରୋଟର୍ଫର ମଧ୍ୟ ସମାନ ଅବସ୍ଥା। ଏଠାରେ ପ୍ରଥମ ଆଷ୍ଟ୍ରୋଟର୍ଫ୍ ୧୯୯୨-୯୩ ମସିହାରେ ଲାଗିଥିବା ବେଳେ ୨୦୦୬ ଅଗଷ୍ଟ ୧୫ ତାରିଖ ଦିନ ଏହାକୁ ବଦଳାଯାଇଥିଲା।
ସେହିଭଳି ପାନପୋଷ ଛାତ୍ରାବାସରେ ୨୦୧୨-୧୩ ମସିହାରେ ଦ୍ବିତୀୟ ଟର୍ଫ୍ ଲାଗିଥିଲା। ପ୍ରକାଶଥାଉକି, ଗୋଟିଏ ଟର୍ଫ ପ୍ରାୟ ୭/୮ ବର୍ଷ ପାଇଁ ବ୍ୟବହାର କରାଯାଇଥାଏ। କିନ୍ତୁ ଏହି ଦ୍ବିତୀୟ ଟର୍ଫକୁ ପାଖାପାଖି ୮/୯ ବର୍ଷ ବିତିସାରିଥିଲେ ମଧ୍ୟ ଏହାକୁ ବଦଳାଯାଇନି। ଏହାବାଦ୍ ମହା ଆଡମ୍ବରରେ ଘୋଷଣା ହୋଇଥିବା ଜିଲ୍ଲାର ସବୁ ବ୍ଲକରେ ଟର୍ଫ୍ ସହ ହକି ପଡ଼ିଆ ନିର୍ମାଣ ଏଯାଏଁ ବେଗ ଧରିପାରିନି। ଜିଲ୍ଲାରେ ଥିବା କ୍ରୀଡ଼ା ଛାତ୍ରାବାସଗୁଡ଼ିକରେ ଧାର୍ଯ୍ୟ କ୍ଷମତାଠାରୁ କମ୍ ସଂଖ୍ୟକ ପିଲାଙ୍କୁ ରଖାଯାଉଛି। ଅଧିକ ସଂଖ୍ୟାରେ ଯୁବ ହକି ପ୍ରତିଭାଙ୍କୁ ଛାତ୍ରାବାସରେ ଭର୍ତ୍ତିକରି ପ୍ରଶିକ୍ଷଣ ଦେଲେ, ଭାରତୀୟ ଦଳରେ ହ୍ରାସ ପାଉଥିବା ଓଡ଼ିଶା ଖେଳାଳିଙ୍କ ଆଧିପତ୍ୟର ପୁନରୁଦ୍ଧାର ଆଶା କରାଯାଇପାରେ। କିନ୍ତୁ ତୃଣମୂଳସ୍ତରରେ ହକିର ବିକାଶ ପାଇଁ ଆଖିଦୃଶିଆ ପ୍ରୟାସ କରାଯାଉନଥିବାରୁ ସ୍ଥିତିରେ ସୁଧାର ଆସୁନି।