ଦେଶୀ ମଦଭାଟି ଓ ବେଆଇନ ମଦ ବିକ୍ରି ବନ୍ଦ ଦାବି

ରାଉରକେଲା: ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶି ମଦଭାଟି ଓ ବେଆଇନ ମଦ ବିକ୍ରୀ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ଠାରେ କଂଗ୍ରେସ ଦାବି କରିଛନ୍ତି। ଗତ ଫେବୃୟାରୀ ୨୮ରେ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ପତ୍ର ଲେଖି, ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶି ମଦ ବ୍ୟବସାୟୀ ରାଉରକେଲା ସହରରେ ନିଜ ଇଚ୍ଛା ମୁତାବକ ବସ୍ତି ଅଞ୍ଚଳରେ ମଦଭାଟି ଖୋଲି ଗରିବ ବସ୍ତିବାସୀଙ୍କ ପରିବାରଙ୍କୁ ସର୍ବସ୍ୱାନ୍ତ କରୁଛନ୍ତି କହିଛନ୍ତି। ଏନେଇ ସ୍ଥାନୀୟ ଥାନା କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁ ନାହିଁ। ତେଣୁ ସରକାରୀ ଦେଶି ମଦର ଲଗାମ ଛଡ଼ା ବେପାର ସାଧାରଣରେ ତିବ୍ର ଅସନ୍ତୋଷ ସୃଷ୍ଟି କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ସେକ୍ଟର-୬, ବିବେକାନନ୍ଦ ବସ୍ତିଠାରେ ଖୋଲା ଯାଇଥିବା ବେଆଇନ ମଦଭାଟି ବିରୁଦ୍ଧରେ ବସ୍ତିବାସୀ ଥାନା କର୍ତ୍ତୃପକ୍ଷଙ୍କୁ ଗୁହାରି କରିଥିଲେ।

ସେହି ମଦଭାଟି ପାଇଁ ନିୟମିତ ସଂପୃକ୍ତ ବସ୍ତିରେ ଗଣ୍ଡଗୋଳ ହେଉଛି। ମହିଳା ଓ ସ୍କୁଲ କଲେଜ ଛାତ୍ରୀ ବସ୍ତି ମଧ୍ୟରେ ନିରାପଦରେ ଯିବା ଆସିବା କରି ପାରୁ ନାହାନ୍ତି। ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଉକ୍ତ ଜମିରେ ଖୋଲିଥିବା ଏହି ମଦଭାଟି ପାଇଁ କାରଖାନା କର୍ତ୍ତୃପକ୍ଷ ଜମି ଆବଣ୍ଟନ କିମ୍ବା ଏନ.ଓ.ସି ଦେଇନଥିଲା ବେଳେ ଜିଲ୍ଲା ପ୍ରଶାସନ କିପରି ମଦଭାଟି ଖୋଲିବା ପାଇଁ ଅନୁମତି ଦେଇଛନ୍ତି ବୋଲି ଶ୍ରୀ ସେନାପତି ପ୍ରଶ୍ନ କରିଛନ୍ତି। ଗୋପବନ୍ଧୁପାଲ୍ଲୀ ଅଞ୍ଚଳରେ ମଦଭାଟି ଖୋଲିବାକୁ ଅନୁମତି ପାଇଥିବା ଉକ୍ତ ମଦ ବ୍ୟବସାୟୀ ମଦଭାଟି ନଖୋଲି ସଂପୃକ୍ତ ଅଞ୍ଚଳରେ ଚା, ପାନ ଓ ଛୋଟ ଜଳଖିଆ ଦୋକାନୀଙ୍କୁ ନିଜ ଉତ୍ପାଦିତ ଦେଶି ମଦ ପାଉଚ୍‌ ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି। ପରିଣାମ ସ୍ୱରୂପ ଅଞ୍ଚଳରେ ତିବ୍ର ଅସନ୍ତୋଷ ସୃଷ୍ଟି ହେଉଛି। ଏହି ବେଆଇନ ମଦଭାଟି ଓ ବାଧ୍ୟତା ମୂଳକ ମଦ ବିକ୍ରି ବନ୍ଦ ପାଇଁ ଜିଲ୍ଲା କଂଗ୍ରେସ ତରଫରୁ ଗତ ଜାନୁଆରୀ ୧୫ରେ ସ୍ଥାନୀୟ ଅବକାରୀ ଉପଅଧିକ୍ଷକଙ୍କ ଜରିଆରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଠାରେ ଦାବି କରିଥିଲେ। ହେଲେ ଅଦ୍ୟାବଧି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସହରର ଶ୍ରମଜୀବି ଦିନ ମଜୁରିଆ କ୍ଷୁଦ୍ର ଓ ନାମମାତ୍ର ବ୍ୟବସାୟୀ ସ୍ୱାର୍ଥ ଦୃଷ୍ଟିରୁ ସରକାରୀ ଦେଶି ମଦର ଅବାଧ ବିକ୍ରୀକୁ ତୁରନ୍ତ ବନ୍ଦ କରିବାକ ଜିଲ୍ଲା କଂଗ୍ରେସ ଦାବି କରିଛି।

ସମ୍ବନ୍ଧିତ ଖବର