ସୁନ୍ଦରଗଡ଼  : ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ଦାବିରେ ବିଧାନସଭା ଆଗରେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ

ଭୁବନେଶ୍ବର : କୋଇଲା ଖଣିଥିବା ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକରେ ରାସ୍ତାଘାଟ ଶୋଚନୀୟ ହୋଇପଡ଼ିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ବର୍ଷ ବର୍ଷ ଧରି ବାରମ୍ବାର ଦାବି ସତ୍ତ୍ବେ  ବାଙ୍କିବାହାଲଠାରୁ ଟପରିଆ ରାସ୍ତା ନିର୍ମାଣ ହୋଇପାରୁନଥିବାରୁ ଜନଅଧିକାର ମଞ୍ଚ ନେତୃତ୍ବରେ  ସ୍ଥାନୀୟ ଲୋକମାନେ ଆଜି ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକରେ ଏକ ବୃହତ କୋଇଲା ଖଣି ରହିଥିଲେ ମଧ୍ୟ ଏ ଅଞ୍ଚଳର ବିକାଶ ପ୍ରତି ଆଶାନୁରୂପ ହୋଇପାରୁନାହିଁ । ଅଞ୍ଚଳରେ ଥିବା ବାଙ୍କିବାହାଲଠାରୁ ଟପରିଆ ରାସ୍ତାରେ ପ୍ରତିଦିନ ଶହ ଶହ କୋଇଲା ବୋଝେଇ ଭାରିଯାନ ଚଳାଚଳ କରୁଥିବାରୁ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ।

ଶୁକ୍ରବାର ଦିନ ଅନୁଷ୍ଠିତ ଏହି ବିକ୍ଷୋଭରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରେଙ୍ଗାଳି ବିଧାୟକ, ନାଉରି ନାୟକ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ଦେବଗଡ଼ ବିଧାୟକ ସୁଭାଷ ପାଣିଗ୍ରାହୀ ଓ ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗଦେଇ ରାସ୍ତାନିର୍ମାଣ ପାଇଁ ଦାବି କରିଥିଲେ ।

ଗତ ୨୫ ବର୍ଷ ଧରି ଏହି ରାସ୍ତା ନିର୍ମାଣ ଲାଗି ସ୍ଥାନୀୟ ଲୋକେ ଦାବି କରିଆସୁଥିଲେ ମଧ୍ୟ  ରାସ୍ତାନିର୍ମାଣ ହୋଇପାରିନାହିଁ । ଏହାଫଳରେ ଏହି ରାସ୍ତାରେ ପ୍ରାୟ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟିଆସୁଛି । ଚଳିତ ବର୍ଷ ସ୍ଥାନୀୟ ଲୋକେ ଅର୍ଥନୈତିକ ଅବରୋଧ କରିବା ପରେ ତିନି ମାସ ମଧ୍ୟରେ ଟେଣ୍ଡର କରି ନିର୍ମାଣ କାମ ଆରମ୍ଭ ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରିନାହିଁ ।

 

ସମ୍ବନ୍ଧିତ ଖବର