ସୁନ୍ଦରଗଡ଼: ଗତକାଲି ରାତିରେ କୁତ୍ରା ଥାନା ଲିଟିବେଡା ନିକଟରେ ଗୁଳିମାଡ଼ କରି ୨ ଦୁର୍ବୃତ୍ତ ଜଣେ ଯୁବକଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗୁଳିମାଡ଼ରେ ଯୁବକ ଗୁରୁତର ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଦୁଇ ଗୋଡ଼ରେ ଗୁଳି ଲାଗିଛି। ଯୁବକ ହେଲେ ଲିଟିବେଡାର ଭୀମଚରଣ ମିଞ୍ଜ। ସେ କୁତ୍ରା ବସଷ୍ଟାଣ୍ଡରେ ଗ୍ରାହକ ସେବା କେନ୍ଦ୍ର ଖୋଲିଛନ୍ତି।

Advertisment

ଗତକାଲି ରାତିରେ ଭୀମଚରଣ ମିଞ୍ଜ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ। ଗାଁ ନିକଟରେ ଥିବା ହମ୍ପସରେ ଗାର ଗତି ଧୀର ହୋଇଯାଇଥିଲା। ଏହି ସମୟରେ ୨ ଦୁର୍ବୃତ୍ତ ବାଇକରେ ଆସି ଯୁବକଙ୍କୁ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ। ଫଳରେ ଯୁବକ ଅଟକି ଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିମାଡ଼ କରି ୧୫ ହଜାର ଟଙ୍କା, ୪ଟି ଏଟିଏମ କାର୍ଡ, ଆଙ୍ଗୁଠି ଛାପ ନେବା ଯନ୍ତ୍ର ଓ ମୋବାଇଲ୍ ଲୁଟି ନେଇଥିଲେ। ଯୁବକଙ୍କ ଗୋଡ଼ରୁ ଗୁଳି କଢାଯାଇଛି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଖବର ପାଇ ପୁଲିସ ତନାଘନା ଆରମ୍ଭ କରିଛି।