ବନ୍ଦ କାରଖାନାରୁ ସଶସ୍ତ୍ର ଲୁଟ୍‌

ପିସ୍ତଲ, ଭୁଜାଲି ଦେଖାଇ ଲୁଟିଲେ ୨୦ ଲକ୍ଷ ଟଙ୍କାର ସାମଗ୍ରୀ

ରାଉରକେଲା : ମଙ୍ଗଳବାର ବିଳମ୍ବିତ ରାତିରେ କଲୁଙ୍ଗା ଶିଳ୍ପାଞ୍ଚଳସ୍ଥିତ ଶୁଭମ୍‌ ଇସ୍ପାତ କାରଖାନାରୁ ସଶସ୍ତ୍ର ଲୁଟ୍‌ ହୋଇଛି। ୧୫ ଜଣରୁ ଅଧିକ ଲୁଟେରା କାରଖାନାର ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ପିସ୍ତଲ, ଭୁଜାଲି ଦେଖାଇ ଭୟଭୀତ କରି ତମ୍ବା ତାର ସମେତ ବହୁ ସାମଗ୍ରୀ ଲୁଟି ନେଇଛନ୍ତି। ଏତେ ପରିମାଣର ଚୋରି ସାମଗ୍ରୀକୁ ୧୫ ଜଣ ଡକାୟତ ବୋହି ନେବା ଅସମ୍ଭବ ଥିବାରୁ ସେମାନେ ଟ୍ରକ୍‌ରେ ତାହାକୁ ନେଇଯାଇଥିବା ଅନୁମାନ କରାଯାଉଛି। ଡକାୟତି ସମ୍ପର୍କରେ କାରଖାନାର ଦୁଇ ଜଣ ସୁରକ୍ଷା କର୍ମୀ ଆଜି ସକାଳ ସାଢ଼େ ୭ଟାରେ ବ୍ରାହ୍ମଣୀତରଙ୍ଗ ଥାନରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ପାଖାପାଖି ଦେଢ଼ ବର୍ଷ ହେଲା ବନ୍ଦ ଥିବା ଶୁଭମ୍‌ ଇସ୍ପାତ ସ୍ପଞ୍ଜ ଆଇରନ କାରଖାନାକୁ ଦୁଇ ଜଣ ସୁରକ୍ଷା କର୍ମୀ ଜଗୁଥିଲେ। ସେମାନଙ୍କ ଏତଲା ଅନୁଯାୟୀ କାଲି ବିଳମ୍ବିତ ରାତିରେ ୧୫ ଜଣ ସଶସ୍ତ୍ର ଦୁର୍ବୃତ୍ତ କାରଖାନା ପାଚେରି ଡେଇଁ ଭିତରକୁ ପଶିଥିଲେ। ଏହାଦେଖି ଦୁଇ ସୁରକ୍ଷା କର୍ମୀ ସନ୍ତୋଷ ଝା ଓ ସୁଶାନ୍ତ ରାୟ ସେମାନଙ୍କୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ସେମାନଙ୍କୁ ଭୟଭୀତ କରିଥିଲେ। ଦୁଇ ସୁରକ୍ଷା କର୍ମୀଙ୍କ ଆଗରେ ସେମାନେ କାରଖାନା ଗୋଦାମ ଘର ତାଲା ଭାଙ୍ଗି ବିପୁଳ ପରିମାଣର ତମ୍ବା ତାର, ବିଭିନ୍ନ ଯନ୍ତ୍ରାଂଶ ଓ ଅନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ପ୍ରାୟ ୩ଘଣ୍ଟା ଅପରେସନ୍‌ ପରେ ଡକାୟତମାନେ ଷ୍ଟୋର୍‌ ଭିତରୁ ସବୁ ସାମଗ୍ରୀ ନେଇ ପଳାଇଥିଲେ। ଆଜି ପୂର୍ବାହ୍ନ ସାଢେ ୭ଟା ବେଳେ ଖବରପାଇ ବ୍ରାହ୍ମଣୀ ତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଲୁଟ୍‌ ସାମଗ୍ରୀର ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି ଲୁଟ୍‌ ପଛରେ ସ୍କ୍ରାପ୍‌ ଚୋରାବେପାରୀଙ୍କ ର‍୍ୟାକେଟ୍‌ ଥିବା ପୁଲିସ୍‌ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର