ସୁନ୍ଦରଗଡ଼/ହେମଗିର, ୨୦/୧(ଇମିସ): ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ବରପାଲିରେ ସଶସ୍ତ୍ର ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ୪ ଜଣ ଡକାୟତ ମନୋଜ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ଘରେ ପଶି ବନ୍ଧୁକ ମୁନରେ ଦେଖାଇ ସମସ୍ତଙ୍କୁ ବାନ୍ଧି ପକାଇ ନିସ୍ତୁକ ମାଡ଼ ମାରିବା ସହ ଲୁଟି ନେଇଛନ୍ତି ଦେଢ଼ କେଜି ସୁନାଗହଣା ଓ ନଗଦ ୨ ଲକ୍ଷ ଟଙ୍କା। ଜାନୁଆରି ୨୭ରେ ବଣିଜ ନୌସେନା (ମର୍ଚ୍ଚାଣ୍ଟ ନେଭି)ରେ ଚାକିରି କରୁଥିବା ପୁଅର ବିବାହ ଥିଲା।
ବିବାହ ପାଇଁ ରଖା ଯାଇଥିବା ସୁନାଗହଣା ଓ ଟଙ୍କାକୁ ଟାର୍ଗେଟ କରି ଡକାୟତମାନେ ପଶି ଲୁଟି ନେବା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏତଲା ପରେ ହେମଗିର ପୁଲିସଙ୍କ ସମେତ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଲାଇଛନ୍ତି। ରାତିରେ ମନୋଜ ଓ ତାଙ୍କ ପରିବାର ସଦସ୍ୟ ଖାଇପିଇ ଶୋଇ ଯାଇଥିଲେ। ବିଳମ୍ବିତ ରାତିରେ ୪ ଜଣ ଡକାୟତ ଆସି କବାଟ ବାଡ଼େଇଥିଲେ। କେହି ଡାକୁଛି ଭାବି କବାଟ ଖୋଲି ଦେବା ପରେ ସେମାନେ ଧସେଇ ପଶି ଯାଇଥିଲେ। ୨ ଜଣ ବନ୍ଧୁକ ଧରିଥିବା ବେଳେ ଅନ୍ୟ ୨ ଜଣ ଭୁଜାଲି ଓ ବାଡ଼ି ଧରିଥିଲେ।
ପ୍ରଥମେ ସେମାନେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ରଶିରେ ବାନ୍ଧି ଦେଇ ସୁନାଗହଣା ଓ ଟଙ୍କା କେଉଁଠି ରଖିଛ ବୋଲି ପଚାରିଥିଲେ। ମନୋଜ ଓ ପରିବାର ଲୋକେ କୌଣସି ଉତ୍ତର ନଦେବାରୁ ନିସ୍ତୁକ ମାଡ଼ ମାରିଥିଲେ। ପ୍ରାଣ ଭୟରେ ତାଙ୍କ ପତ୍ନୀ ଆଲମିରା ଓ ଲକର୍ ଚାବି ଦେଇଥିଲେ। ଚାବି ନେଇ ଡକାୟତ ଦଳ ଆଲମିରାରୁ ଦେଢ଼ କେଜି ସୁନାଗହଣା ଓ ନଗଦ ୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଗଲାବେଳେ ସମସ୍ତଙ୍କ ମୋବାଇଲ୍ ଓ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ମଧ୍ୟ ନେଇ ଯାଇଛନ୍ତି।
ଡକାୟତମାନେ ବଲେରୋରେ ଆସିଥିବା କୁହାଯାଉଛି। ଡକାୟତ ଦଳ ଚାଲିଯିବା ପରେ ମନୋଜ ଥାନାକୁ ଯାଇ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅଗଷ୍ଟ ୪ ତାରିଖ ରାତିରେ ଏହି ଥାନା ଅନ୍ତର୍ଗତ ବିଲେଇମୁଣ୍ତାର ବିଜେଡି ନେତା ଗୋପାଳ ପଧାନଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା। ୬ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ମୁନରେ ନଗଦ ୩୨ ଲକ୍ଷ ନଗଦ ଟଙ୍କା ବହୁ ମୂଲ୍ୟର ସୁନାଗହଣା ଲୁଟି ନେଇଥିଲେ। ଦେଢ଼ ବର୍ଷ ପରେ ବି ପୁଲିସ ସେମାନଙ୍କୁ ଧରି ପାରି ନଥିବା ବେଳେ ଏବେ ସମାନ ଢଙ୍ଗରେ ବରପାଲିରେ ଡକାୟତି ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/20/ipBtQk7Oco3oy9znnBNm.jpg)