ବଣାଇଁଗଡ଼: ପ୍ରକୃତି ଶକ୍ତି ରୂପିଣୀ, ସେ କ୍ରିୟା। ପୁରୁଷ କର୍ତ୍ତା। ଶକ୍ତିଙ୍କ ଅନୁପସ୍ଥିତରେ ଶିବ - ଶବ ହୋଇ ପଡ଼ି ରହିବେ। ଶକ୍ତି ହେଉଛନ୍ତି ମାତା ଶିବ ହେଉଛନ୍ତି ପିତା। ସୁଉଚ୍ଚ ସୁରମ୍ୟ ଖଣ୍ଡାଧାର ଜଳ ପ୍ରପାତ ପାଦ ଦେଶରେ ଅବସ୍ଥିତ ସାନ ଜଲ ଗ୍ରାମ ନିକଟସ୍ଥ ପର୍ବତ କାନ୍ଥ ଦରିରେ ଭକ୍ତ ମନୋବାଞ୍ଛା ପୂର୍ଣ୍ଣ କାରିଣୀ ବନଦୁର୍ଗା ମା' କନ୍ତଦେବୀଙ୍କର ଆସ୍ଥାନ। ଗିରି କନ୍ଦର ଆଦିମ ଅଧିବାସୀ ପାଉଡି ଭୂୟାଁ ମାନଙ୍କର ସେ ଆରାଧ୍ଯ ଦେବୀ ହେଲେ ହେଁ ଆବ୍ରାହ୍ମଣ ଚଣ୍ଡାଳ ସଭିଙ୍କର ସେ ଆଶା ଆଶ୍ୱସନା ମୂର୍ତ୍ତିମନ୍ତ ପ୍ରତୀକ। ପ୍ରତି ବର୍ଷ ଆଶ୍ବିନ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ତାଙ୍କର ପୂଜା ପାର୍ବଣ ଧୂମ୍ ଧାମ୍ ରେ ଚାଲେ।

Advertisment

ପୂଜାର ସପ୍ତାହେ ପୂର୍ବରୁ ଦିନ ଦେହୁରୀ ରାଜାଙ୍କ ଉଆସ କୁ ଆସି ଅରୁଆ ଚାଉଳ, ଗୋଟା ହଳଦୀ, ଗୁଆ କିମ୍ବା ହରିଡ଼ା ଆଞ୍ଜୁଳି ନେଇ ପ୍ରତିପଦା ଦିନ ଦେବୀ ଙ୍କ ପୀଠରେ ନିମନ୍ତ୍ରଣ ପୂଜା କରନ୍ତି ଓ ଦ୍ଵିତୀୟା ଦିନ ଆସ୍ଥାନ ରୁ କନ୍ତ ଦେବୀଙ୍କ ବିଗ୍ରହକୁ ଆଣି ହଳଦୀକୁଦର, କଣ୍ଟା କୁଦର, ନୂଆଡ଼ିହି, ଖୁଣ୍ଟଗାଁ, ବିଛଣାପଟି, ସୁଆରପାଲି, ଜକୈକଳା, ଜମକେଇ, ଉପୁଡା, ଆଦି ଗ୍ରାମରେ ମଣ୍ଡଳୀ ପୂଜା କରି ଅଷ୍ଟମୀ ତିଥିରେ ବଣାଇଁଗଡ ସୀମାରେ ଅବସ୍ଥିତ କନ୍ତଯୋଡି ଗ୍ରାମରେ କନ୍ତ ଭେଟ କରାଇ ରାଜାଙ୍କର ଦେବୀ ପୂଜକ ଅମାତଙ୍କ ହାତକୁ ଟେକି ଦିଅନ୍ତି।

ଅମାତ କନ୍ତଯୋଡି, ଗୋପୀନାଥପୁର, ମୁଣ୍ଡଗଳା ସାହିି, କଂସାରି ସାହି, ତେଲି ସାହି, ଜଗନ୍ନାଥପୁର୍, କୁମାରୀ ଦେବୀ, ମନ୍ଦିର ଦେଇ ସିଂହଦ୍ଵାର ନିକଟରେ ପୂଜା ଅର୍ଚ୍ଚନା କରିଥାଆନ୍ତି। ମାଆଙ୍କର ବିଗ୍ରହକୁ ରାଜା ସ୍ୱହସ୍ତରେ ତୋଳି ନେଇ ରାଣୀ ମା' ଙ୍କୁ ଦିଅନ୍ତି। ଦେବୀ ଙ୍କର ପୂଜା ଅର୍ଚ୍ଚନା କରିବା ପରେ ଦେବୀ ବିଗ୍ରହକୁ ଖଣ୍ଡା ଘରେ ରଖାଯାଏ। ଖଣ୍ଡା ଘରେ ସିଦ୍ଧ ବ୍ରାହ୍ମଣ ଙ୍କ ଦ୍ଵାରା ହୋମ ଯଜ୍ଞ ପୂଜା ଅର୍ଚ୍ଚନା କରାଯାଏ। ଦଶହରା ଦିନ ପୁଣି ଭୂୟାଁ ଦେହୁରୀଙ୍କୁ ଦେବୀ ବିଗ୍ରହ ସମର୍ପଣ କରାଯାଏ। ସେ ନଦୀ ଘାଟରେ ପାତ୍ର ଘରୁ ନିମ୍ବ ଚକୁଳି ଭୋଗ ଦେଇ ନଦୀ ପାର କରାଇଥାନ୍ତି।

ତା’ପରେ ବିଭିନ୍ନ ଗ୍ରାମ ପରିକ୍ରମା କରିସାରିବା ପରେ କୁମାର ପୂର୍ଣ୍ଣିମା ଦିନ ପୁଣି ଦେବୀଙ୍କ ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଶୁଦ୍ଧ ପୂତ ଅନ୍ତରରେ ଦୃଢ଼ ବିଶ୍ବାସ ରଖି ଦେବୀଙ୍କ ନିକଟରେ ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଣୁ ମା' କନ୍ତଦେବୀ ଙ୍କ ଏହି ପୂଜାର୍ଚ୍ଚନା ଦିନଗୁଡିକରେ ଅସଂଖ୍ୟ ଯାତ୍ରୀଙ୍କର ଭିଡ଼ ଲାଗି ରହିଥାଏ। ବାମଣ୍ଡା, କୁଚିଣ୍ଡା, ପାଲଲହଡ଼ା, କେଉଁଝର ଆଦି ବହୁ ଦୂର ଦୁରାନ୍ତର ସ୍ଥାନରୁ ମା' କନ୍ତ ଦେବୀଙ୍କର ଦର୍ଶନ ପୂଜା ରୀତି ମାନସିକ ରଖିଥିବା ଭକ୍ତମାନେ ବୁଦା ଓ କୁକୁଡା ବଳି ପ୍ରଦାନ କରିଥାନ୍ତି। ବଣାଇରେ ଦଶହରାର ମୁଖ୍ୟ ପର୍ବ ହେଉଛି ମା' କନ୍ତ ଦେବୀଙ୍କ ପୂଜାକୁ ଗୁରୁତ୍ଵ ଦିଆଯାଇଛି। ପ୍ରାୟ ୧୦୦ ବର୍ଷରୁ ଉର୍ଦ୍ଧ୍ବ ମା'ଙ୍କର ପୂଜା ରୀତି କରାଯିବାର ବଣାଇଁ ମାଦଳା ପାଞ୍ଜିରୁ ଜଣାପଡ଼େ।