ରାଉରକେଲା: ସୁନ୍ଦରଗଡ଼ ବିଶ୍ରା ଥାନା ଅଞ୍ଚଳରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୋନୁକୁ ପୁଲିସ ଗିରଫ କରିଛି। ଘଟଣାରେ ବ୍ୟବହୃତ ଦେଶୀ ମାଉଜର ବି ଜବତ ହୋଇଛି। ତେବେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି। ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ମହମ୍ମଦ ରାଜା ଏବେ ବି ଚିକିତ୍ସାଧୀନ ଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତ ୪ ତାରିଖ ସକାଳ ପ୍ରାୟ ୮ଟାରେ ବିଶ୍ରା ଆଇଟିଆଇ ବସ୍ତିରେ ଗୁଳିକାଣ୍ଡ ହୋଇଥିଲା। ତିନି ଅଜ୍ଞାତ ଯୁବକଙ୍କ ଗୁଳିମାଡ଼ରେ ପିକଅପ ଡ୍ରାଇଭର ମହମ୍ମଦ ରାଜା ଗୁରୁତର ହୋଇଥିଲେ। ରାଜାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଛାତିରେ ଗୁଳି ବାଜିଥିଲା। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଗୁଳି ଚଳାଇଥିବା ୩ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ରାଜା ନିଜ ଘର ଆଗରେ ପଡ଼ୋଶୀମାନଙ୍କ ସହ କଥା ହେଉଥିଲେ। ହଠାତ ଏକ ମୋଟରବାଇକ ୩ ଅଜ୍ଞlତ ଯୁବକ ପହଞ୍ଚି କୌଣସି କଥାକୁ ନେଇ ପାଟିତୁଣ୍ଡ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପକେଟରୁ ପିସ୍ତଲ ବାହାର କରି ରାଜାର ଛାତିକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ରାଜା ତଳେ ପଡ଼ିଯିବା ପରେ ସେମାନେ ସେଠାରୁ ବାଇକରେ ଫେରାର ହୋଇଯାଇଥିଲେ। ପରିବାରଲୋକ ରାଜାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବିଶ୍ରା ପୁଲିସ ମାମଲାର ତଦନ୍ତ ଚଳାଇଛି।