ରାଜଗାଙ୍ଗପୁର: ୧୦ ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନ୍‌ରେ ରହିବା ପରେ ପ୍ରେମିକାଙ୍କୁ ହତ୍ୟା କଲେ ଯୁବକ

ରାଜଗାଙ୍ଗପୁର: ଗତ ଦଶବର୍ଷ ଧରି ଜଣେ ବିଧବାଙ୍କ ସହିତ ଲିଭ୍‌ ଇନ୍‌ ରିଲେସନ୍‌ରେ ଥିବା ଜଣେ ଯୁବକ ଗତକାଲି ରାତିରେ ତାଙ୍କ ପ୍ରେମିକାଙ୍କ ତଣ୍ଟିଚିପି ହତ୍ୟା କରିଛନ୍ତି। ମହିଳାଙ୍କୁ ହତ୍ୟା କରିବା ପରେ ସମ୍ପୃକ୍ତ ଯୁବକ ଆସି ରାଜଗାଙ୍ଗପୁର ଥାନାରେ ଆତ୍ମ ସମର୍ପଣ କରିଛନ୍ତି।


ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଗାଙ୍ଗପୁର ଥାନା ବଗିଚାପଡ଼ା ଅଞ୍ଚଳର ଶ୍ରୀକାନ୍ତ ଆଚାର୍ଯ୍ୟ (୩୦ ବର୍ଷ) ଗତ ୧୦ ବର୍ଷ ହେବ ସୁରଭି ବାଗ(୩୫ ବର୍ଷ) ନାମକ ଜଣେ ବିଧବାଙ୍କୁ ଭଲ ପାଇବା ସହିତ ତାଙ୍କ ସହିତ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ। ସୁରଭିଙ୍କର ଏକ ପୁଅ ରହିଛି। ତେବେ ଦୀର୍ଘ ୧୦ ବର୍ଷ ଧରି ଭଡ଼ା ଘରେ ରହିବା ପରେ ଗତ ୧୦ ଦିନ ତଳେ ଶ୍ରୀକାନ୍ତ ସୁରଭିଙ୍କୁ ଧରି ନିଜ ଘର ବଗିଚାପଡ଼ାକୁ ଆସି ରହିଥିଲେ। ତେବେ ଗତ କିଛି ଦିନ ହେବ ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଗତକାଲି ରାତିରେ ଉଭୟ ଖାଇ ପିଇ ଶୋଇବାକୁ ଯାଇଥିଲେ। ଶୋଇବା ଘରେ ସୁରଭି ଓ ଶ୍ରୀକାନ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶ୍ରୀକାନ୍ତ ସୁରଭିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ସୁରଭିଙ୍କୁ ହତ୍ୟା କରିବା ପରେ ଶ୍ରୀକାନ୍ତ ଚାଲିଚାଲି ଯାଇ ରାଜଗାଙ୍ଗପୁର ଥାନାରେ ସୁରଭିଙ୍କୁ ହତ୍ୟା କରିଥିବା କଥା କହିଥିଲେ। ପୁଲିସ ଶ୍ରୀକାନ୍ତଙ୍କୁ ଥାନାରେ ଅଟକ ରଖି ବଗିଚାପଡ଼ାରେ ପହଞ୍ଚି ମୃତ ସୁରଭିିଙ୍କ ଶବର ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର