ପତ୍ନୀକୁ ଠେଙ୍ଗାରେ ପିଟି ହତ୍ୟା; ସ୍ବାମୀ ଗିରଫ

(ଏସ୍‌ଏନ୍‌ଜି ମର୍ଡର) ମଦ ନିଶା ହେଲା କାଳ

ସୁନ୍ଦରଗଡ: ମଦ ନିଶାରେ ଚୁର ମଣିଷ ଭଲ ମନ୍ଦ ବାରିପାରେନି। ହିତାହିତ ଜ୍ଞାନ ହରାଇ ଅନାୟସରେ କୌଣସି ଅଘଟଣ ଘଟାଇବା, ଏପରିକି  ନିମିଷକେ ଆପଣାର ହେଉ କି ପର କାହାର ବି ପ୍ରାଣ ନେବାକୁ ପଛାଇ ନ ଥାଏ। ସୁନ୍ଦରଗଡ଼ ସଦର ଥାନା ବାରଗାଡରେ ଏଭଳି ଏକ ଅଭାବନୀୟ ଘଟଣାଟେ ଘଟିଛି। ଶନିବାର ବିଳମ୍ବିତ ରାତିରେ ମାତାଲ ସ୍ବାମୀ ଠେଙ୍ଗାରେ ପିଟି ପିଟି ପତ୍ନୀଙ୍କର ଜୀବନ ନେଇଛି। ଏପରିକି ପତ୍ନୀଙ୍କ ମୃତ ଦେହକୁ ଲୁଚାଇବା ପାଇଁ ଘର ଭିତରେ ଗାତ ଖୋଳି ପୋତିବାକୁ ଉଦ୍ୟମ କରୁଥିବାବେଳେ ଗାଁ ଲୋକେ ତାକୁ କାବୁ କରି ପୁଲିସକୁ ଜିମା ଦେଇଛନ୍ତି। ସଦର ପୁଲିସ ଶବ ବ୍ୟବଚ୍ଛେଦ କରାଇ ହତ୍ୟା ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ନିହତା ପତ୍ନୀ ହେଲେ ମାର୍ତାଲିନ ସାମଦ ଓ ଅଭିଯୁକ୍ତ ପତି ଲରେଲ ସାମଦ। ପୁଲିସର ସୂଚନା ଅନୁସାରେ, ଲରେଲ ସବୁଦିନ ମଦ ନିଶାରେ ଚୁର ହୋଇ ପତ୍ନୀଙ୍କ ସହ ଝଗଡା କରି ଆସୁଥିଲା। ଘଟଣା ଦିନ, ଅର୍ଥାତ ଗତକାଲି ରାତିରେ ମାତାଲ ଅବସ୍ଥାରେ ଲରେଲ ଘରକୁ ଫେରି ପତ୍ନୀ ମାର୍ତାଲିନଙ୍କ ସହ ଝଗଡା କରିଥିଲା। ପତ୍ନୀ ଏହାର ପ୍ରତିବାଦ କରିବାରୁ ଉତକ୍ଷିପ୍ତ ଲରେଲ ପାଖରେ ଥିବା ଠେଙ୍ଗାରେ ତାଙ୍କୁ ନିର୍ଧୁମ ପିଟି ଚାଲିଲା। ମାଡ଼ରେ ଛଟପଟ ହୋଇ ଘଟଣାସ୍ଥଳରେ ହିଁ ଆଖି ବୁଜି ଦେଇଥିଲେ ପତ୍ନୀ। ପତ୍ନୀଙ୍କ ମୃତ୍ୟୁ ପରେ ଲରେଲର ଚେତା ପଶିଥିଲା। ସେ ଶବକୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ ବି କୌଣସି ସୂତ୍ରରୁ ଗାଁ ଲୋକେ ସୂଚନା ପାଇ ତାକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପତ୍ନୀ ହତ୍ୟା ଅଭିଯୋଗରେ ଲରେଲ ଗିରଫ ହୋଇଛି।

ସମ୍ବନ୍ଧିତ ଖବର