ମ୍ୟାନେଜରଙ୍କ ଅଜବ ଯୁକ୍ତି: ମୃତକଙ୍କ ଜମା ଟଙ୍କା ଫେରାଏନି ବ୍ୟାଙ୍କ !

ହେମଗିର : ମୃତକଙ୍କ ଜମା ଟଙ୍କା ବ୍ୟାଙ୍କ ଫେରାଏନି। ତେଣୁ ତମକୁ ତମ ସ୍ବାମୀଙ୍କ ଟଙ୍କା ମିଳିବନି। ମୃତ ସ୍ବାମୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଉଠାଇବାକୁ ଚାହୁଥିବା ବିଧବା ପତ୍ନୀଙ୍କୁ ଶୁଣିବାକୁ ମିଳିଛି ବ୍ୟାଙ୍କ ମ୍ୟାନେଜରଙ୍କ ଏପରି ଅଜବ ଯୁକ୍ତି। ଏବେ ଏଥିରେ ବ୍ୟତିବ୍ୟସ୍ତ ଅସହାୟା ବୃଦ୍ଧା କ’ଣ କରିବେ, କାହାକୁ କହିବେ ବାଟ ପାଉ ନାହାନ୍ତି।

ଅଭିଯୋଗଟି ଆସିଛି ଏସବିଆଇ ଲୁହାବାହାଲ ଶାଖା ବିରୋଧରେ। ଗର୍ଜନଯୋର କୁଅଁରକେଲାର ମୃତ କୁଚିଆ କୁଅଁରଙ୍କ ପତ୍ନୀ ଫୁଲମତୀ କରିଛନ୍ତି ଏହି ଅଭିଯୋଗ। ଦିନ ମଜୁରିଆ ଭାବେ କାମ କରୁଥିବା କୁଚିଆ କୁଅଁରଙ୍କ ଲୁହାବାହାଲ ଏସବିଆଇରେ ଏକ ଜମାଖାତା ଥିଲା। ସେଥିରେ ତାଙ୍କ ନାମରେ ମନରେଗା ମଜୁରି ଓ ଧାନ ବିକ୍ରି ଟଙ୍କା ଜମା ହୋଇ ରହିଛି। ଗତ ୨୦୧୯ ଜାନୁଆରିରେ କୁଚିଆଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ବିଧବା ପତ୍ନୀ ଫୁଲମତୀ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ କରି ସ୍ବାମୀଙ୍କ ଜମା ଟଙ୍କା ତାଙ୍କୁ ଦେବାକୁ ଆବେଦନ କରିଥିଲେ। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଟଙ୍କା ଦେବାକୁ ସିଧାସିଧା ମନା କରି ଦେଇଛି। ମୃତକଙ୍କ ଟଙ୍କା ଫେରାଯାଏନି ବୋଲି ବ୍ୟାଙ୍କ ଅଧିକାରୀ କହିଥିବା ଫୁଲମତୀ ଅଭିଯୋଗ କରିଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ଏପରି ଆଚରଣ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ଥକିପଡ଼ିଥିବା ଅସହାୟା ବୃଦ୍ଧା ଫୁଲମତୀଙ୍କୁ ନିରାଶ କରିଛି। ମନରେଗା ପରି ସରକାରୀ ମଜୁରି ଟଙ୍କା ଓ ଧାନ ବିକ୍ରି ପ୍ରାପ୍ୟକୁ ବ୍ୟାଙ୍କ ଅଟକାଇ ରଖିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଫୁଲମତୀଙ୍କୁ ନ୍ୟାୟ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର