ବିଶ୍ରା: ସିପିଆଇ ମାଓବାଦୀଙ୍କ ପକ୍ଷରୁ ଚଳିତ ମାସ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଯାଏ ସହିଦ ସପ୍ତାହ ପାଳିତ ହେଉଛି। ରବିବାରରୁ ଆରମ୍ଭ ହୋଇଥିବା ଏହି ସହିଦ ସପ୍ତାହକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରୁ ମାତ୍ର ଏକ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ଜରେଇକେଲା ଠାରେ ସିପିଆଇ ମାଓବାଦୀମାନେ ବ୍ୟାନର ଏବଂ ପୋଷ୍ଟର ଲଗାଇ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି। ବ୍ୟାନର ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଶନିବାର ବିଳମ୍ବିତ ରାତିରେ ଜରେଇକେଲା ସମେତ ପାଞ୍ଚପାହିଆ ଏବଂ ଛୋଟାନାଗରା ଅଞ୍ଚଳରେ ସିପିଆଇ ମାଓବାଦୀମାନେ ପୋଷ୍ଟର ବ୍ୟାନର ଲଗାଇଥ‌ିଲେ।

Advertisment

ଏଠାରେ ସୂଚନାଯୋ‌ଗ୍ୟ ଯେ ମନୋହରପୁରରୁ ଜରେଇକେଲା ପର୍ଯ୍ୟନ୍ତ ପ୍ରାୟ ୧୪ କିଲୋମିଟର ରାସ୍ତାକଡ଼ରେ ମାଓବାଦୀମାନେ ପୋଷ୍ଟର ଲଗାଇଥ‌ିଲେ। ଏସଂପର୍କରେ ସୂଚନା ପାଇ ଝାଡ଼ଖଣ୍ଡ ଜରେଇକେଲା ଥାନାର ପୁଲିସ କର୍ମୀମାନେ ରାସ୍ତାକଡ଼ରୁ ପୋଷ୍ଟର, ବ୍ୟାନର ଏବଂ ବୁକଲେଟ୍ ଗୁଡ଼ିକୁ ଜବତ କରିଥିଲେ। ଉଲ୍ଲେଖନୀୟ ଯେ ଗତ କିଛି ଦିନ ଧରି ସରଣ୍ଡା ଜଙ୍ଗଲରେ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଯାହାକୁ କେନ୍ଦ୍ର କରି ସମଗ୍ର ସରଣ୍ଡା ଅଞ୍ଚଳରେ ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନ ଦ୍ଵାରା ନକ୍ସଲ ବିରୋଧୀ ଅଭିଯାନ ମଧ୍ୟ ଆରମ୍ଭ ହେଇଛି। ଏହି ଅଭିଯାନରେ ଗତ ଦୁଇ ମାସ ମଧ୍ୟରେ ଦୁଇଜଣ ମାଓବାଦୀ ନିହତ ହେବା ସମେତ ଚାରି ଜଣ ମାଓବାଦୀକୁ ଗିରଫ କରିବାରେ ଝାଡ଼ଖଣ୍ଡ ପୁଲିସ ସଫଳ ହୋଇଛନ୍ତି। ଏହାଛଡ଼ା ଚଳିତ ମାସ ପୁଲିସ ଦ୍ଵାରା ତିନିଟି ମାଓଶିବିରକୁ ଧସ୍ତ କରାଯିବା ସହିତ ପାଞ୍ଚଟି ଲ୍ୟାଣ୍ଡମାଇନ ମଧ୍ୟ ପୁଲିସ ଦ୍ଵାରା ଜବତ କରାଯାଇଛି। ମାତ୍ର ମାଓବାଦୀଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ସତର୍କତା ଅବଲମ୍ବନ କରିଛି।