ସୁନ୍ଦରଗଡ଼: ସୁନ୍ଦରଗଡ଼ଠାରୁ ଡୁଡୁକା ଯାଏ ପୂର୍ତ୍ତ ରାସ୍ତା ପାଲଟିଛି ସାଧାରଣଲୋକଙ୍କ ପାଇଁ ମରଣଯନ୍ତା। ଏହାର ପ୍ରତିବାଦରେ ସିପିଆଇ ପକ୍ଷରୁ ପଦଯାତ୍ରା ଆୟୋଜିତ ହୋଇଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବାର ସୂଚନା ମିଳିଛି।

Advertisment

ସୁନ୍ଦରଗଡ଼ଠାରୁ ଡୁଡୁକା ପୂର୍ତ୍ତ ରାସ୍ତା ସାଧାରଣଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏମସିଏଲ ଓ ଅନ୍ୟ କମ୍ପାନିର ଖଣି ଉତ୍ତୋଳନ ବଢ଼ିବା ସହ ବହୁଚକବିଶିଷ୍ଟ ଟ୍ରକ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ୬ ଚକିଆ ଟ୍ରକ ପରିବହନ କ୍ଷମତା ରଖିଥିବା ରାସ୍ତାରେ କୋଇଲା ‌ଓ ଏନଟିପିସି ଦର୍ଲିପାଲିର ପାଉଁଶ ବୋଝେଇ ବହୁଚକବିଶିଷ୍ଟ ଶହ ଶହ ଭାରୀଯାନ ଯାତାୟତ କରୁଥିବାରୁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ପ୍ରତିଦିନ ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନୀ ହେଉଛି। ସେପଟେ ଏମସିଏଲ ଅନୁଦାନରେ ୨୫ ବର୍ଷ ପରେ  ନିର୍ମାଣ ଆରମ୍ଭ କରିଥିବା କୋଲ କରିଡର କେବେ ଶେଷ ହେବ ସେ ନେଇ କାହା ପାଖରେ କିଛି ସୂଚନା ନାହିଁ।

ଏହାର ପ୍ରତିବାଦରେ  ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ଆଜି ସକାଳୁ  ଉଜ୍ବଳପୁରରୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଛି। ଦଳର ବରିଷ୍ଠ ନେତା ଅଶୋକ ଦାଶ, ଯୁବ ନେତା ରାଜେନ୍ଦ୍ର ନାଏକ, ସନ୍ତୋଷ ଆଚାର୍ଯ୍ୟ, କମଳ ଷଣ୍ଢ ଓ ନରେଶ ମେହେର ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ କର୍ମୀ ଓ ସାଧାରଣ ଲୋକ ପଦଯାତ୍ରାରେ ସାମିଲ ହୋଇଛନ୍ତି। ପ୍ରତିବାଦ କରି ସୁନ୍ଦରଗଡ଼ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ପ୍ରତିବାଦ ସଭା କରାଯିବ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ। ରାଜ୍ୟ ସରକାର ରାଉରକେଲାରେ ଯେମିତି ୧୫ ମାସରେ ‌ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ ତିଆରି କରି ଦେଖାଇଦେଲେ, ସେମିତି ଏମସିଏଲ କୋଲ କରିଡର ଓ ସୁନ୍ଦରଗଡ଼-ଡୁଡ଼ୁକା ରାସ୍ତା ଉନ୍ନତିକରଣ କରିବାକୁ ଦାବି କରାଯିବାକୁ ଦାବି କରିଛି ସିପିଆଇ।