ମର୍ଦ୍ଦଳଗୁରୁ ବନମାଳୀ ମହାରଣାଙ୍କ ପରଲୋକ

ଭୁବନେଶ୍ୱର: ମର୍ଦ୍ଦଳଗୁରୁ ବନମାଳୀ ମହାରଣାଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ନିମୋନିଆରେ ପୀଡିତ ହୋଇ ମର୍ଦ୍ଦଳଗୁରୁ ବନମାଳୀ ଚିକିତ୍ସାଧୀନ ଥିଲେ।

ଓଡ଼ିଶୀ ମର୍ଦ୍ଦଳ ବାଦନ କ୍ଷେତ୍ରରେ କର୍ଣ୍ଣଧାର ବିବେଚିତ ସ୍ୱର୍ଗତଃ ମହାରଣା  କଳାଗ୍ରାମ ଭାବେ ପରିଚିତ ପୁରୀ ଜିଲ୍ଲାର ରଘୁରାଜପୁରରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟାବସ୍ଥାରେ ନାଟକରେ ଅଭିନୟ କରୁ କରୁ ଓଡ଼ିଶୀ ନୃତ୍ୟ-ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ। ଏହାପରେ ସେ ମର୍ଦ୍ଦଳବାଦନ ଶିକ୍ଷା କରିବା ସହ ଏହି କ୍ଷେତ୍ରକୁ ନିଜ କଳା ସାଧନାରେ ପରିସର ଭାବେ ବାଛି ଦେଇଥିଲେ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଭୂଷଣ କେଳୁଚରଣ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ସଂଯୁକ୍ତା ପାଣିଗ୍ରାହୀ, କୁମ୍‌ କୁମ୍‌ ମହାନ୍ତି, ସୋନାଲ୍‌ ମାନସିଂହ, ମାଧବୀ ମୁଦ୍‌ଗଲ୍‌ଙ୍କ ଭଳି ପ୍ରମୁଖ ନୃତ୍ୟଗୁରୁଙ୍କ ସହ ମର୍ଦ୍ଦଳ ବାଦନ କରିବା ସହ ଜଣେ ଗୁରୁ ଭାବେ ବହୁ ଛାତ୍ରଙ୍କୁ ମର୍ଦ୍ଦଳ ବାଦନ ଶିକ୍ଷା ଦେଉଥିଲେ । ବର୍ତ୍ତମାନର ଓଡ଼ିଶାର ଅଧିକାଂଶ ସଫଳ ମର୍ଦ୍ଦଳ ବାଦକ ହେଉଛନ୍ତି ତାଙ୍କ ଛାତ୍ର।

ସ୍ୱର୍ଗତଃ ମହାରଣା କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ପୁରସ୍କାର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ୨୦୧୬ ମସିହାରେ ଲାଭ କରିଥିଲେ। ତାଙ୍କୁ ଉତ୍କଳ ସଂସ୍କୃତି ମହାବିଦ୍ୟାଳୟ ପକ୍ଷରୁୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରି ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିପୂର୍ବରୁ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ।
ସ୍ୱର୍ଗତଃ ବନମାଳୀ ମହାରଣାଙ୍କର ମୃତଦେହ ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ଅଣାଯିବା ପରେ ସଂସ୍କାର ଲାଗି ନିଆଯିବ । ଏହି ଦୁଃସମ୍ବାଦ ପ୍ରଚାରିତ ହେବା ପରେ ଓଡ଼ିଶାର କଳା ପରିସରରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର