ସୁନ୍ଦରଗଡ଼: ସରକାରୀ ନୀତି ଅନୁଯାୟୀ ଉପଯୁକ୍ତ ଥଇଥାନ, ପୁନର୍ବାସ, ନିଯୁକ୍ତି ଦାବିରେ ୩ ମାସରୁ ଅଧିକ ଦିନ  ଏମସିଏଲ ଗର୍ଜନବାହଲ ଖଣି ବିସ୍ଥାପିତ ଧାରଣାରେ ବସିଥିଲେ ବି କମ୍ପାନି କି ପ୍ରଶାସନ କେହି ଶୁଣିଲେ ନାହିଁ।  ପ୍ରତିବାଦରେ ଆଜି ବିସ୍ଥାପିତ ଗର୍ଜନବାହାଲ ଖଣି ବନ୍ଦ କରିଛନ୍ତି। ଯାହା ଫଳରେ ଖଣି ଉତ୍ତୋଳନ, ବୋଝେଇ ଓ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏପଟେ ବିସ୍ଥାପିତଙ୍କ ପୂର୍ବ ପରି ଧାରଣା ଜାରି ରହିଛି। ବନ୍ଦ ଯୋଗୁଁ ରେଲୱେ ସାଇଡିଂ ଓ ସଡ଼କ ପରିବହନର ପ୍ରାୟ ୧ ହଜାର ଭାରୀଯାନ ଅଟକି ରହିଛି। ଖଣି ଅଞ୍ଚଳ ଓ ଧାରଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ସିଆରମାଲ, ଗୋପାଳପୁର, କରଲିକଛାର, ବାଙ୍ଗୁରକେଲା, ଗର୍ଜନବାହାଲ, ବଲିଙ୍ଗା, ସରଡେଗା ଆଦି ୧୩ଟି ଗାଁ  ବିସ୍ଥାପିତଙ୍କୁ ଏମସିଏଲ ଏଯାଏ ଥଇଥାନ, ପୁନର୍ବାସ ଓ ନିଯୁକ୍ତି ଦେଇ ନାହିଁ।  ଏପରିକି ଗର୍ଜନବାହାଲର ବିସ୍ଥାପିତ ପରିବାର ବରପାଲି-୨ରେ  ୭୫ଟି ପ୍ଲଟ୍‌ ପାଇଁ ଆବେଦନ କରିଥିଲେ ମଧ୍ୟ ଏଯାଏ ଏମସିଏଲ ତା’ ଉପରେ କୌଣସି ପଦକ୍ଷେପ ନେଇ ନାହିଁ।  ଅନ୍ୟପଟେ ୨୦୧୭ ଅକ୍ଟୋବରରେ ସର୍ବୋଚ୍ଚ ନ୍ୟାୟାଳୟ ବିସ୍ଥାପିତଙ୍କୁ ସମ୍ପୂର୍ଣ୍ଣ ଥଇଥାନ ଓ ପୁନର୍ବାସ ଓ ଅନ୍ୟ ସୁବିଧା ନଦେଇ  ଏମସିଏଲ ଖଣି ଖନନ କରିପାରିବ ନାହିଁ ବୋଲି ଜାରି କରିଥିବା ଆଦେଶକୁ ବି  ଏମସିଏଲ ଅବମାନନା କରି ବିସ୍ଥାପିତଙ୍କୁ ହଟାଇ ଦେବାକୁ ଜୋର୍‌ ଲଗାଇ ଦେଇଥିବା ଅଭିଯୋଗ ରହିଛି। ତେଣୁ ଏମସିଏଲର ଜୋରଜବରଦସ୍ତ ବନ୍ଦ କରି ‌ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଗଠିତ  କ୍ଲେମ୍‌ କମିସନ ବିସ୍ଥାପିତଙ୍କ ହିତାର୍ଥେ ଦେଇଥିବା ସମସ୍ତ ଆଦେଶନାମା ଜିଲ୍ଲା ପ୍ରଶାସନର ତଦାରଖରେ ଏମସିଏଲ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟକାରୀ କରିବା, ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ପୁଅଝିଅଙ୍କୁ ଚାକିରି, ଘରଡିହ ବଦଳରେ ୨୦୧୩ ମସିହାରୁ ୫ ଲକ୍ଷ ୭୮ ହଜାର ଟଙ୍କାର ସୁଧ ପ୍ରଦାନ, ଉତ୍ତରାଧିକାରୀ ସୂତ୍ରରେ ହୋଇଥିବା ଆବେଦନକୁ ଗ୍ରହଣ କରି ନିଯୁକ୍ତି, ଗର୍ଜନବାହାଲ ପୁନର୍ବାସ କ୍ଷେତ୍ରରେ ବିସ୍ଥାପିତଙ୍କୁ ୧୦ ଡିସିମିଲ ସ୍ଥାୟୀ ଜମି ପଟ୍ଟା ପ୍ରଦାନ, ଭୂମିହୀନ ସ୍ଥାୟୀ ଗ୍ରାମବାସୀଙ୍କୁ ଥଇଥାନ ଆଦି ଦାବି କରି ୧୩ ଗାଁ ବିସ୍ଥାପିତ ଗତ ଫେବ୍ରୁଆରି ୨୬ରୁ ଧାରଣାରେ ବସିଛନ୍ତି।

publive-image

ଏହା ମଧ୍ୟରେ ୩ ମାସରୁ ଅଧିକ ଦିନ ବିତିଗଲାଣି। କିନ୍ତୁ କମ୍ପାନି ଓ ଜିଲ୍ଲା ପ୍ରଶାସନ କେବଳ ଆଲୋଚନା ମଧ୍ୟରେ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି।  ଅତିରିକ୍ତ ଜିଲ୍ଲାପାଳ ଗତ ଏପ୍ରିଲ ୫ ତାରିଖରେ ଏମସିଏଲ ମୁଖ୍ୟାଳୟକୁ ପତ୍ର ଲେଖି ବୋର୍ଡ ବୈଠକରେ ଦାବି ପୂରଣ ନେଇ ନିଷ୍ପତ୍ତି ନେବାକୁ ପରାମର୍ଶ ଦେବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଖଣି ବିସ୍ଫୋରଣ କରି ବିସ୍ଥାପିତଙ୍କୁ ଡରାଇ ହଟାଇଦେବାକୁ ଉଦ୍ୟମ କରୁଥିବା ବିସ୍ଥାପିତ ଅଭିଯୋଗ କରି ଏହାର ଦୃଢ ପ୍ରତିବାଦ କରିଛନ୍ତି। ଦେଶର ସ୍ବାର୍ଥ ପାଇଁ ନିଜ ପୂର୍ବପୁରୁଷ ଭିଟାମାଟି, ଜମି, ଜୀବିକାକୁ ଟେକି ଦେଇଥିବା ବିସ୍ଥାପିତଙ୍କୁ ନ୍ୟାୟ ଦେବାକୁ ଦାବି ହୋଇଛି।