ଦୋଷ ଲୁଚାଇବାକୁ ହରଡ଼ଘଣାରେ ମିଲର୍ସ! ସରକାରୀ ଚାଉଳ ବିକି ଦେଇଥିଲେ, ଏବେ ଚଢ଼ାଦରରେ ପଡ଼ୋଶୀ ରାଜ୍ୟରୁ କିଣୁଛନ୍ତି

ରାଉରକେଲା: ବିଭିନ୍ନ ସରକାରୀ ଯୋଜନା ପାଇଁ ଚାଉଳ ଯୋଗାଇବାଲାଗି ନିଯୁକ୍ତ କଷ୍ଟମ୍‌ ମିଲ୍‌ଗୁଡ଼ିକ ବିଭିନ୍ନ ସମୟରେ ବିବାଦର ଘେରକୁ ଆସୁଛନ୍ତି। ଲ୍ୟାମ୍ପସ ସହିତ ସଲାସୁତରା କରି ଟୋକନଧାରୀଙ୍କ ଧାନ ନନେଇ ଶସ୍ତାରେ ବାହାରୁ ଧାନ ଆଣି କୋଟା ପୂରଣ କରିବା ସମେତ କେବେ କେବେ ପରିବହନକାରୀ ସଂସ୍ଥାଙ୍କ ସହ ଭିତିରି ସଲାସୁତରା କରି ମିଲ୍‌ରୁ ଗୋଦାମକୁ ନପଠାଇ ସିଧା ପଞ୍ଚାୟତକୁ ଚାଉଳ ଯୋଗାଣ କରିବା ଆଦି ଅଭିଯୋଗ ମିଲର୍ସଙ୍କ ବିରୋଧରେ ଅଛି। ପିଡିଏସ୍‌ ଚାଉଳର ଦୁର୍ନୀତିକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ଯୋଗାଣ ବିଭାଗ ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ସେଥିରେ କିଛି ସ୍ଥାନୀୟ ମିଲର୍ସଙ୍କର ଭୂମିକା ମଧ୍ୟ ରହି ଆସିଛି। ଏବେ ଏହି ମିଲର୍ସ ନିଜେ ହରଡ଼ଘଣାରେ ପଡ଼ି ଯାଇଛନ୍ତି। ସବୁ ନୀତି ନିୟମକୁ ଉଲଂଘନ କରି ସରକାରୀ ଚାଉଳକୁ ବିକ୍ରି କରି ଦେଇଥିବା ମିଲର୍ସ ସରକାରଙ୍କୁ ଚାଉଳ ଯୋଗାଇବାଲାଗି ବର୍ତ୍ତମାନ ଖୋଲା ବଜାରରୁ ଆଶାଠାରୁ ଅଧିକ ଚଢ଼ାଦରରେ ଧାନକିଣି ଚାଉଳ କରୁଥିବାର ଖବର ମିଳିଛି। ଏହି ଘଟଣାର ତଦନ୍ତ କରାଗଲେ, ବିଶେଷକରି ମିଲ୍‌ଗୁଡ଼ିକୁ ଯାଞ୍ଚ କଲେ ଏକ ବଡ଼ ଧରଣର ଦୁର୍ନୀତି ସାମ୍‌ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ ଟୋକନ୍‌ ପାଇଥିବା ଚାଷୀଙ୍କଠାରୁ ଲ୍ୟାମ୍ପସଗୁଡ଼ିକ ଧାନ କିଣନ୍ତି। ସେହି ଧାନ ପେସା ହେବାଲାଗି ନିର୍ଦ୍ଦିଷ୍ଟ କଷ୍ଟମ୍‌ ମିଲ୍‌ଗୁଡ଼ିକୁ ଯାଏ। ପୁରୁଣା ମିଲ୍‌ଗୁଡ଼ିକ ନେଉଥିବା ଧାନର ମୋଟ୍‌ ମୂଲ୍ୟର ଚାରିଭାଗରୁ ଭାଗେ ସ‌ିକ୍ୟୁରିଟି ଜମାକରି ଧାନ ନିଅନ୍ତି। ସେହି ଧାନକୁ ମିଲିଂ କରି ସେମାନେ ଚାଉଳ କରନ୍ତି ଓ ସରକାରଙ୍କ ବିଭିନ୍ନ ଯୋଜନାରେ ଗୋଦାମଗୁଡ଼ିକୁ ନିର୍ଦ୍ଦେଶ ଅନୁସାରେ ପର୍ଯ୍ୟାୟକ୍ରମେ ଯୋଗାଇ ଦେଇ ଶେଷରେ ନିଜ ପାଉଣା ନିଅନ୍ତି। କିନ୍ତୁ ସତ ହେଉଛି, ସୁନ୍ଦରଗଡ଼ ଜିଲ୍ଲାରେ ଅନେକ ମିଲର୍ସ ଲ୍ୟାମ୍ପସରୁ ଧାନ ନେଇ ସରକାରଙ୍କୁ କିଛି ଚାଉଳ ଦିଅନ୍ତି, ବାକି ଖୋଲା ବଜାରରେ ବିକ୍ରି କରି ଦିଅନ୍ତି। ପର୍ଯ୍ୟାୟକ୍ରମେ ଚାଉଳ ଦେବା ଆବଶ୍ୟକ ଥିବାରୁ ପରେ ସେମାନେ ଶସ୍ତା ଋତୁରେ ବଜାରରୁ ଅନ୍ୟ ଧାନ କିଣି ସେଥିରେ ଚାଉଳ କରି ସରକାରଙ୍କୁ ଦିଅନ୍ତି। ଅନ୍ୟ ଶବ୍ଦରେ କହିଲେ, ସରକାରୀ ଅର୍ଥରେ ସେମାନେ ବ୍ୟବସାୟ କରିବାର ସୁଯୋଗ ପାଆନ୍ତି। ଅଗଷ୍ଟ ମାସ ଭିତରେ ସବୁ ଚାଉଳ ଦେବାର ନିୟମ ରହିଥିଲେ ହେଁ କିଛି ସମସ୍ୟା ହେଉ ନଥିବାରୁ ମିଲର୍ସ ତାହାକୁ ଅକ୍ଟୋବର-ନଭେମ୍ବର ପର୍ଯ୍ୟନ୍ତ ଟାଣି ନିଅନ୍ତି। କିନ୍ତୁ ଦୁଇଟି କାରଣରୁ ଚଳିତ ବର୍ଷ ସେମାନେ ହରଡ଼ଘଣାରେ ପଡ଼ି ଯାଇଛନ୍ତି। ପ୍ରଥମଟି ହେଲା ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ଦ୍ବିତୀୟ- ବର୍ଷାର ଅଭାବ। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପାଇଁ ପର୍ଯ୍ୟାପ୍ତ ଚାଉଳ ବିତରଣ କରା ଯାଇଥିବାରୁ ଯୋଗାଣ ବିଭାଗର ଗୋଦାମସବୁ ପ୍ରାୟତଃ ଫାଙ୍କା ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ଜିଲ୍ଲାପାଳ ମିଲର୍ସଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯେ ଅଗଷ୍ଟ ୩୦ ସୁଦ୍ଧା ମିଲର୍ସ ସେମାନଙ୍କ ପାଖରେ ଥିବା ସବୁଯାକ ଚାଉଳ ଦେବେ। ପାଖରେ ଥିବା ସରକାରୀ ଧାନର ଚାଉଳକୁ ଏହି ମିଲର୍ସ ବଜାରରେ ବିକ୍ରି କରି ଦେଇଥିବାରୁ ବର୍ତ୍ତମାନ ହରବର ହୋଇ ବଜାରରୁ ଧାନକିଣି ଚାଉଳ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସ୍ଥାନୀୟ ବଜାରରେ ବର୍ତ୍ତମାନ ଧାନର ଘୋର ଅଭାବ। ଚାଷ ଆରମ୍ଭରେ ବିହନ, ସାର ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଚାଷୀମାନେ ଘରେ ଥିବା ଧାନ ବିକ୍ରି କରନ୍ତି। ଜିଲ୍ଲାରେ ବର୍ଷା ନଥିବାରୁ ଚାଷୀମାନେ ଚାଷ ଆରମ୍ଭ କରି ପାରି ନାହାନ୍ତି। ଫଳରେ ବଜାରକୁ ଧାନ ଆସୁନାହିଁ। ସେପଟେ ଧାନ ପାଇଁ ମିଲର୍ସଙ୍କ ବ୍ୟସ୍ତତାକୁ ଦେଖି ବଜାରରେ ଯେତିକି ଧାନ ଥିଲା, ତା’ର ଦର ମଧ୍ୟ ଆକାଶଛୁଆଁ ହୋଇ ଯାଇଛି। ମାତ୍ର ୧୫ ଦିନ ତଳେ ଧାନର ମୂଲ୍ୟ କେ.ଜି. ପ୍ରତି ଅତିବେଶୀରେ ୧୪ ଟଙ୍କା ଥିଲା, ବର୍ତ୍ତମାନ ତାହା ୨୦ – ୨୨ରେ ପହଞ୍ଚି ଯାଇଛି। ସେତିକିରେ ମଧ୍ୟ ମିଳିବା କଷ୍ଟକର ହୋଇ ଯାଇଛି। କିଛି ମିଲର୍ସ ତ ୨୮ ଟଙ୍କା ପର୍ଯ୍ୟନ୍ତ ଦରରେ ଧାନ କିଣି ଥିବାର ସୂଚନା ରହିଛି। ସୁନ୍ଦରଗଡ଼ର ଅନେକ ମିଲର୍ସ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଧାନ କିଣି ଟ୍ରକ୍‌ରେ ବୋହିବାରେ ଲାଗିଛନ୍ତି। ଏପରିକି ଛତିଶଗଡ଼ର ଏକ ବଡ଼ ଚାଉଳ କମ୍ପାନିରୁ ଚାଉଳ ମଧ୍ୟ ସିଧା କିଛି ମିଲ୍‌କୁ ଆସୁଛି। ଏଠାରେ ତାହାକୁ ସରକାରୀ ବସ୍ତାରେ ଭର୍ତିକରି ଗୋଦାମକୁ ପଠା ଯାଉଛି। ଉଲ୍ଲେଖନୀୟ ଯେ ଗତ ଧାନସଂଗ୍ରହ ଋତୁରେ ସରକାର ଯେତେବେଳେ କେ.ଜି. ପ୍ରତି ପ୍ରାୟ ୧୯ ଟଙ୍କାରେ ଚାଷୀଙ୍କଠାରୁ ଧାନ କିଣିବାକୁ ନିର୍ଦ୍ଦେଶ ଦେଇଥିଲେ, ଲ୍ୟାମ୍ପସ ଅଧିକାରୀଙ୍କୁ ହାତକରି କିଛି ମିଲର୍ସ ବିଭିନ୍ନ ଆଳରେ ଟୋକନଧାରୀ ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଦେଇ ନଥିଲେ। ଚାଷୀଙ୍କ ଧାନ ବଦଳରେ କେ.ଜି. ପ୍ରତି ୧୨-୧୩ ଟଙ୍କାରେ ସ୍ଥାନୀୟ ଅନ୍ୟ ଚାଷୀ ତଥା ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଧାନ ଆଣି କୋଟା ପୂରଣ କରିଥିଲେ। ଏ ବାବଦରେ କୋଟି କୋଟି ଟଙ୍କା ସେମାନଙ୍କ ପକେଟକୁ ଯାଇଥିଲା।
କେବଳ ସୁନ୍ଦରଗଡ଼ ନୁହେଁ, ସରକାରୀ ଧାନର ଚାଉଳକୁ ବଜାରରେ ବିକ୍ରି କରିବା ଓ ପରେ ଶସ୍ତାରେ ଧାନକିଣି ଚାଉଳ କରି ସରକାରଙ୍କୁ ଦେବାର ଏହି ରୀତି ଓଡ଼ିଶାର ଅନେକ ଜିଲ୍ଲାରେ ଚାଲିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପାଇଁ ସବୁ ଜିଲ୍ଲାରେ ମଧ୍ୟ ମିଲର୍ସ ସମାନ ସମସ୍ୟାରେ ପଡ଼ିଛନ୍ତି। ଯେଉଁମାନେ ଏହି ସ୍ଥିତିକୁ ଆଗରୁ ଆଶଙ୍କ‌ା କରି ପ୍ରସ୍ତୁତ ହୋଇଥିଲେ, ସେମାନେ ଏଥିରୁ ସାମାନ୍ୟ ରକ୍ଷା ପାଇଛନ୍ତି। କାରଣ ସୁନ୍ଦରଗଡ଼ ଜିଲ୍ଲାରେ ଏହି ସ୍ଥିତି ଆରମ୍ଭ ହେବାପୂର୍ବରୁ ସମ୍ବଲପୁର ଅଞ୍ଚଳର କିଛି ମିଲର୍ସ ଶହ ଶହ ଟ୍ରକ୍‌ ଧାନ କିଣି ଏଠାରୁ ବୋହି ନେଇଥିଲେ। ତେବେ ଏହି ଘଟଣାରେ ଯୋଗାଣ ବିଭାଗର ଭୂମିକା ଉପରେ ବିରାଟ ପ୍ରଶ୍ନଚିହ୍ନ ଲାଗି ଯାଇଛି। ସରକାରଙ୍କ ଟଙ୍କାରେ କିଣା ଯାଇଥିବା ଧାନ ବା ସେଥିରୁ ବାହାରିଥିବା ଚାଉଳ ମିଲ୍‌ରେ କେଉଁ ସ୍ଥିତିରେ ଅଛି, ତାହା ତଦାରଖ କରିବା ଦାୟିତ୍ବ ଯୋଗାଣ ଅଧିକାରୀମାନଙ୍କର। କିନ୍ତୁ ସେମାନଙ୍କ ପକେଟ ଗରମ କରି ମିଲର୍ସ ସେହି ଚାଉଳକୁ ଖୋଲାଖୋଲି ଭାବେ ପ୍ରତିବର୍ଷ ଖୋଲା ବଜାରରେ ବିକ୍ରି କରି ପରେ ଶସ୍ତାରେ ଧାନ କିଣି ତା’ର ଭରଣା କରୁଛନ୍ତି। ମିଲ୍‌ଗୁଡ଼ିକର ଷ୍ଟକ୍‌ ତୁରନ୍ତ ଯାଞ୍ଚ କଲେ ଏକ ବଡ଼ ଦୁର୍ନୀତିର ପର୍ଦଫାସ ହେବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର