ସିନେମା ହଲ୍ ଖୋଲିବା ଅପେକ୍ଷାରେ ‘ମିନି ଇଣ୍ଡିଆ’

ରାଉରକେଲା : ‘ମିନି ଇଣ୍ଡିଆ’ କୁହା ଯାଉଥିବା ଓ ଏକ କସ୍‌ମପୋଲିଟାନ୍ ସହରର ଅନେକ ଗୁଣ ଥିବା ରାଉରକେଲା ସହରରେ ଅଛନ୍ତି ଭାରତର ବିଭିନ୍ନ ପ୍ର‌ଦେଶର ଲୋକ। ସ୍ଥାନୀୟ ଲୋକେ ରାଜ୍ୟର ବାକି ଅଞ୍ଚଳ ତୁଳନାରେ ଆଧୁନିକ ଓ ଶିକ୍ଷିତ ତଥା ଉଣାଅଧିକ ସ୍ବଚ୍ଛଳ ମଧ୍ୟ। ସେଥିପାଇଁ ଏଠାରେ ଥିବା ସିନେମା ହଲ୍‌ଗୁଡ଼ିକ‌ରେ ଏକଦା ହିନ୍ଦୀ ଓ ଦକ୍ଷିଣ ଭାରତୀୟ ସିନେମା ଖୁବ୍ ଭଲ ଚାଲିଥିଲା। ପୂର୍ବେ ରିଲିଜ୍‌କୁ ନେଇ ତିନିଥାକିଆ ନିୟମ ଥିଲେସୁଦ୍ଧା ଅନେକ ସିନେମା ଜାତୀୟ ବଜାରରେ ରିଲିଜ୍ ହେବା ସହିତ ସମାନ ସମୟରେ ଏହି ସହରରେ ମଧ୍ୟ ରିଲିଜ୍ ହେଉଥିଲା। ପୁଣି କଟକ ସମେତ ବ୍ରହ୍ମପୁର ଓ ବାରିପଦା ସହର ଭଳି ଏକଦା ଇସ୍ପାତ ସହର ରାଉରକେଲାରେ ଓଡ଼ିଆ ସି‌ନେମାକୁ ନେଇ ଗୋଟିଏ ସୁନ୍ଦର ପରଂପରା ମଧ୍ୟ ଥିଲା। ‘କାଚଘର’, ‘ବାଟ ଅବାଟ’, ‘ଅମର ପ୍ରେମ’ ଭଳି ଅନେକ ସିନେମା ଏଇ ସହରରୁ ପ୍ରଯୋଜିତ ହୋଇଥିଲା। ଓଡ଼ିଆ ସିନେମାର କେନ୍ଦ୍ର କଟକ ବା ଭୁବନେଶ୍ବରଠାରୁ ଅନେକ ଦୂରରେ ଅବସ୍ଥିତ ହୋଇଥିଲେ ହେଁ ଏକ ଜାତୀୟ ସ୍ତରର ଆଧୁନିକ ସହରର ଶୈଳୀରେ ନିର୍ମିତ ଏ ସହରର ଚଉଡ଼ା ରାସ୍ତାଘାଟ ଓ ସୁନ୍ଦର ପାର୍କରେ ଅନେକ ଓଡ଼ିଆ ସିନେମାର ସୁଟିଂ ହେଉଥିଲା। ଏ ସହର ଉପକୂଳ ଅଞ୍ଚଳର ଲୋକରେ ଭରପୂର ହୋଇଥିବାରୁ ଏଠା ସିନେମା ହଲ୍‌ରେ ଓଡ଼ିଆ ସିନେମାସବୁ ବି ଅତି ସଫଳତାର ସହିତ ପ୍ରଦର୍ଶିତ ହେଉଥିଲା।

୧୯୬୦-୬୨ ସମୟରେ ବୋଧେ ରାଉରକେଲାରେ ଆରମ୍ଭ ହୋଇଥିଲା ଏହାର ପ୍ରଥମ ସିନେମା ହଲ୍‌- ରଜାକ୍ ଟକିଜ୍। ଆଜି ଯେଉଁଠାରେ ‘ବିଗ୍ ବଜାର୍’ ଅଛି, ସେଇଠି ଥିଲା ସେ ସିନେମା ହଲ୍। ତା’ପ‌ରେ ପରେ ତିଆରି ହୋଇଥିଲା ‘ଲୀଲା’, ଆଜି ଯେଉଁଠି ସିଭିକ୍ ସେଣ୍ଟର୍ ଅଛି, ସେଇଠି। ପରବର୍ତୀ ସମୟରେ ଇସ୍ପାତ ସହରରେ ଗଢ଼ି ଉଠିଥିଲା କୋଣାର୍କ, ଅପ୍‌ସରା, ଦୀପକ, ଉମା ଟକିଜ୍। ଏହା ସହିତ ବନ୍ଧମୁଣ୍ଡା ଅଞ୍ଚଳରେ ଆରମ୍ଭ ହୋଇଥିଲା ନିରୂପମ ଟକିଜ୍। ଲୀଲା ଟକିଜ୍ କିଛି ବର୍ଷ ପରେ ସିଭିକ୍ ସେଣ୍ଟରରେ ପରିଣତ ହୋଇଥିଲେ ବି ଗୋଟିଏ ସମୟରେ ଏ ସହ‌ରରେ ୫ଟି ସିନେମା ହଲ୍ ସମାନ୍ତରାଳ ଭାବେ ସଫଳତାର ସହିତ ବ୍ୟବସାୟ କରୁଥିଲେ। କିନ୍ତୁ ରାଜ୍ୟର ଅଧିକାଂଶ ସହର ଭଳି ଏମିତି ସମୟ ଆସିଲା, ଯେବେ ଗୋଟିଏ ପରେ ଗୋଟିଏ ସିନେମା ହଲ୍ ବନ୍ଦ ହୋଇଗଲା। ବେପାର ଅଭାବରୁ ମାଲିକମାନେ ସିନେମା ହଲ୍‌କୁ ବଦଳାଇ ସପିଂ ମଲ୍ ବା ଗୋଦାମ ଘର ବା କଲ୍ୟାଣ ମଣ୍ଡପ କରିଦେଲେ।

କରୋନା ଲକ୍‌ ଡାଉନ୍ ପୂର୍ବରୁ ରାଉରକେଲାରେ ମାତ୍ର ୨ଟି ମଲ୍‌ଟିପ୍ଲେକ୍ସରେ ସିନେମା ପ୍ରଦର୍ଶିତ ହେଉଥିଲା- ପିଏସ୍‌ଆର୍ ଓ ସିନେପ୍ଲେକ୍ସ। ଉଭୟରେ ଦୁଇଟି ଲେଖାଏଁ ସ୍କ୍ରିନ୍ ଥିଲା। ପାଇରେସି ଓ ଇଣ୍ଟର୍‌ନେଟ୍ ଯୁଗରେ ମଧ୍ୟ ଉଭୟ ସିନେମା ହଲ୍‌ ମାଲିକମାନଙ୍କର ସଉକ ବଳରେ ବଞ୍ଚି ରହିଥିଲେ। କିନ୍ତୁ ସାମାଜିକ ଦୂରତ୍ବ କଟକଣା ଯୋଗୁ ସିନେମା ହଲ୍ ବନ୍ଦ ହେବାରୁ ସେତିକି ବି ଏବେ ବନ୍ଦ ହୋଇ ଯାଇଛି।

ସମ୍ବନ୍ଧିତ ଖବର